ମଙ୍କିପକ୍ସକୁ ଅନ୍ତର୍ଜାତୀୟ ଜରୁରୀକାଳୀନ ସ୍ୱାସ୍ଥ୍ୟ ସଙ୍କଟ ଘୋଷଣା କଲା WHO

ନୂଆଦିଲ୍ଲୀ: ମଙ୍କିପକ୍ସ ମାମଲା ବିଶ୍ୱରେ ଧୀରେ ଧୀରେ ବଢିବାରେ ଲାଗିଛି । ଏହାକୁ ଗୁରୁତର ସହ ନେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) । ସଂକ୍ରମଣକୁ ଦୃଷ୍ଟିରେ ରଖି ମଙ୍କିପକ୍ସକୁ ଅନ୍ତର୍ଜାତୀୟ ଜରୁରୀକାଳୀନ ସ୍ୱାସ୍ଥ୍ଯ ସଙ୍କଟ ଘୋଷଣା କରିଛି ଡବ୍ଲୁଏଚଓ । ସଂକ୍ରମଣ ବୃଦ୍ଧିକୁ ରୋକିବା ପାଇଁ ଡବ୍ଲୁଏଚଓର ନିର୍ଦ୍ଦେଶକ ଡା. ଟେଡ୍ରସ ଏହି ଘୋଷଣା କରିଛନ୍ତି ।

ଗୁରୁବାର ମଙ୍କିପକ୍ସ ବିଶେଷଜ୍ଞ ଏକ ଜରୁରୀ ବୈଠକରେ ମଙ୍କିପକ୍ସ ସଂକ୍ରମଣକୁ ଏକ କ୍ୟାଟେଗୋରୀ କରିବା ପାଇଁ ଡବ୍ଲୁଏଚଓକୁ ପରାମର୍ଶ ଦେଇଥିଲେ । ସୂଚନାଥାଉକି ବର୍ତ୍ତମାନ ୮୦ ଦେଶରେ ମଙ୍କିପକ୍ସ ସଂକ୍ରମଣ ବ୍ୟାପିଯାଇଛି । ଭାରତରେ ମଧ୍ୟ ତିନୋଟି କେସ୍ ସାମ୍ନାକୁ ଆସିସାରିଛି । କରୋନା ଭଳି ଏହା ମହାମାରୀର ରୂପ ନେବା ପୂର୍ବରୁ ଏହା ଉପରେ ଅଙ୍କୁଶ ଲଗାଇବା ପାଇଁ ଏହି ଘୋଷଣା କରିଛି ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ।

ପୂର୍ବରୁ ଦୁଇଟି ମାମଲା ଭାରତରେ ଚିହ୍ନଟ ପରେ କେନ୍ଦ୍ର ସରକାର ଅନ୍ତର୍ଜତୀୟ ବିମାନବନ୍ଦରରେ ସବୁ ବିଦେଶ ଫେରନ୍ତାଙ୍କ ସ୍କ୍ରିନିଂ କରିବାର କଡା ନିର୍ଦ୍ଦେଶ ଦେଇଥିଲେ । ଏବେ ବିଦେଶ ଫେରନ୍ତାଙ୍କ ସ୍କ୍ରିନିଂ ପରେ ଘରକୁ ଛଡାଯାଉଛି । ଯାହାଙ୍କଠାରେ ସଂକ୍ରମଣ ଦେଖାଯାଉଛି ସେମାନଙ୍କୁ ମେଡିକାଲ ସ୍ଥାନାନ୍ତର କରାଯିବାର ବ୍ୟବସ୍ଥା କରାଯାଇଛି । ଭାରତରେ ତିନୋଟି ଯାକ ମାମଲା କେରଳରୁ ହିଁ ସାମ୍ନାକୁ ଆସିଥିଲା ।