ସ୍ୱାମୀଙ୍କୁ ମାରିବାକୁ ସ୍ତ୍ରୀ ଦେଇଥିଲେ ୨ ଲକ୍ଷ ଟଙ୍କା ସୁପାରୀ

ମୁମ୍ବାଇ: ପୁଅ ପୁଅ ହେଉଥିବା ସ୍ୱାମୀଙ୍କୁ ମାରିବାକୁ ସ୍ତ୍ରୀ ଦେଇଥିଲେ ୨ ଲକ୍ଷ ଟଙ୍କା ସୁପାରୀ । ନିର୍ଯାତନା ପହଁଚିଥିଲା ଚରମ ସିମାରେ । ଶେଷରେ ସ୍ବାମୀକୁ ହତ୍ୟା କରିବାକୁ ସ୍ତ୍ରୀ ଦେଇଥିଲା ସୁପାରୀ । ପୁଅ ଚାହୁଁଥିଲେ ସ୍ୱାମୀ । କିନ୍ତୁ ପୁଅ ହେଉ ନଥିଲା । ସେଥିପାଇଁ ସ୍ତ୍ରୀଙ୍କୁ ଦେଉଥିଲେ ନିର୍ଯାତନା । ପୁଣି ଥରେ ବିବାହ କରିବେ ବୋଲି ବାରମ୍ବାର ଦେଉଥିଲେ ଧମକ। ନିର୍ଯାତନା ଅସହ୍ୟ ହେବାରୁ ସ୍ୱାମୀଙ୍କୁ ମାରିବାକୁ ୨ ଲକ୍ଷ ଟଙ୍କା ସୁପାରୀ ଦେଇଥିଲେ ସ୍ତ୍ରୀ । ସ୍ୱାମୀ ଆଇସିୟୁରେ ଭର୍ତ୍ତି ହୋଇଥିବା ବେଳେ ସ୍ତ୍ରୀକୁ ଗିରଫ କରିଛି ପୁଲିସ୍ । ଘଟଣାଟି ଘଟିଛି ମହାରାଷ୍ଟ୍ରର ପୁନେର ନିଗଡୀ ଥାନାର ଅକୁର୍ଡି ଅଞ୍ଚଳରେ । ପୁଲିସ୍ ଉକ୍ତ ମହିଳା ଙ୍କ ସହିତ ଆଉ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନେ ହେଉଛନ୍ତି ଅମନ ପୂଜାରୀ ଓ ଶିବମ ଦୁବେ। ଅମନ ଓ ଶିବମଙ୍କ ନାଁରେ ପୂର୍ବରୁ ଥାନାରେ ମାମଲା ରହିଛି ।

୭ଟି ଝିଅଙ୍କ ମା’ଏହି ମହିଳା ଜଣଙ୍କ ସ୍ୱାମୀଙ୍କ ନିର୍ଯାତନାରେ ଅତିଷ୍ଠ ହୋଇସାରିଥିଲେ। ସେଥିପାଇଁ ନିଜେ ତାଙ୍କୁ ବିଷ ଦେଇ ହତ୍ୟା କରିବାକୁ ପୂର୍ବରୁ ପ୍ରୟାସ କରିଥିଲେ। ସେଥିରେ ସଫଳ ନହେବାରୁ ସେ ଅମନ ଓ ଶିବମଙ୍କୁ ୨ ଲକ୍ଷ ଟଙ୍କା ଦେଇ ସ୍ୱାମୀଙ୍କୁ ହତ୍ୟା କରିବାକୁ କହିଥିଲେ।

