କିଏ ଜିତିବ ବାଲେଶ୍ବର ସଦର ନିର୍ବାଚନ ମଣ୍ଡଳୀ ?

1 min read

ବାଲେଶ୍ବର: ବାଜିଲାଣି ନିର୍ବାଚନ ବିଗୁଲ । ଅବାଧ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ ପାଇଁ ପ୍ରଶାସନିକ ସ୍ତରରେ କରାଯାଇଛି ଜୋରଦାର ପ୍ରସ୍ତୁତି । ରାଜନୈତିକ ଦଳଗୁଡ଼ିକ ମଧ୍ଯ ନିଜ ନିଜର ଗୋଟି ଚାଳନା ଆରମ୍ଭ କରିଦେଇଛନ୍ତି । ଭୋଟର କାହାକୁ ଦେବ ଭୋଟ ? କାହା ମୁଣ୍ଡରେ ଢଳାହେବ ସୁନାକଳସ ? ତାକୁ ନେଇ ଆରମ୍ଭ ହୋଇଯାଇଛି କଳ୍ପନାଜଳ୍ପନା । ବାଲେଶ୍ବର ନିର୍ବାଚନ କ୍ଷେତ୍ରରେ କିଏ ମାରିବ ବାଜି ? କ’ଣ ରହିଛି ସ୍ଥିତି, ତାକୁ ନେଇ ଏବେ ସବୁଠି ଚର୍ଚ୍ଚା ।

ଚାହା ଖଟି ଠାରୁ କଚେରୀ, ସବୁଠି ନିର୍ବାଚନୀ ଚର୍ଚ୍ଚା । ଏଥର ନିର୍ବାଚନ ଉପରେ ରହିଛି ସମସ୍ତଙ୍କ ଆଖି । ଭୌଗଳିକ ଦୃଷ୍ଟିରୁ ବାଲେଶ୍ବର ଜିଲ୍ଲାର ମଝିରେ ରହିଛି ସଦର ନିର୍ବାଚନ ମଣ୍ଡଳୀ । ଏଥିରେ ବାଲେଶ୍ବର ମ୍ୟୁନିସିପାଲିଟିର ୩୧ ଟି ଓ୍ବାର୍ଡ଼ ସହିତ ୨୬ଟି ପଞ୍ଚାୟତର ୩୫୧ ଓ୍ବାର୍ଡ଼ ରହିଛି । ମୋଟ ୧ ଲକ୍ଷ ୩୩ ହଜାର ୩୪୧ ଜଣ ଭୋଟର । ୨୬ଟି ପଞ୍ଚାୟତରେ ମହିଳା ଭୋଟରଙ୍କ ସଂଖ୍ୟା ୬୪ ହଜାର ୪୬ ଥିବାବେଳେ, ପୁରୁଷ ଭୋଟରଙ୍କ ସଂଖ୍ୟା ୬୯ ହଜାର ୨୮୭ ଓ ତୃତୀୟ ଲିଙ୍ଗ ଭୋଟର ଅଛନ୍ତି ୮ । ସେହିପରି ମ୍ୟୁନିସିପାଲିଟିର ୯୧ ହଜାର ୮୨୭ ଭୋଟର ଏଥର ଭୋଟ ଦେବେ । ୩୧ଟି ଓ୍ବାର୍ଡ଼ରେ ମହିଳା ଭୋଟରଙ୍କ ସଂଖ୍ୟା ୪୬ ହଜାର ୯୨୪, ପୁରୁଷ ଭୋଟରଙ୍କ ସଂଖ୍ୟା ୪୪ ହଜାର ୮୯୯ ଓ ତୃତୀୟ ଲିଙ୍ଗ ଭୋଟରଙ୍କ ସଂଖ୍ୟା ଅଛି ୪ । ୨୦୦୦ରୁ ୨୦୨୦ ଉପ-ନିର୍ବାଚନ ପର୍ଯ୍ୟନ୍ତ ଫଳାଫଳକୁ ଦେଖିଲେ ଏହି ନିର୍ବାଚନ ମଣ୍ଡଳୀରେ ରହିଛି ବିଜେଡ଼ିର ଦବଦବା । ଲୋକଙ୍କ କହିବା କଥା ବିକାଶ ଯେଉଁଠି, ସମର୍ଥନ ସେଇଠି ।

