ଜନସାଧାରଣଙ୍କ ବିକାଶକୁ ପ୍ରାଥମିକତା: ନବନିଯୁକ୍ତ ବିଏମସି କମିଶନର

ଭୁବନେଶ୍ବର: ଲୋକଙ୍କ ଜିଲ୍ଲାପାଳ ଭାବେ ପରିଚିତ ଆଇଏଏସ୍ ବିଜୟ ଅମୃତ କୁଲାଙ୍ଗେ ଏବେ ବିଏମସି କମିଶନର ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି । ଗଞ୍ଜାମ ଜିଲ୍ଲାପାଳ ରହିବା ସମୟରେ ସେ ଅନେକ ଚ୍ୟାଲେଞ୍ଜକୁ ଦୃଢତାର ସହ ମୁକାବିଲା କରିଛନ୍ତି  ।

କରୋନା ମହାମାରୀର ସବୁଠୁ ଅଧିକ ପ୍ରଭାବ ଗଞ୍ଜାମରେ ଦେଖାଯାଇଥିଲା  । ହେଲେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ଦୃଢ ନେତୃତ୍ବ କାରଣରୁ କରୋନାର ପ୍ରଭାବ ଜିଲ୍ଲାରେ ହ୍ରାସ ପାଇଥିଲା  । ସଫଳ କୋଭିଡ ମ୍ଯାନେଜମେଣ୍ଟ ପାଇଁ ତାଙ୍କୁ କେବଳ ରାଜ୍ଯରେ ନୁହେଁ ବରଂ ଜାତୀୟ ସ୍ତରରେ ପ୍ରଶଂସା କରାଯାଇଥିଲା  । ସେହିପରି ବିଦ୍ୟାଳୟ ରୁପାନ୍ତରିତ କ୍ଷେତ୍ର ହେଉ ବା ଗୋପାଳପୁର ବେଳାଭୂମିର ଉନ୍ନତିକରଣ, ମା ତାରାତାରିଣୀ ମନ୍ଦିରର ବିକାଶ କାର୍ଯ୍ୟ ହେଉ ସବୁଗୁଡିକୁ ସେ ତ୍ବରାନିତ କରିଛନ୍ତି । ବାକି ରହିଯାଇଥିବା କାର୍ଯ୍ୟକୁ ନୂତନ ଜିଲ୍ଲାପାଳ ପୂରଣ କରିବେ ବୋଲି ସେ ଆଶାପୋଷଣ କରିଛନ୍ତି  ।

ଭୁବନେଶ୍ବର ମହାନଗର ନିଗମର କମିଶନର ଭାବେ ତାଙ୍କୁ ନିଯୁକ୍ତି ମିଳିବା ପରେ ସେ ବେଶ୍ ଉତ୍ସାହିତ ଥିବା କଥା କହିଛନ୍ତି  । ଗଞ୍ଜାମରୁ ପାଇଥିବା ଅଭିଜ୍ଞତାକୁ ଭୁବନେଶ୍ବରରେ ଲଗାଇବେ ବୋଲି କହିଛନ୍ତି । ରାଜଧାନୀ ବାସିନ୍ଦାଙ୍କ ପ୍ରମୁଖ ଦାବି ଓ ବିକାଶକୁ ପ୍ରାଧାନ୍ୟ ଦେବେ  । ରାଜ୍ୟ ସରକାରଙ୍କ ସହରାଞ୍ଚଳ ବିକାଶ ଯୋଜନାର ଶତପ୍ରତିଶତ ସଫଳ ରୂପାୟନ କରିବାକୁ ଚେଷ୍ଟା କରିବେ  ।

ନିକଟରେ ମହାନଗର ନିର୍ବାଚନରେ ନିର୍ବାଚିତ ଜନପ୍ରତିନିଧିଙ୍କ ସହ ମିଶି ବିକାଶ ଦିଗରେ କାର୍ଯ୍ୟ କରିବେ ବୋଲି କହିଛନ୍ତି ଜିଲ୍ଲାପାଳ ବିଜୟ । ଭୁବନେଶ୍ବର ଯେହେତୁ ରାଜ୍ୟର ରାଜଧାନୀ କାର୍ଯ୍ୟରେ ଅନେକ ଚ୍ୟାଲେଞ୍ଜ ରହିବ  । ଟିମ୍ ୱାର୍କ ଜରିଆରେ କାର୍ଯ ସହଜ ହେବ ବୋଲି ସେ କହିଛନ୍ତି  । ସୂଚନାଯୋଗ୍ଯ ଆଜି ମଧ୍ୟାହ୍ନରେ ସେ ବିଏମସି କମିଶନର ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି  । ପୂର୍ବତନ କମିଶନର ସଞ୍ଜୟ କୁମାର ସିଂ ବିଏମସି କାର୍ଯ୍ଯାଳୟରେ ତାଙ୍କୁ ଦାୟିତ୍ବ ପ୍ରଦାନ କରିଛନ୍ତି  ।