ନଦୀର ଆଁରେ ମିଶିଯିବ କି ପୂରା ଗାଁ ? ସାଳନ୍ଦୀ ନଦୀଗର୍ଭରେ ଲୀନ ହୋଇଯିବ କି କାନପୁର ?
1 min read
ନଦୀର ଆଁରେ ମିଶିଯିବ କି ପୂରା ଗାଁ ? ସାଳନ୍ଦୀ ନଦୀଗର୍ଭରେ ଲୀନ ହୋଇଯିବ କି କାନପୁର ? ଏଭଳି ନାନା ଆଶଙ୍କାରେ କାନପୁର ଗ୍ରାମବାସୀ। କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ସୋସା ପଞ୍ଚାୟତର କାନପୁର ଗାଁ । ଏହି ଗାଁରେ ଶତାଧିକ ପରିବାର ବସବାସ କରନ୍ତି । ଗାଁକୁ ଲାଗିକରି ବହିଯାଇଛି ସାଳନ୍ଦୀ ନଦୀ l ଏହି ନଦୀ ଆଁରେ ଲୀନ ହୋଇସାରିଲାଣି ୧୦ରୁ ଅଧିକ ଲୋକଙ୍କ ଘର। ଯାହାକୁ ନେଇ ଗାଁଲୋକଙ୍କ ମଧ୍ୟରେ ଭୟ ଓ ଆତଙ୍କର ବାତାବରଣ । ମାଟି ଅତଡ଼ା ଧସିବା ଯୋଗୁଁ ସାଳନ୍ଦୀ ନଦୀକୁ ଲାଗି ରହିଥିବା ଲୋକଙ୍କର ଗୁହାଳ, ପାଇଖାନା ଘର ଆଦି ଭୁଶୁଡ଼ି ପଡ଼ୁଛି । ଫଳରେ ଘରକୁ ଲାଗି ନଦୀଯାଏ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହେଲାଣି । ଯାହାକୁ ନେଇ ଭୟଭୀତ ହୋଇପଡ଼ିଛନ୍ତି ଲୋକେ ।
୧୯୯୯ ମସିହା ମହାବାତ୍ୟା ପରେ ବଦଳି ଯାଇଥିଲା ସାଳନ୍ଦୀର ଗତିପଥ । ପ୍ରତିବର୍ଷ ନଦୀ କୂଳ ଖାଉଥିବାରୁ ଭୂସ୍ଖଳନ ହୋଇ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଜଳସମ୍ପଦ ବିଭାଗ ପକ୍ଷରୁ ନଦୀ ପାର୍ଶ୍ଵରେ ମାତ୍ର କିଛି ମିଟର ଦୂରରେ ଏକ କଂକ୍ରିଟ୍ ୱାଲ୍ ନିର୍ମାଣ କରାଯାଇଥିଲା । ଯାହା ସମୁଦ୍ରକୁ ଶଙ୍ଖେ ସଦୃଶ । ତାହା ଲୋକଙ୍କ ଘରକୁ ସୁରକ୍ଷା ଦେଇପାରିଲା ନାହିଁ । ପ୍ରତିବର୍ଷ କିଛି କିଛି ଘର ନଦୀଗର୍ଭରେ ଲୀନ ହେଉଥିବାରୁ ସମ୍ପୂର୍ଣ୍ଣ ଗାଁ ନଦୀ ଆଁରେ ଲୀନ ହେବା ନେଇ ଆଶଙ୍କା ସୃଷ୍ଟି ହେଲାଣି । ପ୍ରଶାସନ ପକ୍ଷରୁ ଯଥାଶୀଘ୍ର ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ନିବେଦନ କରିଛନ୍ତି । ଅନ୍ୟପଟେ, କାନପୁରର ସୁରକ୍ଷା ପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ଏକ ଡିପିଆର ପ୍ରସ୍ତୁତ କରି ଅନୁମୋଦନ ପାଇଁ ପଠାଯାଇଛି । ଅନୁମୋଦନ ହେଲାପରେ ଆଗାମୀ ୩ ରୁ ୪ ମାସ ମଧ୍ୟରେ କାମ ଆରମ୍ଭ ହେବ ବୋଲି ଆନନ୍ଦପୁର ଉପଜିଲ୍ଲାପାଳ କହିଛନ୍ତି। ତୁରନ୍ତ ରାଜ୍ୟ ସରକାର କାନପୁରବାସୀଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦେବା ସହ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେବା ଜରୁରୀ ହୋଇପଡିଛି।