ତାମିଲନାଡୁ କୋଏମ୍ବାଟୁରରେ ପହଞ୍ଚିଲା ୱିଙ୍ଗ କମାଣ୍ଡର ନମାଂଶ ସିଆଲଙ୍କ ମରଶରୀର। ଦୁବାଇ ଏୟାର ସୋ ବେଳେ କ୍ରାସରେ ପ୍ରାଣ ହରାଇଥିଲେ ନମାଂଶ। ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ତାଙ୍କ ମରଶରୀର କୋଏମ୍ବାଟୁର ନିକଟସ୍ଥ ସୁଲୁରକୁ ଅଣାଯାଇଛି। ସୁଲର ଏୟାରଫୋର୍ସ ଷ୍ଟେସନର ବାୟୁସେନାର ନମ୍ବର ୪୫ ସ୍କ୍ବାଡ୍ରନର ୱିଙ୍ଗ କମାଣ୍ଡର ଥିଲେ ନମାଂଶ। ସେ ଲାଇଟ କମ୍ପାକ୍ଟ ଏୟାରକ୍ରାଫ୍ଟ ଏଲସିଏ ଏଚଏଲ ତେଜସକୁ ଅପରେଟ କରୁଥିଲେ। ସେଠାରୁ ତାଙ୍କ ମରଶରୀର ଜନ୍ମସ୍ଥଳୀ ହିମାଚଳ ପ୍ରଦେଶର ପତିଆଲକାରକୁ ନିଆଯିବ। ସେଠାରେ ରାଷ୍ଟ୍ରୀୟ ମର୍ଯ୍ଯାଦା ସହ ତାଙ୍କର ଶେଷକୃତ୍ୟ କରାଯିବ। ଗତ ୨୧ ତାରିଖରେ ଘଟିଥିଲା ଏହି ମର୍ମନ୍ତୁଦ ଦୁର୍ଘଟଣା। ଆକାଶରେ ତେଜସ ଯୁଦ୍ଧ ବିମାନ ନିଜର ରଣକୌଶଳ ଦେଖାଉଥିବା ବେଳେ ଦୁର୍ଘଟଣା ହୋଇଥିଲା। ବିମାନଟି ନିୟନ୍ତ୍ରଣ ହରାଇ ସିଧା ତଳକୁ ଖସିବା ସହ ଆଖି ପିଛୁଳାକେ ଜଳି ପାଉଁଶ ହୋଇଯାଇଥିଲା। ଦୁର୍ଘଟଣାର କାରଣ ଜାଣିବା ପାଇଁ କୋର୍ଟ ଅଫ ଇନକ୍ୱାରୀ ନିର୍ଦ୍ଦେଶ ଦିଆଯାଇଥିବା ନେଇ ବାୟୁସେନା କହିଛି। ପୂରା କ୍ରାସର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ହାଲ ତିଆରି କରିଥିବା ତେଜସ ହେଉଛି ଭାରତୀୟ ବାୟୁସେନାର ପ୍ରମୁଖ ଯୁଦ୍ଧ ବିମାନ।

