କେନ୍ଦ୍ର ସରକାରଙ୍କ ଶ୍ବେତ ପତ୍ର ବନାମ କଂଗ୍ରେସର କଳା ପତ୍ର, ଜାଣନ୍ତୁ ପୂରା ଘଟଣା…

ନୂଆଦିଲ୍ଲୀ: ଶ୍ବେତ ପତ୍ର ବନାମ କୃଷ୍ଣ ପତ୍ର । କେନ୍ଦ୍ର ସରକାର ଗତ ୧୦ ବର୍ଷର ଶାସନକୁ ନେଇ ଶ୍ବେତ ପତ୍ର ଆଣିବାକୁ ଯାଉଥିବାବେଳେ କଂଗ୍ରେସ ତାକୁ କାଉଣ୍ଟର କରି ବ୍ଲାକ ପେପର ଆଣିବାକୁ ଘୋଷଣା କରିଛି । କେନ୍ଦ୍ର ସରକାର ନିଜ ପ୍ରଦର୍ଶନ ବଖାଣିବା ପାଇଁ ଶ୍ବେତ ପତ୍ର ଆଣୁଛନ୍ତି । କଂଗ୍ରେସ କିନ୍ତୁ ଏହାକୁ ବିରୋଧ କରି ବ୍ଲାକ ପେପର ଉପସ୍ଥାପନ କରିବ ବୋଲି କହିଛି ।

କେନ୍ଦ୍ର ସରକାର ସବୁବେଳେ ନିଜ ପ୍ରଦର୍ଶନ ଉପରେ ଗାଇ ବୁଲୁଥିବାବେଳେ ବିଫଳତା ନେଇ ପୂରା ଚୁପ । ବେରୋଜଗାରୀ, ଦରବୃଦ୍ଧି, ଚାଷୀ ସମସ୍ଯାର ସମାଧାନ ନାହିଁ । ଏହି ସବୁ ବିଫଳତାକୁ ନେଇ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ ବ୍ଲାକ ପେପର ଆଣିବେ ବୋଲି କହିଛନ୍ତି । ସଂସଦ ହେଉ କିମ୍ବା ସଭାମଞ୍ଚ ସବୁଠି କେନ୍ଦ୍ର ସରକାର ନିଜ ସଫଳତାର ପ୍ରଚାର କରିଥାନ୍ତି । ସବୁଠି କେବଳ କଂଗ୍ରେସ ବିଷୟରେ ଆଲୋଚନା କରିଥାନ୍ତି ।

ସେପଟେ ବିଜେପି ପ୍ରତିକ୍ରିୟା ଦେଇ କହିଛି, ଶ୍ବେତ ପତ୍ରରେ କେନ୍ଦ୍ର ସରକାର ଗତ ୧୦ ବର୍ଷର ଆର୍ଥିକ ବିକାଶକୁ ଉପସ୍ଥାପନ କରିବେ । କିପରି ୟୁପିଏ ସରକାର ଯିବା ପରେ ଦେଶରେ ସ୍ଥିତି ବଦଳିଛି ସେ ନେଇ ଶ୍ବେତ ପତ୍ରରେ ଦର୍ଶାଯାଇଛି ବୋଲି ବିଜେପି କହିଛି ।