ମିସ୍ ଓ୍ୱାର୍ଲଡ଼ ପ୍ରତିଯୋଗୀଙ୍କ ପାଦ ଧୋଇବା ଘଟଣାକୁ ନେଇ ବଢିଲା ରାଜନୀତି

ନନ୍ଦିଘୋଷ ବ୍ୟୁରୋ : ମିସ୍ ୱାର୍ଲଡ ପ୍ରତିଯୋଗୀଙ୍କ ପାଦ ଧୋଇବା ଘଟଣାକୁ ନେଇ ବଢିଲା ରାଜନୀତି। ଏକ ମନ୍ଦିରରେ ପ୍ରତିଯୋଗୀଙ୍କ ପାଦ ଧୋଇବା ଘଟଣାକୁ ନେଇ କଂଗ୍ରେସ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ଓ ବିଆରଏସ। ଭାରତୀୟ ମହିଳାଙ୍କ ସମ୍ମାନ ଉପରେ ଏହି ଘଟଣା ଆଞ୍ଚ ଆଣିଛି ବୋଲି କହିଛନ୍ତି ବିରୋଧୀ।

ତେଲଙ୍ଗାନାର ମୁଲୁଗୁ ଜିଲ୍ଲା ଅନ୍ତର୍ଗତ ରାମାପ୍ପା ମନ୍ଦିରରେ କେତେକ ମହିଳା ମିସ୍ ୱାର୍ଲଡ ପ୍ରତିଯୋଗୀଙ୍କ ପାଦ ଧୋଇବା ଓ ପୋଛିବାର ଭିଡିଓ ପଦାକୁ ଆସିବା ପରେ ସୃଷ୍ଟି ହୋଇଥିଲା ବିବାଦ। ମନ୍ଦିରର ପରାମ୍ପରା ରହିଛି ମନ୍ଦିରରେ ପ୍ରବେଶ କରିବା ପୂର୍ବରୁ ଗୋଡହାତ ଧୋଇବା। ଶାରୀରିକ ଓ ଆଧ୍ୟାତ୍ମିକ ପବିତ୍ରତା ଲାଗି ଗୋଡ ଧୋଇବା ବ୍ୟବସ୍ଥା ରହିଛି। ତେଲଙ୍ଗାନାର ସ୍ବାଭିମାନ ପ୍ରତି ଏହି ଘଟଣା ଆଞ୍ଚ ଆଣିଛି ବୋଲି କହିଛନ୍ତି ଭାରତ ରାଷ୍ଟ୍ର ସମିତିର କେତେକ ପୂର୍ବତନ ମନ୍ତ୍ରୀ। ନିଃସର୍ତ୍ତ କ୍ଷମା ପ୍ରାର୍ଥନା ଲାଗି କଂଗ୍ରେସ ହାଇକମାଣ୍ଡଙ୍କ ନିକଟକୁ ସେମାନେ ପତ୍ର ଲେଖିଛନ୍ତି।

ପ୍ରତିଯୋଗୀମାନଙ୍କ ପାଦ ଧୋଇବା କାମରେ ଦଳିତ, ଆଦିବାସୀ ଓ ଆର୍ଥିକ ପଛୁଆ ବର୍ଗ ମହିଳାକୁ ନିୟୋଜିତ କରାଯାଇଥିଲା ବୋଲି ସେମାନେ ଅଭିଯୋଗ କରିଛନ୍ତି। ଏହି ପ୍ରତିଯୋଗିତା ଲାଗି ସରକାର ୨୦୦ କୋଟି ଟଙ୍କା ଖର୍ଚ୍ଚ କରୁଥିବା ଅଭିଯୋଗ କରିଛନ୍ତି ବିଭିନ୍ନ ସଂଗଠନ। ତେବେ ପବିତ୍ରତା ରକ୍ଷା ଲାଗି ଏହା ଏକ ପାରମ୍ପରିକ ବ୍ୟବସ୍ଥା ଥିଲା ବୋଲି କହିଛନ୍ତି ମିସ୍ ୱାର୍ଲଟ ସଂଗଠନ।