ଅଯୋଧ୍ୟା ରାମ ମନ୍ଦିର ପାଇଁ କାହିଁକି ଭକ୍ତଙ୍କଠାରୁ ମଗା ଯାଉଛି ତମ୍ବା ରଡ଼ ?

1 min read

ଅଯୋଧ୍ୟା: ଅଯୋଧ୍ୟାରେ ବହୁ ପ୍ରତୀକ୍ଷିତ ଭବ୍ୟ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଏହାରି ଭିତରେ ଗୁରୁବାର ଶ୍ରୀ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ବୈଠକ ଦିଲ୍ଲୀରେ ଅନୁଷ୍ଠିତ ହୋଇଛି । ବୈଠକରେ ଟ୍ରଷ୍ଟର ମହାସଚିବ ଓ ବିଶ୍ୱ ହିନ୍ଦୁ ପରିଷଦ ନେତା ଚମ୍ପତ ରାୟ ମନ୍ଦିର ନିର୍ମାଣ ପାଇଁ ପ୍ରାୟ ୧୦ ହଜାର ତମ୍ବା ରଡ଼ ବ୍ୟବହାର ନେଇ କହିଥିଲେ । ଯାହାକି ମନ୍ଦିର ନିର୍ମାଣ ପାଇଁ ଲୋକମାନେ ଚାହିଁଲେ ଦାନ କରିପାରିବେ । ସୂଚନା ମୁତାବକ, ମନ୍ଦିର ନିର୍ମାଣରେ ତମ୍ବାର ଉପଯୋଗ କଳଙ୍କି ମୁକ୍ତ ରଖିଥାଏ । ଯାହାକି ମନ୍ଦିରକୁ ହଜାରେ ବର୍ଷ ଧରି ସଶକ୍ତ ରଖିଥାଏ । ଏହି ପ୍ରକାରେ ନ୍ୟୁୟର୍କ ଷ୍ଟାଚ୍ୟୁ ଅଫ୍ ଲିବର୍ଟିରେ ମଧ୍ୟ ତମ୍ବାର ବ୍ୟବହାର କରାଯାଇଛି ।

ଶ୍ରୀ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟଙ୍କ କହିବା ପ୍ରକାରେ- ଅଯୋଧ୍ୟାରେ ଭଗବାନ ରାମଙ୍କ ମନ୍ଦିର ୩୬ରୁ ୪୦ ମାସ ମଧ୍ୟରେ ସମ୍ପୂର୍ଣ୍ଣ ଭାବେ ନିର୍ମାଣ ସରିବ । ମନ୍ଦିର ନିର୍ମାଣରେ ଏକ ଗ୍ରାମ ଲୁହାର ବ୍ୟବହାର କରାଯିବ ନାହିଁ । ନିର୍ମାଣରେ ଲର୍ସନ ଆଣ୍ଡ ଟୁବ୍ରୋ କମ୍ପାନୀ, ଆଇଆଇଟିର ଇଞ୍ଜିନିୟରଙ୍କ ବୈଷୟିକ ସହାୟତା ନିଆଯାଉଛି । ମନ୍ଦିର ସ୍ଥଳରୁ ମିଳିଥିବା ଅବଶେଷକୁ ଶ୍ରଦ୍ଧାଳୁ ଦର୍ଶନ କରିପାରିବା ନେଇ ମଧ୍ୟ ବ୍ୟବସ୍ଥା କରାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଦେଶର ସମ୍ପତ୍ତି ବୋଲି କହି ସାରିଛନ୍ତି ।

ମନ୍ଦିର ନିର୍ମାଣରେ ଦରକାର ୧୦ ହଜାର ତମ୍ବା ରଡ୍

ମନ୍ଦିର ନିର୍ମାଣ ସ୍ଥାନର ମାଟିର ଶକ୍ତି ପରୀକ୍ଷା ପାଇଁ ଆଇଆଇଟି ଚେନ୍ନାଇର ପରାମର୍ଶ ନିଆଯାଇଛି । ୬୦ ମିଟର ଗଭୀର ଯାଏଁ ମାଟିର ଯାଞ୍ଚ କରାଯାଇଛି । ଭୂମିକମ୍ପ ଆସିଲେ ଏଠାକାର ମାଟି ତାର ଝଟକାକୁ କେତେ ସମ୍ଭାଳି ପାରିବ ତାର ମଧ୍ୟ ଯାଞ୍ଚ କରାଯାଇଥିବା ଚମ୍ପତ ରାୟ ସୂଚନା ଦେଇଛନ୍ତି । ତେବେ, ରାମ ମନ୍ଦିର ନିର୍ମାଣରେ ଗୋଟିଏ ଗ୍ରାମ୍ ମଧ୍ୟ ଲୁହାର ବ୍ୟବହାର କରାଯିବ ନାହିଁ । ରାମ ମନ୍ଦିର ତିନି ଏକର ଜମିରେ ରହିବ । ମନ୍ଦିର ନିର୍ମାଣରେ ୧୦ ହଜାର ତମ୍ବା ରଡ୍ ଉପଯୋଗ କରାଯିବ । ଏଥିପାଇଁ ଦାନର ଆବଶ୍ୟକତା ରହିଛି ।

ତମ୍ବାର ବିଶେଷ ଗୁଣ

ମାନବ ସଭ୍ୟତାର ଇତିହାସରେ ତମ୍ବାର ସ୍ୱତନ୍ତ୍ର ସ୍ଥାନ ରହିଛି । ପ୍ରାଚୀନ କାଳରେ ସବୁଠୁ ଅଧିକ ପ୍ରୟୋଗ ବା ବ୍ୟବହାର ହେଉଥିବା ଧାତୁ ହେଉଛି ତମ୍ବା ଓ କାଂସ୍ୟ (କଂସା) । ନିର୍ମାଣ ସମୟରେ ତମ୍ବା ପାଣିରେ ପ୍ରତିକ୍ରିୟା ଦେଖାଏ ନାହିଁ ବରଂ ଧୀରେ ଧୀରେ ଅକ୍ସାଇଡ୍ ତିଆରି କରେ । କିନ୍ତୁ, ଲୁହା ସମ୍ପୂର୍ଣ୍ଣ ଭାବେ ଏହାର ବିପରୀତ ଅଟେ । ଲୁହାରେ କଳଙ୍କି ଲାଗିବା ସହ ଏହାର ଅକ୍ସାଇଡ୍ ଉପରେ ଏକ ପରସ୍ତ ତିଆରି କରିନିଏ । ଯାହା ଫଳରେ ଅକ୍ସିକରଣ ବାଧାପ୍ରାପ୍ତ ହୁଏ ।

Leave a Reply