ତଳ ମୁହାଁ ପାରଦ, ୧୦ ସହରରେ ୧୦ ଡିଗ୍ରୀ ତଳେ ତାପମାତ୍ରା

ଭୁବନେଶ୍ବର : ଫେରିଛି ଶୀତ । ଉତ୍ତରଠୁ ଉପକୂଳ ସବୁଠି ଅନୁଭୂତ ହେଲାଣି ପ୍ରବଳ ଜାଡ । ଉତ୍ତରା ପବନ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ତଳ ମୁହାଁ ପାରଦ  । ଗତକାଲି ପ୍ରଥମ ଥର ପାଇଁ ୫ଡ଼ିଗ୍ରୀ ଛୁଇଁଲା ରାତ୍ରି ତାପମାତ୍ରା । ଗତ ୨୪ ଘଣ୍ଟାରେ କନ୍ଧମାଳ ଜିଲ୍ଲାର ଜି. ଉଦୟଗିରି ଠାରେ ସର୍ବନିମ୍ନ ରାତ୍ରି ତାପମାତ୍ରା ୫ଡ଼ିଗ୍ରୀ ରେକର୍ଡ ହୋଇଛି । ସେମିଳିଗୁଡାରେ ୭ଡିଗ୍ରୀ ସେଲସିୟସ ରହିଥିବା ବେଳେ ଫୁଲବାଣୀରେ ୮ ଡିଗ୍ରୀ, ସୁନ୍ଦରଗଡରେ ୮.୫, ଦାରିଙ୍ଗବାଡିରେ ୯ ଡିଗ୍ରୀ ରହିଥିଲା ରାତି ତାପମାତ୍ରା ।

୧୦ ସହରରେ ତାପମାତ୍ରା ୧୦ ଡିଗ୍ରୀ ଓ ତା’ଠାରୁ ତଳେ ରହିଛି ।  ଭୁବନେଶ୍ୱରରେ ୧୩ ଡ଼ିଗ୍ରୀ ଏବଂ କଟକରେ ୧୩.୨ ଡ଼ିଗ୍ରୀ ରାତ୍ରି ତାପମାତ୍ରା ରେକର୍ଡ ହୋଇଚି । ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ତାପମାତ୍ରା ସ୍ୱାଭାବିକ ଠାରୁ ୪ ଡିଗ୍ରୀ ଖସିଚି ।  ଆଗାମୀ ୫ଦିନ ପର୍ଯ୍ୟନ୍ତ ତାପମାତ୍ରା ଏଭଳି ରହିବା ସହ ପାଗ ଶୁଖିଲା ରହିବ । ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ କୁହୁଡି ଦୃଶ୍ୟମାନ ହେବ।