ବସ୍‌ଙ୍କ ଉପରେ ରାଗି ଏଭଳି କାଣ୍ଡ ଭିଆଇଲେ ମହିଳା କର୍ମଚାରୀ, କରିଦେଲେ ୯ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ

1 min read

ଥାଇଲାଣ୍ଡ: ଅଫିସରେ ବସଙ୍କ ସହ କର୍ମଚାରୀଙ୍କ ତୁ ତୁ ମେଁ ମେଁ କଥା ତ ଆପଣ ଶୁଣିଥିବେ । ବସଙ୍କ ସହ ବଚସା ପରେ ଅନେକ କର୍ମଚାରୀ ନିଜ ଚାକିରି ହରାଇବା ମଧ୍ୟ ଦେଖିଥିବେ । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଘଟଣା ବିଷୟରେ କହିବୁ ଯାହାକୁ ଶୁଣିଲା ପରେ ଆପଣଙ୍କ ହୋସ ଉଡ଼ିଯିବ । ଜଣେ ମହିଳା କର୍ମଚାରୀ ନିଜ ବସଙ୍କ ଉପରେ ରାଗିଯାଇ ଏମିତି କାଣ୍ଡ ଭିଆଇଲେ ଯାହାପରେ ବସଙ୍କୁ କୋଟି କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଲା । କର୍ମଚାରୀ ଜଣଙ୍କ ମାଲିକଙ୍କ ତେଲ ଗୋଦାମକୁ ନିଆଁ ଲଗାଇ ଉଡାଇ ଦେଇଛନ୍ତି । ଯେଉଁଠାରେ କି ସେ ନିଜେ କାମ କରୁଥିଲେ । ଘଟଣା ଘଟିଛି ଥାଇଲାଣ୍ଡରେ । ନିଜ ବସଙ୍କ ସହ ଝଗଡ଼ା ପରେ ମହିଳା କର୍ମଚାରୀ ଜଣଙ୍କ କାମ କରୁଥିବା ତେଲ ଗୋଦାମରେ ନିଆଁ ଲଗାଇଦେଇଛନ୍ତି । ସୂଚନା ଅନୁଯାୟୀ ଏକ କାଗଜ ଟୁକୁଡ଼ାରେ ମହିଳା ଜଣକ ନିଆଁ ଲଗାଇ Fuel Container କୁ ଫିଙ୍ଗି ଦେଇଥିଲେ, ଯାହା ଫଳରେ ପ୍ରପାକର୍ଣ୍ଣ ଅଏଲ ଗୋଦାମରେ ନିଆ ଲାଗିଯାଇଥିଲା । ଏହି ଘଟଣା ପରେ  କମ୍ପାନୀକୁ କୋଟି କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୩୮ବର୍ଷୀୟ ଅଭିଯୁକ୍ତ ମହିଳା କର୍ମଚାରୀଙ୍କ ନାମ ଆନ୍ ଶ୍ରୀୟା । ତାଙ୍କୁ ତାଙ୍କ ମାଲିକ ଟେନସନ ଦେବା ସହ ନିର୍ଯାତନା ଦେଉଥିଲେ । ବାଧ୍ୟହୋଇ ମହିଳା କର୍ମଚାରୀ ଜଣଙ୍କ ଅଏଲ କଣ୍ଟେନରକୁ ନିଆଁ ଲଗାଇଦେଇଥିଲେ । ଯାହା ଦ୍ୱାରା ନାଖୋନ୍ ପାଥୋମ୍ ପ୍ରଦେଶରେ ଅଗ୍ନିକାଣ୍ଡ ସୃଷ୍ଟି ହୋଇଥିଲା । ପରିସ୍ଥିତି ଏପରି ହୋଇଥିଲା ଯେ, ସେଠାରେ କିଛି ସମୟ ପାଇଁ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା । ୪୦ ରୁ ଅଧିକ ଅଗ୍ନିଶମ ଗାଡି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ । ନିଆଁକୁ ଆୟତ୍ତ କରିବା ପାଇଁ ପ୍ରାୟ ଚାରି ଘଣ୍ଟା ସମୟ ଲାଗିଥିଲା । ତେବେ ସେତେବେଳକୁ କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଥିଲା ।

ସୂଚନା ଅନୁଯାୟୀ କଣ୍ଟେନରରେ ଏକ ହଜାର ଗ୍ୟାଲୋନ ତେଲ ଥିଲା । ଏହି ଘଟଣାରେ କମ୍ପାନୀକୁ ୯ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି । ୨୯ ତାରିଖ ଦିନ ଏହି ଘଟଣା ଘଟିବା ପରେ ଉକ୍ତ ମହିଳାଙ୍କ ବିରୋଧରେ ଆକ୍ସନ ନିଆଯାଇଛି ।

ଅଭିଯୁକ୍ତ ମହିଳା ଗିରଫ

ପୋଲିସର ସୂଚନାନୁସାରେ, ଏନ ଶ୍ରୀୟାଙ୍କୁ ଗିରଫ କରାଯାଇ ଏବଂ ସେ ସ୍ୱୀକାର କରିଛନ୍ତି ଯେ ନିଆଁ ସେ ଲଗାଇଥିଲେ । ଅଭିଯୁକ୍ତ ମହିଳା ଦାବି କରିଛନ୍ତି ଯେ ତାଙ୍କ ମାଲିକ ତାଙ୍କୁ କାମ ପାଇଁ ହଇରାଣ କରୁଥିଲେ । ଏଥିରେ ବିବ୍ରତ ହୋଇ ସେ ଏହି ପଦକ୍ଷେପ ନେଇଥିଲେ। ଏହି ଅଗ୍ନିକାଣ୍ଡରେ ଦଶରୁ ଅଧିକ ଘର ମଧ୍ୟ ନଷ୍ଟ ହୋଇଥିବା ଜଣାଯାଇଛି । ପୋଲିସ କଂପାନିର ମାଲିକଙ୍କୁ ମଧ୍ୟ ପଚରାଉଚରା କରିଛି, ମାଲିକଙ୍କ କହିବା ଅନୁଯାୟୀ, ମହିଳା ଜଣକ ଗତ ୯ ବର୍ଷ ଧରି ଏଠାରେ କାମ କରି ଆସୁଥିଲେ । କିନ୍ତୁ ଏପରି କାମ ସେ କେବେ କରିବେ ବୋଲି ତାଙ୍କର ଧାରଣା ନଥିଲା ।

Leave a Reply