ମହାକାଳେଶ୍ବରଙ୍କ ଧାମ ଉଜ୍ଜୟିନରେ ରାତିରେ ରହିବାକୁ ମୁଖ୍ୟମନ୍ତ୍ରୀଙ୍କୁ କାହିଁକି ମନା କରାଯାଏ ?

ନନ୍ଦିଘୋଷ ବ୍ୟୁରୋ: ହିନ୍ଦୁ ଧର୍ମର ୧୨ ଜ୍ୟୋର୍ତିଲିଙ୍ଗ ମଧ୍ୟରେ ମଧ୍ୟପ୍ରଦେଶ ଉଜ୍ଜୟିନର ମହାକାଳେଶ୍ବରଙ୍କ ପୀଠ ଅନ୍ୟତମ । ହିନ୍ଦୁ ଧର୍ମ ଶାସ୍ତ୍ରରେ ଏହାକୁ ମୋକ୍ଷ ପ୍ରାପ୍ତିର ସ୍ଥାନ ବୋଲି ବିବେଚନା କରାଯାଇଥାଏ । ଏଠାକୁ ଦର୍ଶନ କରିବାକୁ ଦେଶ ବିଦେଶରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଆଗମନ ହୋଇଥାଏ । ଯେମିତି ଅନ୍ୟ ହିନ୍ଦୁ ମନ୍ଦିରର ଅନେକ ରହସ୍ୟ ରହିଛି, ଉଜ୍ଜୟିନର ମହାକାଳେଶ୍ବର ବାବାଙ୍କର ବି ରହସ୍ୟ ରହିଛି, ଯାହା ବହୁ ଲୋକଙ୍କୁ ଅଜଣା । ଆମେ ଉଜ୍ଜୟିନର ଏମିତି ଏକ ରହସ୍ୟ ସମ୍ପର୍କରେ କହିବାକୁ ଯାଉଛୁ, ଯାହା ଜାଣିଲେ ଆପଣି ବି ମହାକାଳେଶ୍ବରଙ୍କ ଶକ୍ତି ଆଗରେ ଭକ୍ତିରେ ଲିନ ହୋଇଯିବେ ।
ସୂଚନାଯୋଗ୍ୟ, ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀଙ୍କୁ ସେଠିକାର ରାଜା କୁହାଯାଇଥାଏ । ଆଉ ଉଜ୍ଜୟିନରେ ରାତିରେ କୌଣସି ରାଜାଙ୍କୁ ରହିବାର ଅନୁମତି ନଥାଏ । ତେବେ ଏମିତି କାହିଁକି ଆସନ୍ତୁ ଜାଣିବା ।
ଧାର୍ମିକ ମାନ୍ୟତା ଅନୁସାରେ, ଉଜ୍ଜୟିନର ରାଜା ଭାବେ ମହାକାଳଙ୍କୁ ମାନ୍ୟତା ମିଳିଛି । ଆଉ ସେହି ଏଠିକାର ଜନତାଙ୍କ ରକ୍ଷକ । ଏହି କାରଣରୁ ଏଠାରେ ଅନ୍ୟ କୌଣସି ରାଜାଙ୍କୁ ରହିବାକୁ ଅନୁମତି ମିଳି ନଥାଏ । ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କୁ ରାଜା ବୋଲି ଲୋକେ ମାନି ଥାନ୍ତି । ଏହି କାରଣରୁ ଏଠାରେ କୌଣସି ରାଜାଙ୍କୁ ଏଠାରେ ରାତିରେ ରହିବାକୁ ଅନୁମତି ଦିଆଯାଇ ନଥାଏ । ଏମିତି ବିଶ୍ବାସ ରହିଛି, ଏଠାରେ କୌଣସି ରାଜା (ମୁଖ୍ୟମନ୍ତ୍ରୀ କି ପ୍ରଧାନମନ୍ତ୍ରୀ) ରାତିରେ ରହିଲେ ତାଙ୍କ ଶାସନର ଅନ୍ତ ହୋଇଯାଇଥାଏ ।
ତେବେ ଏମିତି କଥାକୁ ନେଇ କୌଣସି ପ୍ରମାଣ ନାହିଁ । ତଥାପି ବିଶ୍ବାସକୁ ଆଧାର କରି ଏଠାରେ କୌଣସି ପ୍ରଧାନମନ୍ତ୍ରୀ କି ମୁଖ୍ୟମନ୍ତ୍ରୀ ରାତିରେ ରହି ନଥାନ୍ତି । ଯେଉଁମାନେ ଆସିଥାନ୍ତି, ସେମାନେ ମହାକାଳେଶ୍ବରଙ୍କ ଦର୍ଶନ କରିବା ପରେ ଫେରିଯାଇଥାନ୍ତି ।