କିଏ ରେବନ୍ତ ରେଡ୍ଡୀ ? କାହିଁକି ତାଙ୍କ ନାଁ ଏବେ ଚର୍ଚ୍ଚାରେ?

ହାଇଦ୍ରାବାଦ: ତେଲଙ୍ଗାନା କଂଗ୍ରେସର ଆଇକନ ଅନୁମୁଲା ରେବନ୍ତ ରେଡ୍ଡୀ । ବିଆରଏସକୁ ଗାଦିଚ୍ୟୁତ କରି ତେଲଙ୍ଗାନାରେ କଂଗ୍ରେସ ବିଜୟର ପ୍ରମୁଖ ସୂତ୍ରଧର ହେଉଛନ୍ତି ରେବନ୍ତ । ୮ ନଭେମ୍ବର ୧୯୬୯ରେ କୋଣ୍ଡାରେଡୀ ପଲ୍ଲୀରେ କୃଷକ ପରିବାରରେ ତାଙ୍କର ଜନ୍ମ । ରାଜନୈତିକ ପରିବାରରୁ ନ ଆସି ବି ରାଜନୈତିକ କ୍ୟାରିଅରରେ ହୋଇଛନ୍ତି ସଫଳ । ଓସମାନିଆ ୟୁନିଭର୍ସିଟିରରୁ ଭିଜୁଆଲ ଆର୍ଟସରେ ଡିଗ୍ରୀ ପାସ୍ କରିଥିବା ରେବନ୍ତ ସାତ ଭାଇଭଉଣୀଙ୍କ ମଧ୍ୟରୁ ଅନ୍ୟତମ ।

କ୍ଷୁଦ୍ର ବ୍ୟବସାୟ, ରିଅଲ ଏଷ୍ଟେଟରେ ପ୍ରବେଶ କରିଥିଲେ ରେବନ୍ତ । ଏହା ସହ ଏକ ପ୍ରିଣ୍ଟିଂ ପ୍ରେସ ପ୍ରତିଷ୍ଠା କରିଥିଲେ ରେବନ୍ତ । ପୂର୍ବତନ କଂଗ୍ରେସ ନେତା ଜୟପାଲ ରେଡ୍ଡୀଙ୍କ ଭାଣିଜୀ ଗୀତାଙ୍କୁ ବିବାହ କରିଥିଲେ । ୨୦୦୬ରେ ଥିଲେ ଏବିଭିପିର ସଦସ୍ୟ ହୋଇ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ । ପରେ ସେ ମିଦଜିଲ ମଣ୍ଡଳରୁ ଜିଲ୍ଲା ପରିଷଦ ସଭ୍ୟ ନିର୍ବାଚିତ ହୋଇଥିଲେ । ୨୦୦୭ରେ ଏମଏଲସି ସଦସ୍ୟ ହେବା ପରେ ଟିଡିପି ନେତା ଚନ୍ଦ୍ରାବାବୁ ନାଇଡୁଙ୍କୁ ଭେଟି ଟିଡିପିରେ ସାମିଲ ହୋଇଥିଲେ । ୨୦୦୯ରେ କୋଡାଙ୍ଗଲରୁ ଟିଡିପି ଏମଏଲଏ ହେବା ସହ ୨୦୧୪ରେ ତେଲଙ୍ଗାନାରୁ ଟିଡିପି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।

ତେବେ ମେ ୨୦୧୫ରେ ଲାଞ୍ଚ ଦେବା ଉଦ୍ୟମ ଅଭିଯୋଗରେ ସେ ଗିରଫ ହୋଇଥିଲେ । ୨୦୧୭ରେ ଟିଡିପି ଛାଡ଼ି କଂଗ୍ରେସରେ ଯୋଗଦେଇଥିଲେ ରେବନ୍ତ । ୨୦୧୮ରେ କୋଡାଙ୍ଗଲରୁ କଂଗ୍ରେସ ବିଧାୟକ ଭାବେ ଲଢି ପରାସ୍ତ ହୋଇଥିଲେ । ସେପ୍ଟେମ୍ବର ୨୦୧୮ରେ ତେଲଙ୍ଗନା ପିସିସିର କାର୍ଯ୍ୟକାରୀ ସଭାପତି ହୋଇଥିଲେ । ୨୦୧୯ରେ ମାଲକାଜଗିରିରୁ କଂଗ୍ରେସ ସାଂସଦ ଭାବେ ନିର୍ବାଚିତ ହେବା ସହ ଜୁନ ୨୦୨୧ରେ ତେଲଙ୍ଗାନା ପିସିସି ସଭାପତି ଭାବେ ନିଯୁକ୍ତ ହୋଇଥିଲେ । ଅତୀତରେ ସେ କହିଥିଲେ ଦିନେ ନା ଦିନେ ସେ ହେବେ ମୁଖ୍ୟମନ୍ତ୍ରୀ । ଦଳିତ ନେତା ଭଟ୍ଟି ବିକ୍ରମାର୍କା ଓ ୭ ଥରର ବିଧାୟକ ଉତ୍ତମ କୁମାର ରେଡ୍ଡୀଙ୍କୁ ମାତ୍ ଦେଇ ସେ ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ୬୪ କଂଗ୍ରେସ ବିଧାୟକଙ୍କ ମଧ୍ୟରୁ ୪୨ ବିଧାୟକ ରେବନ୍ତଙ୍କ ସମର୍ଥନରେ ଥିବାବେଳେ ସେ ୧୦ ବର୍ଷର ବିଆରଏସକୁ କ୍ଷମତାଚ୍ୟୁତ କରିବାରେ ପ୍ରମୁଖ ଭୂମିକା ନେଇଥିଲେ  ।