ବିଶ୍ବରେ ବଢ଼ିଚାଲିଛି ମଶାଜନିତ ରୋଗ, ୧୨୯ଟି ରାଷ୍ଟ୍ର ଲାଗି ଡେଙ୍ଗୁ ଓ ଚିକୁନଗୁନିଆ ସୃଷ୍ଟି କରିବ ବିପଦ

1 min read

ନୂଆଦିଲ୍ଲୀ: ସାରା ବିଶ୍ୱରେ ଦ୍ରୁତଗତିରେ ବଢ଼ିଚାଲିଛି ମଶାଜନିତ ରୋଗ । ପ୍ରାୟ ୧୨୯ଟି ରାଷ୍ଟ୍ର ଲାଗି ଡେଙ୍ଗୁ ଓ ଚିକୁନଗୁନିଆ ବିପଦ ସୃଷ୍ଟି କରିବ ବୋଲି ସତର୍କ କରାଇଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ । ଏହା ସହ ଜଳବାୟୁ ପରିବର୍ତ୍ତନ ଯୋଗୁ ମଶାଜନିତ ରୋଗ ବଢ଼ିବାରେ ଲାଗିଛି ବୋଲି କହିଛି ସଂଗଠନ । କେବଳ ଡେଙ୍ଗୁ ଓ ଚିକୁନଗୁନିଆ ନୁହେଁ, ଜିକା ଭାଇରସଜନିତ ରୋଗ ବି ମହାମାରୀ ଆକାର ଧାରଣ କରିପାରେ ବୋଲି ସତର୍କ କରିଛି WHO । ଏହି ତିନିଟିଯାକ ରୋଗ ମୁଖ୍ୟତଃ ଏଡିସ୍ ଏଗେପ୍ଟି ପ୍ରଜାତିର ମଶାଙ୍କ ଦ୍ବାରା ବ୍ୟାପିଥାଏ ।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ସଂଯୋଜକ ରମଣ ଭେଲାୟୁଧନ କହିଛନ୍ତି- ଆଗକୁ ମଶାଙ୍କୁ ନେଇ ବଡ଼ ବିପଦ ଆସୁଥିବାରୁ ଏଥିଲାଗି ସତର୍କତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି । ବର୍ତ୍ତମାନ ବିଶ୍ବର ୧୦୦ଟି ରାଷ୍ଟ୍ରରେ ମଶାଜନିତ ବିଭିନ୍ନ ରୋଗ ଏଣ୍ଡେମିକ ପାଲଟିଯାଇଥିବାବେଳେ ୧୨୯ଟି ରାଷ୍ଟ୍ର ରିସ୍କ ଜୋନରେ ରହିଛନ୍ତି । ୨୦୦୦ ମସିହାରେ ପ୍ରାୟ ୫୦ ଲକ୍ଷ ଲୋକ ମଶାଜନିତ ରୋଗରେ ପୀଡ଼ିତ ଥିବାବେଳେ ୨୦୧୯ରେ ସେମାନଙ୍କ ସଂଖ୍ୟା ହୋଇଛି ପ୍ରାୟ ୫୨ ଲକ୍ଷ ।