ଜଗଦୀପ ଧନଖଡ଼ କାହିଁକି ଦେଲେ ଇସ୍ତଫା ? ସରକାରକୁ ସ୍ପଷ୍ଟୀକରଣ ଦେବାକୁ ଦାବି

1 min read

ନନ୍ଦିଘୋଷ ବ୍ୟୁରୋ : ଉପରାଷ୍ଟ୍ରପତି ପଦରୁ ଜଗଦୀପ ଧନଖଡଙ୍କ ହଠାତ୍ ଇସ୍ତଫାକୁ ନେଇ ଦିଲ୍ଲୀରେ ଚର୍ଚ୍ଚା ଜୋର। କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ଏ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଉପ ରାଷ୍ଟ୍ରପତିଙ୍କ ଇସ୍ତଫା ପଛରେ ଗଭୀର କାରଣ ରହିଥିବା ସେ ଉଲ୍ଲେଖ କରିଛନ୍ତି। ଗତକାଲି ଅପରାହ୍ନ ୧ଟାରୁ ୪.୩୦ ମିନିଟ୍ ମଧ୍ୟରେ କଣ ହୋଇଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି।

ଧନଖଡ ସ୍ବାସ୍ଥ୍ୟଗତ କାରଣରୁ ଇସ୍ତଫା ଦେଉଥିବା ଉଲ୍ଲେଖ କରୁଥିବାରୁ ଏହାକୁ ଆମେ ସମ୍ମାନ କରୁଛୁ ବୋଲି ଜୟରାମ କହିବା ସହ କିଛି ପ୍ରସଙ୍ଗକୁ ମଧ୍ୟ ଉଲ୍ଲେଖ କରିଛନ୍ତି। ସେ ଏକ୍ସରେ ଲେଖିଛନ୍ତି ଯେ, ଜୁଲାଇ ୨୧, ସୋମବାର ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଥିଲା। ଦିନ ପ୍ରାୟ ୧୨ଟା ୩୦ରେ ବିଜନେସ୍ ଆଡଭାଇଜରୀ କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବହୁ ସଦସ୍ୟ ଯୋଗଦେଇଥିଲେ। ବୈଠକରେ ସରକାରଙ୍କ ୨ ମନ୍ତ୍ରୀ କିରଣ ରିଜିଜୁ ଓ ଜେ.ପି ନଡ୍ଡା ମଧ୍ୟ ଉପସ୍ଥିତ ଥିଲେ। ପରେ ୪.୩୦ରେ ପୁଣିଥରେ BAC ଆରମ୍ଭ ହୋଇଥିଲା କିନ୍ତୁ ଏଥର ନଡ୍ଡା ଓ ରିଜିଜୁ ଉପସ୍ଥିତ ହୋଇନଥିଲେ। ସେମାନଙ୍କୁ କିଛି ସମୟ ଅପେକ୍ଷା କରାଯାଇଥିବା ମଧ୍ୟ ରମେଶ କହିଛନ୍ତି। ତେବେ ଦିନ ଗୋଟାଏରୁ ସାଢ଼େ ୪ଟା ମଧ୍ୟରେ କଣ ଘଟିଲା ବୋଲି କଂଗ୍ରେସ ପ୍ରଶ୍ନ କରିଛି।

ଚଳିତମାସ ଆରମ୍ଭରୁ JNUର ଏକ ବୈଠକରେ ଧନଖଡ଼ କହିଥିଲେ ଯେ, ସେ ୨୦୨୭ରେ ଅବସର ଗ୍ରହଣ କରିବେ। ତେବେ ଏହା ପୂର୍ବରୁ କେମିତି ହଠାତ୍ ସେ ପଦଛାଡ଼ିଲେ ତାକୁ ନେଇ ନାନା ଆଲୋଚନା ଆରମ୍ଭ ହୋଇଛି। ଏବେ ଧନଖଡ଼ଙ୍କ ଇସ୍ତଫା ପରେ କିଏ ହେବ ପରବର୍ତ୍ତୀ ଉପରାଷ୍ଟ୍ରପତି ଏହାକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି। ଉପରାଷ୍ଟ୍ରପତି ନିର୍ବାଚନ ନେଇ ଖୁବଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇପାରେ। ନିର୍ବାଚନ କମିଶନ ଏ ନେଇ ବିଜ୍ଞପ୍ତି ପ୍ରକାଶ କରିପାରନ୍ତି। କାର୍ଯ୍ୟାକାଳ ପୂରିବାର ୨ ବର୍ଷ ପୂର୍ବରୁ ଗତକାଲି ରାତିରେ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ନିଜ ପଦରୁ ଇସ୍ତଫା ଦେଇଥିଲେ ଉପରାଷ୍ଟ୍ରପତି। ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ପଠାଇଥିଲେ ତାଙ୍କର ଇସ୍ତଫାପତ୍ର।