ମୁଖ୍ୟମନ୍ତ୍ରୀଙ୍କ ଭିଜନ-୨୦୩୬ର ସାରଥି ହେବେ ମହିଳା

1 min read

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଜନ-୨୦୩୬ର ପ୍ରମୁଖ ସାରଥି ସାଜିବେ ମହିଳା । ମହିଳାଙ୍କୁ ସଶକ୍ତ ଓ ସ୍ବାବଲମ୍ବୀ କରିବା ପାଇଁ ନବୀନଙ୍କ ମନ୍ତ୍ର ସଫଳ ହେଉଛି । ସାମାଜିକ, ଆର୍ଥିକ ଓ ରାଜନୈତିକ କ୍ଷେତ୍ରରେ ସଶକ୍ତ କରିବା ପାଇଁ ବିଭିନ୍ନ ଯୋଜନାର ହେଉଛି ସଫଳ ରୂପାୟନ। ଏହି ପ୍ରକ୍ରିୟାରେ ପୁଣି ଥରେ ଲୋକସଭା ନିର୍ବାଚନରେ ବିଜେଡି ୩୩ ପ୍ରତିଶତ ମହିଳାଙ୍କୁ ପ୍ରାର୍ଥୀ କରିବା ପାଇଁ ଘୋଷଣା କରିବା ପରେ ମହିଳାଙ୍କ ଭିତରେ ନୂଆ ଉତ୍ସାହ ସୃଷ୍ଟି ହୋଇଛି ।

ମାଆଙ୍କୁ ସମ୍ମାନ, ମାଆଙ୍କ ସଶକ୍ତିକରଣ । ଏ ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମହତ ଚିନ୍ତାଧାରା । ବିଜୁ ପଟ୍ଟନାୟକଙ୍କ ପରି ମହିଳାଙ୍କୁ ନବୀନ ସବୁ କ୍ଷେତ୍ରରେ ଅଗ୍ରାଧିକାର ଦେଉଛନ୍ତି । ବିଧାନସଭା ଓ ଲୋକସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ କରିବାକୁ ଉଦ୍ଯମ କରି ଆସୁଛନ୍ତି ନବୀନ । ୨୦୧୯ ଲୋକସଭା ନିର୍ବାଚନରେ ନବୀନ ୩୩ ପ୍ରତିଶତ ମହିଳା ପ୍ରାର୍ଥୀ ଦେଇଥିଲେ । ୨୦୨୪ ଲୋକସଭା ନିର୍ବାଚନରେ ମଧ୍ୟ ବିଜେଡି ୩୩ ପ୍ରତିଶତ ମହିଳା ପ୍ରାର୍ଥୀ ଦେବ। ଏହି ନିଷ୍ପତ୍ତି ମହିଳାଙ୍କ ଭିତରେ ନୂତନ ଉତ୍ସାହ ସୃଷ୍ଟି ହୋଇଛି । ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନରେ ମହିଳା ଗୁରୁତ୍ବପୂର୍ଣ୍ଣ ଭୂମିକା ନେବାକୁ ଯାଉଛନ୍ତି । ମାଆଙ୍କ ରାଜନୈତିକ ପ୍ରତିନିଧିତ୍ବ ବଢ଼ିଲେ, ସଶକ୍ତ ଓଡ଼ିଶା ଗଠନ ହୋଇପାରିବ ବୋଲି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ କହିଛନ୍ତି । ୨୦୩୬ ସୁଦ୍ଧା ଓଡ଼ିଶାକୁ ବିକଶିତ ରାଜ୍ୟ କରିବାରେ ମହିଳାମାନେ ପ୍ରମୁଖ ଭାଗିଦାର ହେବେ ।

ନୂତନ ଓଡ଼ିଶା ଗଠନର ମହାମନ୍ତ୍ର ହେଉଛି ମହିଳାଙ୍କୁ ନିଷ୍ପତ୍ତି ନେବାରେ କ୍ଷମତା ପ୍ରଦାନ । ନିର୍ବାଚିତ ମହିଳା ପ୍ରତିନିଧିଙ୍କୁ ନିଷ୍ପତ୍ତି ନେବାର କ୍ଷମତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମହିଳା ସଶକ୍ତିକରଣର ପୁରୋଧା ସାଜିଥିଲେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ । ତା’କୁ ଆହୁରି ଆଗକୁ ନେଇ ଚାଲିଛନ୍ତି ତାଙ୍କ ସୁପୁତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଞ୍ଚାୟତ ଓ ପୌରାଞ୍ଚଳରେ ମହିଳାଙ୍କ ପାଇଁ ୫୦ ପ୍ରତିଶତ ସ୍ଥାନ ସଂରକ୍ଷଣ, ମିଶନ ଶକ୍ତି ଓ ମମତା ପରି ଯୋଜନା ମହିଳାଙ୍କ ସାମାଜିକ ଓ ଆର୍ଥିକ ବିକାଶରେ ସହାୟକ ହୋଇଛି ।

ନବୀନ ପଟ୍ଟନାୟକଙ୍କ ବଳିଷ୍ଠ ନେତୃତ୍ବ ଓ ଦିଗଦର୍ଶନରେ ମାତୃ କଲ୍ୟାଣ, ମମତା, ଜାଗୃତି, ମହିଳା ହେଲପ୍ ଲାଇନ୍, ବିଜୁ କନ୍ୟାରତ୍ନ ଓ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଆଦି ଯୋଜନା କାର୍ଯ୍ୟକାରୀ ହେଉଛି । ମିଶନ ଶକ୍ତି ୭୦ ଲକ୍ଷ ମହିଳାଙ୍କ ଜୀବନରେ ଆଣିଛି ପରିବର୍ତ୍ତନ ।