ଦିବ୍ୟାଙ୍ଗ ପିଲାକୁ ଧରି ୧୩ ମହଲାରୁ ଡେଇଁ ପଡ଼ିଲେ ମହିଳା

1 min read

ନନ୍ଦିଘୋଷ ବ୍ୟୁରୋ: ଉତ୍ତର ପ୍ରଦେଶ ଗ୍ରେଟର ନୋଏଡାରେ ହୃଦୟ ବିଦାରକ ଘଟଣା । ନିଜର ୧୩ ବର୍ଷର ଦିବ୍ୟାଙ୍ଗ ସନ୍ତାନ ସହ ୧୩ ମହଲାରୁ ଡେଇଁ ପଡିଲେ ମହିଳା । ଗ୍ରେଟର ନୋଏଡାର ଏସ୍ ସିଟି ସୋସାଇଟିରେ ଘଟିଛି ଘଟଣା । ବହୁତଳ ପ୍ରାସାଦରୁ ଡେଇଁ ପଡିବାରୁ ଉଭୟଙ୍କ ମୃତ୍ୟୁ ଘଟିଛି ।

ଖବର ପାଇ ବିସରାଖ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ମୃତ ମହିଳାଙ୍କ ନାଁ ସାକ୍ଷୀ ଚାୱଲା ବୋଲି ଜଣାପଡିଛି । ପୋଲିସ ସାକ୍ଷୀଙ୍କ ଏକ ଚିଠି ଜବତ କରିଛି । ସ୍ବାମୀ ଦର୍ପଣ ଚାୱଲାଙ୍କ ଉଦ୍ଦେଶ୍ୟରେ ଲିଖିତ ଚିଠିରେ ସେ ଲେଖିଛନ୍ତି- ଆମେ ଏହି ଧରାରୁ ବିଦାୟ ନେଉଥିବାରୁ ଦୁଃଖିତ । ଆମେ ଆପଣଙ୍କୁ କଷ୍ଟ ଦେବାକୁ ଚାହୁଁନାହୁଁ । ଆପଣଙ୍କ ଜୀବନ ନଷ୍ଟ ଲାଗି ଆମେ ଚାହୁଁନାହୁଁ । ଆମର ମୃତ୍ୟୁ ଲାଗି କେହି ଦାୟୀ ନୁହନ୍ତି ।

ସାକ୍ଷୀଙ୍କ ସନ୍ତାନ ଦୀର୍ଘ ଦିନ ଧରି ମାନସିକ ଅକ୍ଷମ ଥିଲେ । ଦୀର୍ଘ ଚେଷ୍ଟା କରିଥିଲେ ବି ତାଙ୍କ ଅବସ୍ଥା ସୁଧୁରି ନଥିଲା । ଏହାକୁ ନେଇ ସେ ଗଭୀର ମାନସିକ ଦୁଃଶ୍ଚିନ୍ତାରେ ଗତି କରୁଥିଲେ । ଛାତରୁ ଡେଇଁବା ପୂର୍ବରୁ ପୁଅକୁ ଔଷଧ ଦେବାକୁ ସାକ୍ଷୀ  କହିଥିଲେ। ଏହାର କିଛି ସମୟ ପରେ ସାକ୍ଷୀ ତାଙ୍କ ସନ୍ତାନକୁ ନେଇ ବାଲକୋନିକୁ ଯାଇ ଡେଇଁ ପଡିଥିଲେ।