ଏହି ମହିଳାଙ୍କ ଜଣେ ଝିଅ ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ, ଡିସେମ୍ବର ୭ ତାରିଖ ରାତି ପ୍ରାୟ ସାଢ଼େ ୯ଟା ବେଳେ ଅମନ ଓ ଶିବମ ତାଙ୍କ ଘରକୁ ଆସିଥିଲେ । ସେତେବେଳେ ତାଙ୍କ ମା’ଘରେ ନଥିଲେ। ସେ ତାଙ୍କର ଜଣେ ଭଉଣୀକୁ ସାଙ୍ଗରେ ନେଇ ବାହାରକୁ ଯାଇଥିଲେ କିନ୍ତୁ ସେତେବେଳେ ତାଙ୍କ ବାପା ଘରେ ଥିଲେ। ସେ ବେଡ୍ ରୁମରେ ଶୋଇଥିଲେ । ଅମନ ଓ ଶିବମ ତାଙ୍କ ବାପା କେଉଁଠି ଅଛନ୍ତି ବୋଲି ତାଙ୍କୁ ପଚାରିଥିଲେ। ସେ ଶୋଇଛନ୍ତି ବୋଲି କହିବାରୁ ଅଭିଯୁକ୍ତ ଦ୍ୱୟ ସେଠାରୁ ଚାଲି ଯାଇଥିଲେ । କିନ୍ତୁ ପ୍ରାୟ ଅଧାଘଣ୍ଟା ପରେ ତାଙ୍କ ବାପା ଚିତ୍କାର କରୁଥିବା ସେ ଓ ତାଙ୍କର ଅନ୍ୟ ଭଉଣୀମାନେ ଶୁଣିବାକୁ ପାଇଥିଲେ। ସେ ତାଙ୍କ ବାପାଙ୍କ ରୁମ୍କୁ ଦୌଡ଼ି ଯାଇଥିଲେ। ସେଠାରେ ତାଙ୍କୁ ଅମନ ଓ ଶିବମ ଧାରୁଆ ଅସ୍ତ୍ରରେ ଆକ୍ରମଣ କରୁଥିବା ସେ ଦେଖିଥିଲେ । ସେ ଅଭିଯୁକ୍ତ ଦ୍ୱୟଙ୍କ ମଧ୍ୟରୁ ଜଣଙ୍କୁ ଧରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ସେ ଖସି ପଳାଇବାରେ ସଫଳ ହୋଇଥିଲେ।

ଆକ୍ରମଣରେ ଗୁରୁତର ଆହତ ହୋଇଥିବା ଉକ୍ତ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତାଙ୍କୁ ଆଇସିୟୁରେ ରଖାଯାଇଛି। ତାଙ୍କ ଅବସ୍ଥା ଗମ୍ଭୀର ଅଛି। ଅଭିଯୋଗକାରୀ ଅଭିଯୁକ୍ତ ଦ୍ୱୟଙ୍କୁ ଜାଣିଥିଲେ। ପୁଣି ପୁଲିସ୍ ରେକର୍ଡରେ ମଧ୍ୟ ସେମାନଙ୍କ ନାଁ ଥିଲା । ତେଣୁ ସେମାନଙ୍କୁ ଖୋଜିବାରେ ପୁଲିସ ଅଧିକ ଦିନ ଲାଗିଲା ନାହିଁ। ସେମାନଙ୍କୁ ଧରି ପଚରାଉଚରା କରିବା ପରେ ସେମାନେ ଉକ୍ତ ମହିଳାଙ୍କ ନାଁ ନେଇଥିଲେ। ସେ ତାଙ୍କ ସ୍ୱାମୀଙ୍କୁ ମାରିବାକୁ ଚାହୁଁଥିଲେ ଓ ସେଥିପାଇଁ ସେମାନଙ୍କୁ ଟଙ୍କା ଦେଇଥିଲେ ବୋଲି ଉଭୟ ପୁଲିସ୍କୁ କହିଥିଲେ। ପୁଲିସ୍ ଉକ୍ତ ମହିଳାଙ୍କୁ ପଚରାଉଚରା କରିବା ବେଳେ ସେ ତାଙ୍କ ଦୋଷ ସ୍ୱୀକାର କରିଥିଲେ ଓ ପୂର୍ବରୁ ମଧ୍ୟ ଅନେକ ଥରେ ସେ ତାଙ୍କ ସ୍ୱାମୀଙ୍କୁ ମାରିବାକୁ ପ୍ରୟାସ କରିଥିଲେ ବୋଲି କହିଥିଲେ ।