ଆମେରିକା, ୟୁରୋପ ଓ WHO ଦ୍ୱାରା ସ୍ୱୀକୃତି ପ୍ରାପ୍ତ ସବୁ ଟିକାକୁ ଭାରତରେ ମିଳିବ ଅନୁମତି

1 min read

ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ପର୍ଯ୍ୟାୟ ଆତଙ୍କ ଖେଳାଇ ଦେଇଛି । ଅନେକ ରାଜ୍ୟ ଟିକା ଅଭାବ କଥା ଉଠାଉଛନ୍ତି । କେନ୍ଦ୍ର ଟିକା ଯୋଗାଇ ଦେବାରେ ବିଫଳ ହୋଇଛି ବୋଲି ଅଭିଯୋଗ ହେଲାଣି । ଏହାରି ଭିତରେ ଟିକା ଅଭାବ ଦୂର କରିବା ପାଇଁ କେନ୍ଦ୍ର ସରକାର ମଙ୍ଗଳବାର ଦିନ ଏକ ବଡ଼ ପଦକ୍ଷେପ ନେଇଛନ୍ତି । କେନ୍ଦ୍ର ସରକାର ସେହି ସବୁ ଟିକାକୁ ଭାରତରେ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି ଯାହାକୁ ଆମେରିକା, ବିଶ୍ୱସ୍ୱାସ୍ଥ୍ୟ ସଂଗଠନ, ବ୍ରିଟେନରେ ଜରୁରୀକାଳିନ ମଞ୍ଜୁରୀ ମିଳିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ,ୟୁରୋପିଆନ୍ ମେଡିକାଲ ଏଜେନ୍ସି, ବ୍ରିଟେନ୍ PMDA,MHRA ଯେଉଁ ସବୁ ଟିକାର ଜରୁରୀ କାଳିନ ବ୍ୟବହାର ପାଇଁ ମଞ୍ଜୁରୀ ଦେଇଛନ୍ତି ତାକୁ ଭାରତରେ ବ୍ୟବହାର କରାଯାଇପାରିବ । ଏହା ପୂର୍ବରୁ ଋଷ୍ ନିର୍ମିତ ସ୍ପୁଟନିକ୍-ଭି ଟିକାକୁ ଦେଶରେ ଜରୁରୀକାଳୀନ ବ୍ୟବହାର ପାଇଁ କେନ୍ଦ୍ର ସରକାର ଅନୁମତି ଦେଇଥିଲେ ।
ସୂଚନାଯୋଗ୍ୟ ଯେ, କରୋନାର ଦ୍ୱିତୀୟ ପର୍ଯ୍ୟାୟ ପ୍ରଥମ ପର୍ଯ୍ୟାୟଠାରୁ ଅଧିକ ଭୟଙ୍କର ରୂପ ନେଇଛି । ଗତବର୍ଷ ଏପ୍ରିଲ ମାସ ୧୩ ତାରିଖରେ ଭାରତରେ ମୋଟ ସଂକ୍ରମିତଙ୍କ ସଂଖ୍ୟ ୧୦ ହଜାର ଥିବା ବେଳେ ଚଳିତ ବର୍ଷ ଏପ୍ରିଲ ୧୩ ତାରିଖରେ ଏହି ସଂଖ୍ୟା ଏକ ଲକ୍ଷରୁ ଅଧିକ ।
ଏହା ଭିତରେ ଟିକା ଅଭାବକୁ ନେଇ କେନ୍ଦ୍ର ସରକାରଙ୍କୁ ବିରୋଧୀ ଘେରିବାରେ ଲାଗିଛନ୍ତି । କେନ୍ଦ୍ର ସରକାର ଟିକା ଯୋଗାଇ ଦେବାରେ ବିଫଳ ହୋଇଛନ୍ତି ବୋଲି ବିରୋଧୀ ସମାଲୋଚନା କରୁଛନ୍ତି । ନିକଟରେ ରାହୁଲ ଗାନ୍ଧୀ କହିଥିଲେ ଯେ, ଥାଳି ପିଟିବା ଓ ଟିକା ଉତ୍ସବ କରିବା ବଦଳରେ ଲୋକଙ୍କୁ ସରକାର ଟିକା ଯୋଗାଇ ଦିଅନ୍ତୁ ।

Leave a Reply