ଉପରାଷ୍ଟ୍ରପତି ପଦରୁ କାହିଁକି ଇସ୍ତଫା ଦେଲେ ଜଗଦୀପ ଧନଖଡ଼?

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ପଦରୁ ଜଗଦୀପ ଧନଖଡ଼ ଇସ୍ତଫା ଦେବା ପରେ ଏବେ ରାଜନୈତିକ ମହଲରେ ବଡ଼ ଚର୍ଚ୍ଚା ଜାରି ରହିଛି । କାର୍ଯ୍ୟକାଳ ସରିବାର ୨ ବର୍ଷ ପୂର୍ବରୁ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ଶ୍ରୀ ଧନଖଡ଼ ନିଜ ପଦ ଛାଡ଼ିଛନ୍ତି । ତେବେ ଅଚାନକ ଧନଖଡ଼ କାହିର୍କି ଇସ୍ତଫା ଦେଲେ ବୋଲି ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଜାରି ରହିଥିବା ବେଳେ ଏନେଇ ଆସିଛି ଏକ ବଡ଼ ଖବର । ଏହି ଇସ୍ତଫା ପଛରେ ସ୍ବାସ୍ଥ୍ୟ ସମସ୍ୟା ଠାରୁ ଆହୁରି ଗମ୍ଭୀର କାରଣ ରହିଛି ବୋଲି କଂଗ୍ରେସ ପକ୍ଷରୁ ଦାବି କରାଯାଇଛି । ଭେଙ୍କେୟା ନାଇଡୁଙ୍କ ପରେ ୨୦୨୨ ମସିହା  ଅଗଷ୍ଟ ୧୧ ତାରିଖରେ ଧନଖଡ଼ ଭାରତର ଉପରାଷ୍ଟ୍ରପତି ପଦ ଗ୍ରହଣ କରିଥିଲେ । ଉପରାଷ୍ଟ୍ରପତି କାର୍ଯ୍ୟକାଳ  ୫ ବର୍ଷ ପାଇଁ ହୋଇଥାଏ । ଆସନ୍ତା ୨୦୨୭ ମସିହା ଅଗଷ୍ଟ ମାସରେ ଧନଖଡ଼ଙ୍କ କାର୍ଯ୍ୟକାଳ ସରିଥାନ୍ତା, ମାତ୍ର ତା’ ପୂର୍ବରୁ ସେ ପଦ ଛାଡ଼ିଛନ୍ତି । ନିଜ କାର୍ଯ୍ୟକାଳ ମଧ୍ୟରେ ସେ ପଦ ଛାଡ଼ିଛନ୍ତି । ଏହା କରିବାରେ ସେ ତୃତୀୟ ଉପରାଷ୍ଟ୍ରପତି ହୋଇଛନ୍ତି । ତାଙ୍କ ପୂର୍ବରୁ ଭିଭି ଗିରି ଓ ଭୌରା ସିଂହ ଶେଖାଓ୍ବତ ମଧ୍ୟ କାର୍ଯ୍ୟକାଳ ସରିବା ପୂର୍ବରୁ ଇସ୍ତଫା ଦେଇଥିଲେ ।

ତେବେ ଇସ୍ତଫା ପଛର କାରଣ ସ୍ବାସ୍ଥ୍ୟ ସମସ୍ୟା ଠାରୁ ଆହୁରି ଗମ୍ଭୀର ବୋଲି କଂଗ୍ରେସ କହିଛି । ଧନଖଡ଼ଙ୍କ ଇସ୍ତଫା ତାଙ୍କ ପାଇଁ ଠିକ୍ ହୋଇପାରେ, ମାତ୍ର ଅନେକଙ୍କ ପାଇଁ ଖରାପ । ଏହି ଖରାପ ସେହି ମାନଙ୍କ ପାଇଁ ଯେଉଁମାନେ ତାଙ୍କୁ ଏହି ପଦରେ ନିର୍ବାଚିତ କରାଇଥିଲେ । ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ଏହି ପ୍ରସଙ୍ଗରେ ଏକ ବଡ଼ ପ୍ରଶ୍ନ କରିଛନ୍ତି । ଜୁଲାଇ ୨୧ ତାରିଖ ଦ୍ବିପ୍ରହର ୧ଟାରୁ ଅପରାହ୍ଣ ସାଢ଼େ ୪ଟା ମଧ୍ୟରେ କିଛି ବଡ଼ ଘଟଣା ଘଟିଥିବା ରମେଶ କହିଛନ୍ତି । ସେହି କାରଣରୁ ସେ ଦ୍ବିତୀୟ କାର୍ଯ୍ୟ ମନ୍ତ୍ରଣା ସମିତି (ବିଏଏସି)ରୁ ଜାଣିଶୁଣି ଅନୁପସ୍ଥିତ ରହିଥିଲେ । ଜୁଲାଇ ୨୧ରେ ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିନ ଦ୍ବିପ୍ରହର ୧୨.୩୦ରେ ରାଜ୍ୟସଭାର ବିଏଏସିର ଅଧ୍ୟକ୍ଷତା କରିଥିଲେ ଧନଖଡ଼ ।

ସେଥିରେ ଗୃହରେ ଜେପି ନଡ୍ଡା ଓ ସଂସଦୀୟ କାର୍ଯ୍ୟ ମନ୍ତ୍ରୀ କିରେନ ରିଜିଜୁଙ୍କ ସମେତ ଅଧିକାଂଶ ସଦସ୍ୟ ଭାଗ ନେଇଥିଲେ । କିଛି ଚର୍ଚ୍ଚା ପରେ ଅପରାହ୍ଣ ୪.୩୦ରେ ବୈଠକ କରିବାକୁ ବିଏଏସି ନିଷ୍ପତ୍ତି ନେଇଥିଲା । ଏକ ଅଦ୍ଭୂତପୂର୍ଣ୍ଣ ପଦକ୍ଷେପ ସ୍ବରୂପ ଧନଖଡ଼ ନିଜ ପଦରୁ ଇସ୍ତଫା ଦେଇଥିବା ରମେଶ କହିଛନ୍ତି । ନିଜ ସ୍ବାସ୍ଥ୍ୟ କାରଣରୁ ସେ ପଦ ଛାଡ଼ିଥିବା ଉଲ୍ଲେଖ କରିଛନ୍ତି । ତାଙ୍କୁ ସମ୍ମାନ ଦେବା ଉଚିତ । ମାତ୍ର ଏହା ସତ ଯେ, ଇସ୍ତଫା ପଛରେ ଆହୁରି ଗଭୀର କାରଣ ରହିଛି ବୋଲି ରମେଶ କହିଛନ୍ତି ।