ମୁଖ୍ୟମନ୍ତ୍ରୀ ବସ୍ ଧକ୍କାରେ ମହିଳା ମୃତ, ପ୍ରତିବାଦରେ ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ
ନନ୍ଦିଘୋଷ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ବସ୍ ନେଲା ଜୀବନ । ଗଞ୍ଜାମ ଜିଲ୍ଲା ବାସୁଦେବପୁର ପଞ୍ଚାୟତ ଅନ୍ତର୍ଗତ ବଜାପଲ୍ଲୀ ଛକ ନିକଟରେ ମହିଳାଙ୍କୁ ଧକ୍କା ଦେଲା ମୁଖ୍ୟମନ୍ତ୍ରୀ ବସ୍ । ଘଟଣାସ୍ଥଳରେ ଚାଲିଗଲା ମହିଳାଙ୍କ ଜୀବନ । ମୃତକ ହେଲେ ବଜାପଲ୍ଲୀ ଗାଁର କେସାରସୁଲୁ ରେଡ୍ଡୀଙ୍କୁ ଧକ୍କା ଦେଇଥିଲା ।
ଦୁର୍ଘଟଣା ପରେ ବସ୍ ଡ୍ରାଇଭରକୁ ଅଟକ ରଖିଲେ ଗ୍ରାମବାସୀ । ଡ୍ରାଇଭର ଜଣଙ୍କ ପ୍ରଚୁର ମଦ ପିଇ ଗାଡି ଚଲାଉଥିବା ବେଳେ ଦୁର୍ଘଟଣା ଘଟାଇଥିବା ଅଭିଯୋଗ । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିବା ସହ ମୃତ ମହିଳାଙ୍କ ପରିବାରକୁ କ୍ଷତିପୂରଣ ଯୋଗାଇ ଦେବାକୁ ଦାବି କରିଛନ୍ତି ।
ଖବର ପାଇଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ସହ ମୁଖ୍ୟମନ୍ତ୍ରୀ ବସ୍ ଡ୍ରାଇଭରଙ୍କୁ ଗିରଫ କରିଛି । ଏହାସହ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି ।

