ମହଙ୍ଗା ହେବ ଘରୋଇ ଗ୍ୟାସ ସିଲିଣ୍ଡର ! ସରକାର କରିବାକୁ ଯାଉଛନ୍ତି ଗୁରୁତ୍ବପୂର୍ଣ୍ଣ ପରିବର୍ତ୍ତନ
ନନ୍ଦିଘୋଷ ବ୍ୟୁରୋ: ଦେଶରେ ଘରୋଇ ଗ୍ୟାସ୍ ସିଲିଣ୍ଡର ଅର୍ଥାତ ଏଲପିଜିରେ ମିଳୁଥିବା ସବସିଡର ଗଣିତ ପରିବର୍ତ୍ତନ ହେବାକୁ ଯାଉଛି । ସୂଚନା ଅନୁସାରେ, ଗତମାସ ସରକାରୀ ତେଲ କମ୍ପାନୀମାନେ ଆମେରିକା ରପ୍ତାନୀକାରୀଙ୍କ ସହ ମାସିକ ସପ୍ଲାଇ କଣ୍ଟ୍ରାକ୍ଟ ସାଇନ କରିଛନ୍ତି । ଯେଉଁଥି ପାଇଁ କେନ୍ଦ୍ର ସରକାର ଏଲପିଜି ସବସିଡ ଫର୍ମୁଲାରେ ପରିବର୍ତ୍ତନ ପାଇଁ ବିଚାର କରୁଛନ୍ତି । ବର୍ତ୍ତମାନ ସବସିଡ ହିସାବ ସାଉଦୀ କଣ୍ଟ୍ରାକ୍ଟ ପ୍ରାଇସ (ସିପି) ଆଧାରରେ କରାଯାଉଛି । ଯାହା ପଶ୍ଚିମ ଏସିଆରେ ଏଲପିଜି ସପ୍ଲାଇ ପାଇଁ ଏକ ଷ୍ଟାଣ୍ଡାର୍ଡ ହିସାବ । ହେଲେ ସରକାରୀ କମ୍ପାନୀ ଏବେ ଫର୍ମୁଲାରେ ଆମେରିକୀ ଷ୍ଟାଣ୍ଡାର୍ଡ ପ୍ରାଇସ ଓ ଆଣ୍ଟଲାଟିକ ପାର ସିପମେଣ୍ଟରେ ସାମିଲ ଲଜିଷ୍ଟିକ କଷ୍ଟକୁ ଭି ସାମିଲ କରିବାକୁ ଜୋର ଦେଉଛନ୍ତି । ଆମେରିକାରୁ ଆସିବାକୁ ଥିବା ଏଲପିଜି ଭାରତ ପାଇଁ ସେତେବେଳେ ଶସ୍ତା ହେବ ଯେତେବେଳେ ସାଉଦି ସିପି ତୁଳନାରେ ଦାମ ସେତିକି କମ ହେବ ଯାହାଦ୍ବାରା ଲଜିଷ୍ଟିକ କଷ୍ଟ ଭରଣ ହୋଇପାରିବ । ହେଲେ ଏହା ସାଉଦି ଆରବ ଶିପମେଣ୍ଟ ତୁଳନାରେ ଚାରି ଗୁଣା ଅଧିକ ।
ଆମେରିକା ସହ ପ୍ରଥମ ଲଙ୍ଗ ଟର୍ମ କଣ୍ଟ୍ରାକ୍ଟ
ଗତମାସ ଇଣ୍ଡିଆନ ଅଏଲ କର୍ପୋରେସନ, ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ ୨୦୨୬ କଣ୍ଟ୍ରାକ୍ଟ ଇୟର ପାଇଁ ଆମେରିକାରରୁ ପ୍ରାୟ ୨.୨ ମିଲିୟନ ମାଟ୍ରିକ ଟନ୍ ପ୍ରତିବର୍ଷ ଏଲପିଜି ଆମଦାନୀ କରିବାକୁ ଏକ ବର୍ଷ ପାଇଁ ଚୁକ୍ତି କରିଛନ୍ତି । ଏହା ଭାରତର ବାର୍ଷିକ ଆମଦାନୀର ପ୍ରାୟ ୧୦ ପ୍ରତିଶତ । ହେଲେ ଭାରତୀୟ କମ୍ପାନୀ ପୂର୍ବରୁ ମଧ୍ୟ ସ୍ପଟ ମାର୍କେଟରେ ଆମେରିକା ଏଲପିଜି କିଣିଛନ୍ତି । ହେଲେ ଏହା ଦେଶର ସପ୍ଲାଇ ପାଇଁ ସେମାନଙ୍କର ଦୀର୍ଘମିଆଦୀ ଚୁକ୍ତି । ସରକାର, ସରକାରୀ କମ୍ପାନୀଙ୍କ ଦ୍ବାରା ଘରକୁ ସପ୍ଲାଇ ହେଉଥିବା ଏଲପିଜିର ଦାମ ନିୟନ୍ତ୍ରଣ କରିଥାନ୍ତି । ଯେତେବେଳେ କମ୍ପାନୀମାନେ ବଜାର ଦରରୁ କମ ଦାମରେ ବିକ୍ରି କରି କ୍ଷତି ସହିଥାନ୍ତି ସେତେବେଳେ ସରକାର ସେମାନଙ୍କୁ କ୍ଷତିପୂରଣ ଦେଇଥାନ୍ତି ।
ମହଙ୍ଗା ହେବ କି ଏଲପିଜି ?
ଆମେରିକାରୁ ଆସିବାକୁ ଥିବା ଏଲପିଜିର ଲଜିଷ୍ଟିକ ଖର୍ଚ୍ଚ ସାଉଦୀ ତୁଳନାରେ ୪ ଗୁଣା ଅଧିକ ରହିବ । ଯଦି ଭାରତ ସରକାର ବର୍ତ୍ତମାନର ସବସିଡରେ ସାଧାରଣ ଲୋକଙ୍କୁ ସିଲିଣ୍ଡର ଦେବାକୁ ଚାହିଁବି ତେବେ ଆମେରିକୀ ସପ୍ଲାଇରେ ରହାତି ମିଳିବା ନିହାତି ଆବଶ୍ୟକ । ଯଦି ଏପରି ନହେଲା, ତେବେ ସାଧାରଣ ଲୋକଙ୍କୁ ମିଳୁଥିବା ସବସିଡରେ ସରକାର କାଣ୍ଟଛାଣ୍ଟ କରିପାରନ୍ତି । ଏହାର ଅର୍ଥ ସାଧାରଣ ଲୋକଙ୍କ ପାଖରୁ ଆରମ୍ଭ କରି ଉଜ୍ବଳା ହିତାଧିକାରୀଙ୍କୁ ଚଢ଼ା ଦରରେ ସିଲିଣ୍ଡର କିଣିବାକୁ ପଡ଼ିପାରେ ।

