ଫେରିବ କି ଜଗନ୍ନାଥଙ୍କ ହଜାର ହଜାର ଏକର ଜମି ! ପ୍ରକ୍ରିୟା ଆରମ୍ଭ କଲେ ସରକାର

ଫେରିବ କି ଜଗାର ହଜାର ହଜାର ଏକର ଜମି ! ନା କେବଳ ଘୋଷଣାରେ ରହିଯିବ ସୀମିତ । ଆଇନ ମନ୍ତ୍ରୀ କହିଲେ, ପ୍ରକ୍ରିୟା ଆରମ୍ଭ କରିଛନ୍ତି ସରକାର । ବିଜେଡି କହିଲା ପ୍ରଥମେ ଆଇନ ଆଣ, ଜମି କିଣାବିକା ବନ୍ଦକର । ଜଗନ୍ନାଥଙ୍କ ଜମି ଅଛି । ହେଲେ ଭୂସମ୍ପତ୍ତିର ସଠିକ ଆକଳନ ହୋଇନାହିଁ । ଯେଉଁଠି ଜଗନ୍ନାଥ ଜମି ଅଛି ସେସବୁ କିପରି ମହାପ୍ରଭୁଙ୍କ କାମରେ ଲାଗିବ ତାକୁ ନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ରାଜ୍ୟ ଭିତରେ ଓ ବାହାରେ ଜଗନ୍ନାଥଙ୍କ ୫୮ ହଜାର ଏକର ଜମି ରହିଛି । ପ୍ରାୟ ୩୭ ହଜାର ଏକର ଜମିର କାଗଜପତ୍ର ପ୍ରସ୍ତୁତ କରାଯାଇଛି । ବାକି ହୋଇନାହିଁ । ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ସରକାର ଏ ଦିଗରେ ତ୍ୱରିତ ପଦକ୍ଷେପ ନେଉଛନ୍ତି। ମହାପ୍ରଭୁଙ୍କର ଯେଉଁଠି ଭୂସମ୍ପତ୍ତି ଅଛି ତାର ସଠିକ୍ ଆକଳନ କିପରି ହୋଇପାରିବ ସେନେଇ ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି । ରାଜ୍ୟ ଏବଂ ରାଜ୍ୟ ବାହାରେ ଯେଉଁଠି ମହାପ୍ରଭୁଙ୍କ ସମ୍ପତ୍ତି ଅଛି ସେସବୁ ମହାପ୍ରଭୁଙ୍କ କାମରେ କିପରି ବିନିଯୋଗ ହେବ ସେନେଇ ସରକାର ପଦକ୍ଷେପ ନେଉଛନ୍ତି। ଅନ୍ୟପଟେ କଂଗ୍ରେସ କହିଛି ସରକାର କେବଳ ଘୋଷଣା ନକରି ଜମି କିପରି ଫେରିପାରିବ ସେ ଦିଗରେ ପ୍ରୟାସ କରନ୍ତୁ । ବରିଷ୍ଠ କଂଗ୍ରେସ ନେତା କହିଛନ୍ତି ନେପାଳ, ଆନ୍ଧ୍ରପ୍ରଦେଶରେ ବି ଜମି ଅଛି । ତାହାକୁ ଫେରସ୍ତ ଆଣନ୍ତୁ ।

ଜଗନ୍ନାଥ ଜମି ଫେରସ୍ତ ଆଣିବାର ଆବଶ୍ୟକତା ରହିଛି ବୋଲି ପୁରୀ ବିଜେଡି ବିଧାୟକ ସୁନୀଲ ମହାନ୍ତି କହିଛନ୍ତି । ସରକାର ପ୍ରଥମେ ଆଇନ ଆଣନ୍ତୁ , ତାପରେ ଜମି ଫେରାଇବା ପ୍ରକ୍ରିୟା କରିବେ। ଦେଢ ବର୍ଷ ହେବ ସରକାର କେବଳ କହୁଛନ୍ତି । କିନ୍ତୁ କାମ ଧୀମେଇ ଯାଇଛି । ଜଗନ୍ନାଥ ଜମିକୁ ଅଛି ଅସାଧୁ ବ୍ୟକ୍ତି ଜବରଦଖଲ କରି ରଖିଛନ୍ତି । ଏପରିକି ଏହି ଜମିକୁ ବିକ୍ରି ମଧ୍ୟ କରୁଛନ୍ତି । ପ୍ରଥମେ ରାଜ୍ୟ ସରକାର ଏଥିରେ ଅଙ୍କୁଶ ଲଗାଇବା ଦରକାର ବୋଲି ବିଜେଡି କହିଛି । ଜଗନ୍ନାଥଙ୍କର ୬୦ ହଜାର ୪୨୬ ଏକର ଜମି ଅଛି । ସେଥିରୁ ୩୪ହଜାର ୬୧ ଏକର ଜମିର କାଗଜପତ୍ର ରହିଛି । ୬ ବର୍ଷରେ ମାତ୍ର ୪ ହଜାର ଏକର ଜମି ଫେରିଛି । ରାଜ୍ୟର ୨୪ଟି ଜିଲ୍ଲାରେ ଜଗନ୍ନାଥଙ୍କ ଜମି ଥିବା ବେଳେ ୧୦ଟି ଜିଲ୍ଲାରେ ରାଜସ୍ବ ଆଦାୟ ହେଉଛି । ରାଜ୍ୟ ସରକାର ଜଗନ୍ନାଥଙ୍କ ଜମି ଫେରାଇ ଆଣିବେ ନା ଏହା କେବଳ ଘୋଷଣାରେ ରହିଯିବ ତାହାକୁ ନେଇ ଆରମ୍ଭ ହୋଇଛି ବିତର୍କ ।