ହଟ୍ଟଗୋଳ ନାଁରେ ବିରୋଧୀ ଲୋକଙ୍କ ଟଙ୍କାକୁ କଲେ ଅପଚୟ, ସରିଲା ଶୀତ ଅଧିବେଶନ

ଭୁବନେଶ୍ବର: ଶେଷ ହେଲା ବିଧାନସଭା ଶୀତକାଳୀନ ଅଧିବେଶନ । ହେଲେ ଅଧିବେଶନ ଶେଷ ହେବାକୁ ନେଇ ରାଜ୍ୟ ରାଜନୀତି ସରଗରମ । ଗୃହ ବନ୍ଦ ହେବା ପଛର ମୁଖ୍ୟ କାରଣ ବିରୋଧୀଙ୍କ ବିଶୃଙ୍ଖଳା ବୋଲି ଶାସକ ଦଳ କହିଛି । ଏଥିସହ ସରକାରୀ କାର୍ଯ୍ୟ ଦିବସ ନଥିବାରୁ ଗୃହକୁ ବାଚସ୍ପତି ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ରଖିଛନ୍ତି । ଯାହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ଶାସକ ଓ ବିରୋଧୀ ।

ଶୀତ ଅଧିବେଶନ ଶେଷ ହୋଇଥିଲେ ବି ସରିନି କାଦୁଅ ଫିଙ୍ଗା ରାଜନୀତି । ମାତ୍ର ୪ ଦିନ ବିଧାନସଭା ଚାଲିବା ନେଇ ଶାସକ ଓ ବିରୋଧୀ ମୁହାଁମୁହିଁ ହୋଇଛନ୍ତି । ସୂଚନାଯୋଗ୍ୟ, ଗୋଟିଏ ଦିନ ବି ସୁରୁଖୁରୁରେ ବିଧାନସଭା ଚାଲିପାରିଲାନି । ବିରୋଧୀଙ୍କ ହଟ୍ଟଗୋଳ ଭିତରେ ଅପଚୟ ହୋଇଗଲା ସମୟ । ଧୋଇଗଲା ପ୍ରଶ୍ନକାଳ, ଶୂନ୍ୟକାଳ, ମୁଲତବି ଆଲୋଚନା ପରି ଅନେକ କାର୍ଯ୍ୟସୂଚୀ । ୪ ଦିନରୁ ୨ଦିନ ପୂରା ଅଚଳାବସ୍ଥା ଜାରି ରହିଲା । ଫଳରେ ସରକାରୀ କାର୍ଯ୍ୟ ଦିବସ ନଥିବାରୁ ବିଧାନସଭାକୁ ଅନର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କଲେ ବାଚସ୍ପତି ।

ଗତ ୨୧ ତାରିଖରୁ ଆରମ୍ଭ ହୋଇଥିଲା ବିଧାନସଭାର ଶୀତ ଅଧିବେଶନ । ପ୍ରଥମ ଦିନ ଦିଂବଗତଙ୍କୁ ଶ୍ରଦ୍ଧାଞ୍ଜଳି ପରେ ଗୃହକୁ ମୁଲତବି କରାଯାଇଥିଲା । ଦ୍ବିତୀୟ ଓ ତୃତୀୟ ଦିନରେ ଲାଗି ରହିଲା ହଟ୍ଟଗୋଳ । ବାଚସ୍ପତି ନିଜ ଆସନକୁ ଆସିବା କ୍ଷଣି ବିରୋଧୀ ବିଧାୟକମାନେ ହଟ୍ଟଗୋଳ କରିଥିଲେ । ବାରମ୍ବାର ଗୃହ  ମୁଲତବି ରହିଲା । ଗୃହ ସୁପରିଚାଳନା ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକି ଆଲୋଚନା କଲେ । ହେଲେ କିଛି ଲାଭ ହେଲାନି । ବିଧାନସଭାରେ ଆଉ କୌଣସି ସରକାରୀ କାର୍ଯ୍ୟ ଦିବସ ନଥିବାରୁ ଗୃହକୁ ଅନର୍ଦ୍ଦିଷ୍ଟ କାଳ ବନ୍ଦ କରିବାକୁ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ପ୍ରସ୍ତାବ ଆଣିଲେ । ଏଥିରେ ଗୃହ ସହମତ ହୋଇଥିଲା । ସେପଟେ କିନ୍ତୁ ବିଧାନସଭାକୁ ଅଚଳ କରି ବିରୋଧୀ ବିଧାନସଭା ଚାଲିବା ନେଇ ରାଜନୀତି ଆରମ୍ଭ କରିଛନ୍ତି ।

ବିଧାନସଭା ଚଳାଇ ନଦେଇ ରାଜନୈତିକ ସ୍ବାର୍ଥ ପାଇଁ ବାହାରେ ଦୁଇ ବିରୋଧୀ ଗଣତନ୍ତ୍ର ମନ୍ଦିରକୁ ନେଇ ରାଜନୀତି କରିବା ଦୁର୍ଭାଗ୍ୟଜନକ ବୋଲି ଶାସକ ଦଳ କହିଛି । ଶାସକ ଦଳ ସବୁବେଳେ ଗୃହ ଚାଲିବାରେ ସହଯୋଗ କରିବା ସହ ବିରୋଧୀଙ୍କୁ ମୁକାବିଲା କରିବାକୁ ପ୍ରସ୍ତୁତ ଥିଲା ବୋଲି ବିଜେଡି ବିଧାୟକ ରାଜକିଶୋର ଦାସ କହିଛନ୍ତି । ଲୋକଙ୍କ ଟିକସରେ ଗୋଟିଏ ଦିନ ବିଧାନସଭା ଚାଲିଲେ ୫୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହେଉଥିବାରୁ ବିରୋଧୀ ଗୃହ କାର୍ଯ୍ୟ ଜାଣିଶୁଣି ବନ୍ଦ କରିବା ଦୁଃଖଦାୟକ ବୋଲି ଶାସକ ଦଳ କହିଛି ।

ଶୀତ ଅଧିବେଶନରେ ଗୋଟିଏ ବିଲ୍‌ ପାସ୍ ହୋଇଥିବା ବେଳେ ଗୋଟିଏ ମୁଲତବି ପ୍ରସ୍ତାବ, ୫୪ଟି କାଗଜ, ୧୭ଟି ବାର୍ଷିକ ରିପୋର୍ଟ, ୫ଟି ବେସକାରୀ ବିଲ୍‌ ଆଗତ ହୋଇଥିଲା ।