କରଞ୍ଜିଆରେ କାହାକୁ ନେତା ବାଛିବେ ଭୋଟର ?

କରଞ୍ଜିଆ: ନିର୍ବାଚନ ତାତି ବଢ଼ିବା ସହ ପ୍ରଚାର ବି ଜୋରସୋରରେ ଚାଲିଛି । ବିଭିନ୍ନ ଦଳର ପ୍ରାର୍ଥୀ ଗାଁରୁ ଗାଁକୁ ବୁଲି କରୁଛନ୍ତି ପ୍ରଚାର । ସବୁ ପ୍ରାର୍ଥୀଙ୍କୁ ଶୁଣୁଛନ୍ତି ଜନତା, ଆଉ କାହାକୁ ନିଜ ପ୍ରାର୍ଥୀ ବାଛିବେ କଷୁଛନ୍ତି ଅଙ୍କ । ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ବିଧାନସଭା ନିର୍ବାଚନ ମଣ୍ଡଳୀରେ କେମିତି ରହିଛି ନିର୍ବାଚନୀ ମାହୋଲ ଆସନ୍ତୁ ନଜର ପକାଇବା ।

କରଞ୍ଜିଆ, ଠାକୁରମୁଣ୍ଡା ଓ ଉଦଳା ବ୍ଲକର ୪୨ଟି ପଞ୍ଚାୟତକୁ ନେଇ କରଞ୍ଜିଆ ବିଧାନସଭା ନିର୍ବାଚନ ମଣ୍ଡଳୀ ଗଠିତ । ଏଠାରେ ଭୋଟର ସଂଖ୍ୟା ୧ ଲକ୍ଷ ୯୭ ହଜାର ୮୬୮ । ସେଥିରେ ପୁରୁଷ ୧ ଲକ୍ଷ ୨ ହଜାର ୨୧ ଜଣ ଥିବା ବେଳେ ମହିଳା ଭୋଟର ୯୭ ହଜାର ୬୪୧ ଜଣ ଅଛନ୍ତି । ତୃତୀୟ ଲିଙ୍ଗୀ ଭୋଟର ସଂଖ୍ୟା ୬ । କରଞ୍ଜିଆ ବିଧାନସଭା ଆସନରେ ବିଜେଡି ବାଜିମାତ୍ କରିଆସିଛି । ଚଳିତ ନିର୍ବାଚନରେ ବିଜେଡିରୁ ବାସନ୍ତୀ ହେମ୍ବ୍ରମ, ବିଜେପିରୁ ପଦ୍ମ ଚରଣ ହାଇବୁରୁ ଓ କଂଗ୍ରେସ ପକ୍ଷରୁ ଲକ୍ଷ୍ମୀଧର ସିଂ ପ୍ରାର୍ଥୀ ହୋଇଛନ୍ତି । ଯୁଗଳ କିଶୋର ନାଏକ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢୁଛନ୍ତି ନିର୍ବାଚନ ।

ଚଳିତ ନିର୍ବାଚନରେ ବିକାଶକୁ ପ୍ରସଙ୍ଗ କରି ଭୋଟରଙ୍କ ପାଖରେ ପହଞ୍ଚୁଛି ବିଜେଡି । କଂଗ୍ରସର ପୂର୍ବରୁ ଯାହା ଅବସ୍ଥା ଥିଲା, ଆଜିବି ସେହି ଅବସ୍ଥା ରହିଛି । ପୁଣି ଥରେ ଇନିଂସ ଆରମ୍ଭ କରିବାକୁ ପ୍ରୟାସ କରୁଛି କଂଗ୍ରେସ । ସେହିଭଳି କରଞ୍ଜିଆ ବିଧାନସଭା ଆସନ ପାଇଁ ବାରମ୍ବାର ବିଫଳ ହେବା ପରେ ଚଳିତ ନିର୍ବାଚନରେ ଏହାକୁ ହାତେଇବାକୁ ଚେଷ୍ଟା ଜାରି ରଖିଛି ବିଜେପି ।

ଗାଁକୁ ଗାଁ ବୁଲି ଭୋଟରଙ୍କୁ ଭେଟୁଛନ୍ତି ପ୍ରାର୍ଥୀ । କେମିତି ନିଜ ସପକ୍ଷରେ ଜନସମର୍ଥନ ପାଇବେ, ସେନେଇ କରୁଛନ୍ତି ପ୍ରୟାସ ।