ଟ୍ରମ୍ପଙ୍କ ଚାବି ଚୀନ ପାଖରେ: ବିଳିବିଳେଇ ହେଉଛନ୍ତି ଆମେରିକାର ଡନ୍, ଦେଇଦେଲେ ୧୫୫ ପ୍ରତିଶତ ଟାରିଫ ଧମକ

ନନ୍ଦିଘୋଷ ବ୍ୟୁରୋ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜିକାଲି ଚୀନ ଉପରେ ଟାରିଫ ମାଡ଼ କରିବାରେ ଲାଗିଛନ୍ତି । ଯାହାଦ୍ବାରା ଚୀନର ଅର୍ଥ ବ୍ୟବସ୍ଥା ଧିମା ହେବାରେ ଲାଗିଛି । ଜୁଲାଇ-ସେପ୍ଟେମ୍ବରରେ ଚୀନ ଅର୍ଥ ବ୍ୟବସ୍ଥା ଗତ ଏକବର୍ଷରେ ସବୁଠାରୁ ନିମ୍ନ ସ୍ଥରକୁ ଚାଲିଯାଇଛି । ଆମେରିକା ପକ୍ଷରୁ ଚୀନ ଉପରେ ୧୦୦ ପ୍ରତିଶତ ଟାରିଫ ଲଗାଇବାକୁ ଘୋଷଣା କରାଯାଇ ସାରିଛି । ଯାହା ନଭେମ୍ବର ୧ ତାରିଖରେ ଲାଗୁ ହେବ । ଏହାପରେ ବି ଟ୍ରମ୍ପଙ୍କ ମନ ବୁଝିନି । ଆଉ ସେ ଜିନପିଙ୍ଗଙ୍କୁ ୧୫୫ ପ୍ରତିଶତ ଟାରିଫ ଲଗାଇବାକୁ ଧମକ ଦେଇ ଦେଇଛନ୍ତି । ଆସନ୍ତୁ ଜାଣିବା ଚୀନ, ଟ୍ରମ୍ପଙ୍କ ଏମିତି କେଉଁ ଚିନ୍ତାକୁ ନିଜ ନିୟନ୍ତ୍ରଣରେ ରଖିଛି ଯାହା ଫଳରେ ସେ ବିଳିବିଳେଇ ହେଉଛନ୍ତି ଓ ବାରମ୍ବାର ଟାରିଫ ଟାରିଫ ଚିଲ୍ଲାଉଛନ୍ତି ।
ଟାରିଫ ବଢ଼ାଇବା ପରେ ଟ୍ରମ୍ପ ପ୍ରଥମ କରି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ସାକ୍ଷାତ କରିବାକୁ ଯାଉଛନ୍ତି । ଯାହାକୁ ନେଇ ଟ୍ରମ୍ପ ପଜେଟିଭ ଥିବା ବେଳେ ଉଭୟଙ୍କ ମଧ୍ୟରେ ସାନଦାର ଡିଲ ହେବ । ଏହାସହ ଚୀନକୁ ଧମକ ଦେବାକୁ ବି ଭୁଲି ନାହାନ୍ତି ଟ୍ରମ୍ପ । ସେ କହିଛନ୍ତି,ଯଦି କୌଣସି ଚୁକ୍ତି ନହେଲା, ତେବେ ଚୀନ ଉପରେ ୧୫୫ ପ୍ରତିଶତ ଟାରିଫ ଲାଗିବ ।
ଚୀନର ଚାଲାକି
ସୂଚନାଯୋଗ୍ୟ, ରିୟର ଆର୍ଥ ମିନେରାଲ୍ସ ରପ୍ତାନୀ ଉପରେ ଚୀନ ଆଙ୍କୁଶ ଲଗାଇଛନ୍ତି । ଯାହା ସ୍ମାର୍ଟଫୋନ, ଫଶଇଟର ଜେଟ୍, ଇଭି ଗାଡି ପରି ହାଇଟେକ ଉତ୍ପାଦ ପାଇଁ ବହୁତ ଗୁରୁତ୍ବପୂର୍ଣ୍ଣ । ରିୟର ଆର୍ଥ ମିନେରାଲ୍ସ ପ୍ରୋସେସିଙ୍ଗ ଉପରେ ଚୀନର ଦବଦବା ରହିଛି । ଏବେ ନୂଆ ନିୟମ ଅନୁସାରେ ବିଦେଶୀ କମ୍ପାନୀଙ୍କୁ ଚୀନ ସରକାରଙ୍କ ପାଖରୁ ଏହି ଉତ୍ପାଦ ଆମଦାନୀ ପାଇଁ ଅନୁମତି ନେବାକୁ ପଡିବ । ଯେଉଁଥିରେ କିଛି ମାତ୍ରାରେ ବି ରିୟର ଆର୍ଥ ମିନେରାଲ୍ସ ବ୍ୟବହାର ହେଉଥିବ ସେଥିପାଇଁ ବି ଅନୁମତି ନେବାକୁ ପଡିବ । ଏହାସହ ଏହା ବି କହିବାକୁ ପଡିବ ରିୟର ଆର୍ଥ ମିନେରାଲ୍ସକୁ କେଉଁଠି ଓ କେମିତି ବ୍ୟବହାର କରାଯିବ ।