ସ୍ଥାନୀୟ ଅଞ୍ଚଳର ବିକାଶର ପ୍ରସଙ୍ଗ ବିଗତ ନିର୍ବାଚନଗୁଡ଼ିକର ଫଳାଫଳକୁ ପ୍ରଭାବିତ କରିବାରେ ସଫଳ ହୋଇଛି । ତେଣୁ ଆସନ୍ତା ନିର୍ବାଚନରେ ମଧ୍ୟ ଏହି ଅଞ୍ଚଳର ପ୍ରମୁଖ ପ୍ରସଙ୍ଗଗୁଡ଼ିକ ମୁଦ୍ଦା ଭାବେ ନେତାଙ୍କ ସାମ୍ନାକୁ ଆସିବ । କଂଗ୍ରେସ ଓ ବିଜେପି ଏଠାରେ ନିଜର ସ୍ଥିତି ଜାହିର କରିବାକୁ ଆରମ୍ଭ କରିଦେଇଥିବାବେଳେ ବିକାଶର ବାର୍ତ୍ତା ଦେଇ ଲୋକଙ୍କ ନିକଟରୁ ଯିବ ବିଜେଡ଼ି ।

୨୦୦୦ ରେ ଏହି ବିଧାନସଭା ଆସନରୁ ବିଜେପି ଦଳର ଜୀବନ ପ୍ରଦୀପ ଦାସ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୨୦୦୪ରେ ଏହି ଆସନ ବିଜେପି ହାତରୁ ଖସି ଓଡ଼ିଶା ଗଣ ପରିଷଦର ପ୍ରାର୍ଥୀ ଅରୁଣ ଦେଙ୍କ ହାତକୁ ଯାଇଥିଲା । ୨୦୦୯ରେ ବିଜେଡ଼ି ନିଜ ଅକ୍ତିଆରକୁ ଆଣିଥିଲା ଏହି ଆସନ । ୨୦୦୯ ଓ ୨୦୧୪ ନିର୍ବାଚନରେ ଲଗାତର ଭାବେ ବିଜେଡିର ଜୀବନ ପ୍ରଦୀପ ଦାସ ଯଥାକ୍ରମେ ୫୫ ହଜାର ୭୧୦ ଓ ୪୭ ହଜାର ୬୧୫ ଖଣ୍ଡ ଭୋଟ ପାଇ ନିର୍ବାଚିତ ହୋଇଥିଲେ । ୨୦୧୯ ନିର୍ବାଚନରେ ମଦନ ମୋହନ ଦତ୍ତ ୭୪ ହଜାର ୮୧୫  ଖଣ୍ଡ ଭୋଟ ହାସଲ କରି ପୁଣି ବିଜେପି ଖାତାରେ ଏହି ଆସନକୁ ଯୋଡ଼ି ଦେଇଥିଲେ । ତାଙ୍କର ଦେହାନ୍ତ ପରେ ୨୦୨୦ରେ ସଦର ଆସନରେ ଉପ-ନିର୍ବାଚନ ହୋଇଥିଲା । ଏହି ନିର୍ବାଚନରେ ଭୋଟରମାନେ ପୁଣି ବିଜେଡ଼ିର ସ୍ବରୂପ ଦାସଙ୍କୁ ୮୪ ହଜାର ୯୭ ଖଣ୍ଡ ଭୋଟଦେଇ ବିଜୟ ମୁକୁଟ ପିନ୍ଧାଇଥିଲେ ।