ୱିଣ୍ଡୋ ଜର୍ଣ୍ଣାଲିଜିମ ଉପରେ ବର୍ଷିଲେ ପ୍ରଭୁ, କହିଲେ ସାମ୍ବାଦିକତା ପାଇଁ ଠିକ୍ ନୁହେଁ

1 min read

ଭୁବନେଶ୍ବର: ନନ୍ଦିଘୋଷ ଟିଭିର ଜାତି ନନ୍ଦିଘୋଷ କନକ୍ଲେଭରେ ଯୋଗ ଦେଇ ବରିଷ୍ଠ ସାମ୍ବାଦିକ ପ୍ରଭୁ ଚାୱାଲା ଜାତୀୟ ସ୍ତରରେ ଡିବେଟ୍ ନାମରେ ଚାଲିଥିବା ୱିଣ୍ଡୋ ଜର୍ଣ୍ଣାଲିଜମ୍ ଉପରେ ବର୍ଷିଛନ୍ତି । ସେ କହିଛନ୍ତି ଯେ, ଜାତୀୟ ସ୍ତରରେ କିଛି ନ୍ୟୁଜ୍ ଚ୍ୟାନେଲ ଖର୍ଚ୍ଚ କମାଇବା ଓ ଟିଆରପି ଗୋଟାଇବା ଚକ୍କରରେ ଆଲୋଚନା ଆଳରେ ୱିଣ୍ଡୋ ଜର୍ଣ୍ଣାଲିଜମ କରୁଛନ୍ତି ।

ସାମ୍ବାଦିକତାର ଭାଷା ବଦଳିଛି । ବ୍ୟବହାରରେ ପରିବର୍ତ୍ତନ ଘଟିଛି । ସମ୍ବାଦ ଏବେ ମନୋରଞ୍ଜନରେ ପରିଣତ ହୋଇଛି । ସାଧାରଣ ଜନତାଙ୍କ ପ୍ରଶ୍ନ ବଦଳରେ ନିର୍ଦ୍ଧିଷ୍ଟ ଗୋଷ୍ଠୀଙ୍କୁ ସୁହାଇଲା ଭଳି ପ୍ରଶ୍ନ କରିବାରେ ବ୍ୟସ୍ତ । ଗଣମାଧ୍ୟମର ଉପସ୍ଥାପକ ଏବେ ନିଜେ ପ୍ରଶ୍ନକର୍ତ୍ତା ଏବଂ ଉତ୍ତରଦାତା ସାଜିଛନ୍ତି । ବର୍ତ୍ତମାନ ଗଣମାଧ୍ୟମରେ ଖବର ପ୍ରସାରଣ ପରିବର୍ତ୍ତେ ୱିଣ୍ଡୋ ଜର୍ଣ୍ଣାଲିଜିମ ବଢିଥିବା ନନ୍ଦିଘୋଷ ଟିଭିର ବର୍ଷପୂର୍ତ୍ତୀ ଅବସରରେ ଆୟୋଜିତ ‘ଜାତି ନନ୍ଦିଘୋଷ’ କାର୍ଯ୍ୟକ୍ରମରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଦେଶର ବରିଷ୍ଠ ସାମ୍ବାଦିକ ପ୍ରଭୁ ଚାୱଲା ।

ଜାତି ନନ୍ଦିଘୋଷ କନକ୍ଲେଭରେ ଜୟ ଜଗନ୍ନାଥ କହି ନିଜର ସମ୍ଭାଷଣ ଆରମ୍ଭ କରିଥିଲେ ପ୍ରଭୁ ଚାୱଲା । ପ୍ରଭୁ ଜଗନ୍ନାଥଙ୍କ ରଥ ନାମରେ ଏହି ଚ୍ୟାନେଲର ନାମକରଣ ହେବା ଉପରେ ସେ ନିଜ ପ୍ରସନ୍ନତା ବ୍ୟକ୍ତ କରିଥିଲେ । ଏହା ସହ କହିଥିଲେ ଯେ, ପ୍ରଭୁ ଜଗନ୍ନାଥଙ୍କ ରଥ ନାମର ଚ୍ୟାନେଲ ହୋଇଥିବାରୁ ଚ୍ୟାନେଲର ଦାୟିତ୍ୱ ବଢିଯାଇଛି ।  ବର୍ଷକ ଭିତରେ ନନ୍ଦିଘୋଷ ଟିଭି ଅନେକ ଉନ୍ନତି କରିଛି, ଆଗକୁ ବଢିଛି । ଗଣମାଧ୍ୟମର ନୀତି-ଆଦର୍ଶ ଅତ୍ୟନ୍ତ ପ୍ରସଂଶନୀୟ ବୋଲି ସମ୍ବୋଧନରେ ପ୍ରକାଶ କରିଛନ୍ତି ପ୍ରଭୁ ଚାୱଲା ।

ସେହିପରି ବର୍ତ୍ତମାନ ଗଣମାଧ୍ୟମରେ ପ୍ରଚଳିତ ଢାଞ୍ଚା ସମ୍ବନ୍ଧରେ ନିଜର ବ୍ୟକ୍ତିଗତ ମତ ପ୍ରକାଶ କରିଛନ୍ତି । ସାଧାରଣ ଲୋକଙ୍କ ପ୍ରଶ୍ନ ପଚରାଯାଉ ନାହିଁ । ଯାହା ଘଟୁଛି ତାହା ଗଣମାଧ୍ୟମ ଦେଖାଉ ନାହିଁ ଏବଂ କହୁନାହିଁ । ସେହିପରି ସାକ୍ଷାତକାର ସମ୍ବନ୍ଧରେ ନିଜର ବ୍ୟକ୍ତିଗତ ବିଶ୍ୱାସକୁ ଜାତି ନନ୍ଦିଘୋଷ କାର୍ଯ୍ୟକ୍ରମରେ ଉଲ୍ଲେଖ କରିଛନ୍ତି ପ୍ରଭୁ ଚାୱଲା । ଗଣାମଧ୍ୟମର ସାକ୍ଷାତକାରକୁ ଆସିଥିବା ପ୍ରତିଟି ଅତିଥି ମୋର ଫାଷ୍ଟ ଟାର୍ଗେଟ । ସେମାନଙ୍କ ଠାରୁ ସାଧାରଣ ଦର୍ଶକଙ୍କ ଉତ୍ତର ଆଦାୟ କରିବା ହିଁ ମୋର ପ୍ରଥମ କର୍ତ୍ତବ୍ୟ ବୋଲି କହିଛନ୍ତି ଚାୱଲା । ସେହିପରି ବର୍ତ୍ତମାନ ଗଣମାଧ୍ୟମ ସାଧାରଣ ଦର୍ଶକଙ୍କ ପ୍ରଶ୍ନ ଉଠାଉ । ଯାହା ଘଟୁଛି ତାହା ଦେଖାଉ, ତାହା ଶୁଣାଉ ଏବଂ ତାହା ପ୍ରଶ୍ନ କରିବାକୁ ଆହ୍ୱାନ ଦେଇଛନ୍ତି ବରିଷ୍ଠ ସାମ୍ବାଦିକ ପ୍ରଭୁ ଚାୱଲା ।

Leave a Reply