ଯଦି ରେବନ୍ତ ରେଡ୍ଡି ନୁହେଁ, ତାହେଲେ କିଏ ହେବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ?

ହାଇଦ୍ରବାଦ: ତେଲେଙ୍ଗାନାରେ ବିଆରଏସକୁ ଗାଦିଚ୍ୟୁତ କରି ସଂଖ୍ୟା ଗରିଷ୍ଠତା ହାସଲ କରିଛି କଂଗ୍ରେସ । ରେବନ୍ତ ରେଡ୍ଡିଙ୍କ ନେତୃତ୍ବରେ ଦଳ ରାଜ୍ୟରେ ସରକାର ଗଢ଼ିବାକୁ ଯାଉଛି । ଏବେ ଚର୍ଚ୍ଚାର ବିଷୟ ପାଲଟିଛି କି, କିଏ ମୁଖ୍ୟମନ୍ତ୍ରୀ ହେବେ । ରେବନ୍ତ ରେଡ୍ଡିଙ୍କ ନାମ ଆଗରେ ରହିଥିବାବେଳେ କିଛି ବିଧାୟକ ତାଙ୍କୁ ଚାହୁଁନଥିବା କୁହାଯାଉଛି । କେ.ଚନ୍ଦ୍ରଶେଖରଙ୍କ ପାଇଁ କିଛି ବିଧାୟକ ଲବି କରୁଥିବା ମଧ୍ୟ ଦେଖିବାକୁ ମିଳିଛି ।

ସୋମବାର ଘୋଷଣା ହେବ ତେଲଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ନାଁ । ଦିଲ୍ଲୀରେ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ ତେଲଙ୍ଗାନା ପ୍ରସଙ୍ଗ ନେଇ ବୈଠକ ଡାକିଛନ୍ତି । କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାର, ତେଲଙ୍ଗନାର ଦୁଇ କଂଗ୍ରେସ ନେତା ଉତ୍ତମ କୁମାର ରେଡୀ ଓ ମାଲ୍ଲୁ ଭଟ୍ଟି ବିକ୍ରମାର୍କାଙ୍କୁ ଏଆଇସିସି ଡାକିଛି ଦିଲ୍ଲୀ । ଦଳର ନିର୍ବାଚନ ପର୍ଯ୍ୟବେକ୍ଷକଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ଘୋଷଣା କରିବେ ଖଡଗେ । ସେପଟେ ଆଜି ରାଜସ୍ଥାନ କଂଗ୍ରେସର ଗୁରୁତ୍ବପୂର୍ଣ୍ଣ ବୈଠକ ଡାକିଛନ୍ତି ପିସିସି ସଭାପତି ଗୋବିନ୍ଦ ସିଂ ଦୋତସାରା । ତେଣେ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ ଲାଗି ବି ଖୋଜାଚାଲିଛି ମୁଖ୍ୟମନ୍ତ୍ରୀ ।

କୌଣସି ମୁହୂର୍ତ୍ତରେ ଦିଲ୍ଲୀ ହାଇକମାଣ୍ଡ ଘୋଷଣା କରିପାରନ୍ତି ନାଁ । ଛତିଶଗ଼ଡରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂ, ରାଜ୍ୟ ବିଜେପି ସଭାପତ ଅରୁଣ ସାଓ, ପୂର୍ବତନ ପ୍ରଶାସକ ଓପି ଚୌଧୁରୀ ଓ କେନ୍ଦ୍ରମନ୍ତ୍ରୀ ରେଣୁକା ସିଂ ଆଶାୟୀ ଅଛନ୍ତି । ମଧ୍ୟପ୍ରଦେଶରେ ଶିବରାଜ ସିଂ ଚୌହ୍ବାନ, କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଦିଆ, ସାଂସଦ କୈଳାସ ବିଜୟଭର୍ଗିୟଙ୍କ ନାଁ ଚର୍ଚ୍ଚାରେ ରହିଛି । ରାଜସ୍ଥାନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ, କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ବତ, ଦିୟା କୁମାରୀ, ବାବା ବାଲକନାଥ, କେନ୍ଦ୍ର ଆଇନ ଓ ନ୍ୟାୟମନ୍ତ୍ରୀ ଅର୍ଜୁନ ରାମ ମେଘଓ୍ବାଲ ପ୍ରମୁଖ ଦାବିଦାର ଅଛନ୍ତି।