ମହିଳା ଟି-୨୦ ବିଶ୍ୱକପ: ଆଜି ପ୍ରଥମ ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ଭେଟିବ ଭାରତ

1 min read

କେପଟାଉନ୍: ଆଜି ମହିଳା ଟି-୨୦ ବିଶ୍ୱକପରେ ଖେଳାଯିବ ପ୍ରଥମ ସେମିଫାଇନାଲ । ଦକ୍ଷିଣ ଆଫ୍ରିକାର କେପଟାଉନରେ ଖେଳାଯିବାକୁ ଥିବା ଏହି ମ୍ୟାଚରେ ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ । ମହିଳା ଟି-୨୦ ବିଶ୍ୱକପରେ ଗ୍ରୁପ୍-୧ରେ ଟପ୍ କରିଥିବା ଅଷ୍ଟ୍ରେଲିଆକୁ ଭେଟିବ ଗ୍ରୁପ-୨ରେ ଟପ୍ କରିଥିବା ଭାରତ । ଏହି ନକଆଉଟ ମ୍ୟାଚରେ ଭଲ ପ୍ରଦର୍ଶନ କରି ଫାଇନାଲରେ ନିଜ ସ୍ଥାନ ପକ୍କା କରିବାକୁ ଚେଷ୍ଟା କରିବ ଟିମ୍ ଇଣ୍ଡିଆ ।

ଚଳିତ ଟି-୨୦ ବିଶ୍ୱକପରେ ଭାରତ ଏପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରିଛି । ଉଭୟ ବ୍ୟାଟିଂ ଓ ବୋଲିଂ ବିଭାଗରେ ଦମଦାର ପ୍ରଦର୍ଶନ କରି ସେମିଫାଇନାଲରେ ନିଜ ସ୍ଥାନ ପକ୍କା କରିଥିଲା ଭାରତ । ଗ୍ରୁପ୍ ପର୍ଯ୍ୟାୟରେ ଖେଳାଯାଇଥିବା ୪ଟି ମ୍ୟାଚରୁ ୩ଟି ମ୍ୟାଚରେ ରୋମାଞ୍ଚକର ବିଜୟ ହାସଲ କରିଥିଲା ଟିମ୍ ଇଣ୍ଡିଆ । ଗ୍ରୁପ୍ ପର୍ଯ୍ୟାୟରେ କେବଳ ଇଂଲଣ୍ଡଠୁ ପରାସ୍ତ ହୋଇଥିଲା ଭାରତ । ତେବେ ଗ୍ରୁପ୍ ପର୍ଯ୍ୟାୟରେ ଭଲ ପ୍ରଦର୍ଶନ ପରେ ଏବେ ଟିମ୍ ଇଣ୍ଡିଆର ଲକ୍ଷ୍ୟ ସେମିଫାଇନାଲ ଉପରେ । ସେମିଫାଇନଲରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ପରାସ୍ତ କରି ଫାଇନାଲ ଖେଳିବାକୁ ଚେଷ୍ଟା କରିବ ଟିମ୍ ଇଣ୍ଡିଆ ।

ସେପଟେ ଅଷ୍ଟ୍ରେଲିଆ କଥା ଯଦି କହିବା ତାହାଲେ ଅଷ୍ଟ୍ରେଲିଆ ଲଗାତର ଭାବରେ ବଡ଼ ଟୁର୍ଣ୍ଣାମେଣ୍ଟ ଚମତକାର ପ୍ରଦର୍ଶନ କରିଆସୁଛି । ଚଳିତ ଟି-୨୦ ବିଶ୍ୱକପର ଗ୍ରୁପ୍ ପର୍ଯ୍ୟାୟରେ ଅଷ୍ଟ୍ରେଲିଆ ସମସ୍ତ ୪ଟି ମ୍ୟାଚ୍ ଜିତି ଗ୍ରୁପ୍-୧ରେ ଶୀର୍ଷ ସ୍ଥାନରେ ରହିଥିଲା । ତେବେ ଅଷ୍ଟ୍ରେଲିଆ ଗ୍ରୁପ୍ ପର୍ଯ୍ୟାୟରେ ସଫଳତା ପାଇବା ପରେ ସେମିଫାଇନାଲରେ ମଧ୍ୟ ବିଜୟ ଲାଭ କରି ଫାଇନାଲରେ ପହଞ୍ଚିବାକୁ ଚେଷ୍ଟା କରିବ ।