ଜାଡ଼ରେ ଥରୁଛି ଓଡ଼ିଶା: ମର୍ଣ୍ଣିଂଓ୍ବାକକୁ ଚା’ ଷ୍ଟଲରେ ଭିଡ଼

ଭୁବନେଶ୍ବର: ପ୍ରବଳ ଶୀତ । ଜାଡ଼ରେ ଥରୁଛି ସାରା ଓଡ଼ିଶା । ସନ୍ଧ୍ୟା ପରେ ଜନଶୂନ୍ୟ ହୋଇଯାଉଛି ରାସ୍ତାଘାଟ । ରାଜ୍ୟର ଅଧିକାଂଶ ସ୍ଥାନରେ ସ୍ବାଭାବିକଠାରୁ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିଛି । ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାକୁ ଜାଡ଼ ଫେରିଛି । ଆସନ୍ତା ୨ରୁ ୩ ଦିନ ମଧ୍ୟରେ ଆହୁରି ୨ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ମେଘମୁକ୍ତ ଆକାଶ ସହ ବାୟୁମଣ୍ଡଳରେ ଜଳୀୟବାଷ୍ପର ପରିମାଣ କମୁଥିବାରୁ ରାଜ୍ୟରେ ଏଭଳି ସ୍ଥିତି ସୃଷ୍ଟି ହୋଇଛି ।

ସକାଳୁ ସକାଳୁ ଘନ କୁହୁଡି ଦେଖିବାକୁ ମିଳୁଛି । କିଛି ସ୍ଥାନରେ କୁହୁଡି ଏମିତି ସ୍ଥିତି ସୃଷ୍ଟି କରିଛି ଯେ, ୫ ହାତ ଦୂରକୁ ଦେଖିବା ମଧ୍ୟ ଅସମ୍ଭବ ହୋଇଯାଉଛି । ବିଶେଷ କରି ଭୋରୁ ଭୋରୁ ଯାତାୟତ କରୁଥିବା ଗାଡ଼ି ଚାଳକଙ୍କୁ ସମସ୍ୟା ହେଉଛି । ଅନ୍ୟପକ୍ଷରେ ଶୀତୁଆ ସକାଳରେ ପାର୍କ, ପଡ଼ିଆରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଛି । ମର୍ଣ୍ଣିଂ ଓ୍ବାକରେ ଲୋକେ ବାହାରିବା ସହ ଗରମ ଗରମ ଚା’ ପିଇବାର ମଜା ନେଉଛନ୍ତି । ପାର୍କରେ ଲୋକେ ଓ୍ବାର୍ଣ୍ଣଅପ୍ କରୁଥିବା ଦେଖିବାକୁ ମିଳୁଛି । ସେହିପରି ପଡ଼ିଆରେ ପିଲାମାନେ ବିଭିନ୍ନ ପ୍ରକାର ଖେଳ ଖେଳି ଶୀତ ଛଡ଼ାଉଥିବା ଦେଖିବାକୁ ମିଳୁଛି ।