ମହିଳା ଏସିଆ କପ୍ ହକି: ଚୀନକୁ ୨-୦ରେ ହରାଇ ହାତେଇଲା ବ୍ରୋଞ୍ଜ ମେଡାଲ    

2 min read

ମସ୍କାଟ: ମହିଳା ଏସିଆ କପ ହକିରେ ବ୍ରୋଞ୍ଜ ଜିତିଲା ଟିମ୍ ଇଣ୍ଡିଆ । ଶୁକ୍ରବାର ଖେଳାଯାଇଥିବା ବ୍ରୋଞ୍ଜ ମେଡାଲ ମୁକାବିଲାରେ ଭାରତ ଚୀନକୁ ୨-୦ରେ ପରାସ୍ତ କରି ହାତେଇଛି ବ୍ରୋଞ୍ଜ ମେଡାଲ । ଗତ ଏସିଆ କପରେ ଭାରତୀୟ ମହିଳା ଦଳ ଚମ୍ପିଆନ ହୋଇଥିବାବେଳେ ଚଳିତ ଥର ତୃତୀୟ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି ।

ଶୁକ୍ରବାର ଖେଳାଯାଇଥିବା ବ୍ରୋଞ୍ଜ ମେଡାଲ ମ୍ୟାଚ ଆରମ୍ଭରୁ ଭାରତ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲା । ଆରମ୍ଭରୁ ଚୀନକୁ ବ୍ୟାକଫୁଟରେ ରଖିଥିଲା ଟିମ୍ ଇଣ୍ଡିଆ । ପ୍ରଥମ କ୍ୱାଟରର ୧୩ତମ ମିନିଟରେ ଭାରତ ପକ୍ଷରୁ ଶର୍ମିଲା ପ୍ରଥମ ଗୋଲ୍ ସ୍କୋର କରି ଦଳକୁ ୧-୦ରେ ଆଗୁଆ କରିଥିଲେ । ଏହା ପରେ ୧୯ତମ ମିନିଟରେ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରଣିତ କରିଥିଲେ ଗୁରଜିତ । ଏହି ଗୋଲ ସହ ଦ୍ୱିତୀୟ କ୍ୱାଟର ଶେଷ ସୁଦ୍ଧା ଭାରତ ୨-୦ରେ ଆଗୁଆ ରହିଥିଲା । ଭାରତ ଏହି ବ୍ୟବଧାନକୁ ଶେଷ ପର୍ଯ୍ୟନ୍ତ ବଜାୟ ରଖିବାରେ ସଫଳ ହୋଇଥିଲା ।

ମସ୍କାଟରେ ଖେଳାଯାଇଥିବା ଏସିଆ କପରେ ଭାରତ ଭଲ ପ୍ରଦର୍ଶନ କରିପାରିନଥିଲା । ପୁଲ୍ ପର୍ଯ୍ୟାୟରେ ଭାରତ ୩ଟି ମ୍ୟାଚରୁ ୨ଟି ମ୍ୟାଚରେ ବିଜୟ ଲାଭ କରି ସେମିଫାଇନାଲରେ ନିଜ ସ୍ଥାନ ପକ୍କା କରିଥିଲା । କିନ୍ତୁ ସେମି ଫାଇନାଲ୍‌ରେ ଦକ୍ଷିଣ କୋରିଆ ନିକଟରୁ ଭାରତ ପରାସ୍ତ ହୋଇଥିଲା । ଯାହା ଫଳରେ ଫାଇନାଲ ରେସରୁ ବାଦ୍ ପଡ଼ିଥିଲା ଟିମ୍ ଇଣ୍ଡିଆ ।

ତେବେ ମହିଳା ଏସିଆ କପ୍ ହକିରେ ବ୍ରୋଞ୍ଜ ମେଡାଲ ହାସଲ କରିବା ପରେ ଭାରତୀୟ ମହିଳା ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ଟ୍ୱିଟ କରି କହିଛନ୍ତି କି ଚୀନକୁ ୨-୦ରେ ପରାସ୍ତ କରିବା ପରେ ମହିଳା ଏସିଆ କପ୍ ୨୦୨୨ରେ ବ୍ରୋଞ୍ଜ ପଦକ ହାସଲ କରିଥିବାରୁ ଭାରତୀୟ ହକି ଦଳକୁ ଅଭିନନ୍ଦନ । ସେମାନେ ସେମାନଙ୍କର ଉଜ୍ଜ୍ୱଳ ପ୍ରଦର୍ଶନ ସହିତ ଦେଶ ପାଇଁ ଗୌରବ ଆଣିବା ଜାରି ରଖନ୍ତୁ ବୋଲି ଟ୍ୱିଟ କରି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Leave a Reply