ସାପ ଭୟରେ ବୃଦ୍ଧାଙ୍କ ମୃତ୍ୟୁ, ରାତି ସାରା ଗଛରେ ବସିଲେ କୁକୁଡ଼ା

ପୁରୀ: ମୃତ୍ୟୁ, କେତେବେଳେ କେଉଁ ରୂପରେ ଆସେ ତାହା ସମସ୍ତଙ୍କୁ ଅଜଣା । ଲାଗୁଥିବ ସବୁ କିଛି ଠିକ ଚାଲିଛି, ହେଲେ ହଠାତ ଚାଲିଯିବ ଜୀବନ । ଏମିତି କିଛି ଘଟିଛି ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ସେବକ ସାହିରେ । ଏକ ସାପକୁ ଦେଖି ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି । ସେତିକି ନୁହେଁ ସାପ ଭୟରେ କୁକୁଡ଼ା ସାରା ରାତି ଗଛରେ ବିତାଇଛି ।

ସୂଚନା ଅନୁସାରେ, ସେବକ ସାହିର ଲକ୍ଷ୍ମୀଧରଙ୍କ ଏକ କୁକୁଡ଼ା ଭାଡି ରହିଛି । ଗତକାଲି ଏକ ନାଗ ସାପ କୁକୁଡ଼ା ଭାଡି ଆଡକୁ ଯାଉଥିବା ଲକ୍ଷ୍ମୀଧରଙ୍କ ପତ୍ନୀ ନାରଖାରୀ ଦେଖିଥିଲେ । ସାପଟିକୁ ଦେଖି ସେ ଚିତ୍କାର କରିବା ସହ ଅଚେତ ହୋଇ ଯାଇଥିଲେ । ତାଙ୍କ ଚିତ୍କାର ଶୁଣି ପରିବାର ଲୋକେ କୁକୁଡ଼ା ଭାଡି ପାଖରେ ପହଞ୍ଚି ତାଙ୍କୁ ଉଦ୍ଧାର କରିବା ସହ ସ୍ନେକ ହେଲ୍ପଲାଇନକୁ ଖବର ଦେଇଥିଲେ । ଏହାସହ କୁକୁଡ଼ା ଭାଡ଼ିକୁ ଖୋଲି ଦେଇଥିଲେ । ନାରଖାରୀଙ୍କୁ ବାରଣ୍ଡାକୁ ନେଇ ପାଣି ଛିଞ୍ଚି ଥିଲେ । ହେଲେ ସେତେବେଳକୁ ତାଙ୍କ ଜୀବନ ଚାଲି ଯାଇଥିଲା ।

ଅନ୍ୟପକ୍ଷେ ସାପ ଭୟରେ କୁକୁଡ଼ା ଓ କୁକୁଡ଼ା ଚିଆଁ ଆଖପାଖରେ ଥିବା ଗଛ ଉପରକୁ ଚାଲି ଯାଇଥିବା ଦେଖିବାକୁ ମିଳିଥିଲା । ଭୟ ଏମିତି ଥିଲା ଯେ, ସାରା ରାତି କୁକୁଡ଼ା ଗୁଡ଼ିକ ସେହି ଗଛରେ ବିତାଇଥିଲେ । ଭାଡ଼ି ପାଖରେ କେହି ସାପଟିକୁ ଦେଖି ନଥିଲେ ବି କିଛି ଦୂରରୁ ଉଦ୍ଧାର କରାଯାଇଥିଲା ।