ମହିଳା ପ୍ରିମିୟମ ଲିଗ୍: ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଫାଇନାଲ ଟକ୍କର

ନୂଆଦିଲ୍ଲୀ: ମହିଳା ପ୍ରିମିୟମ ଲିଗରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ ମଧ୍ୟରେ ଆଜି ହେବ ଫାଇନାଲ ଫାଇଟ । ନୂଆଦିଲ୍ଲୀ ଅରୁଣ ଜେଟଲୀ ଷ୍ଟାଡିୟମରେ ସନ୍ଧ୍ୟା ସାଢ଼େ ୭ଟାରେ ଖେଳାଯିବ ମ୍ୟାଚ୍ । ରୋମାଞ୍ଚକ ଭାବେ ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସକୁ ୫ ରନରେ ହରାଇ ଫାଇନାଲରେ ପହଞ୍ଚିଛି ଆରସିବି । କ୍ୟାପିଟାଲ୍ସ ଦଳ କ୍ରମାଗତ ଭାବେ ଦ୍ବିତୀୟ ଥର ଫାଇନାଲ ଖେଳିବାକୁ ଯାଉଛି । ମାତ୍ର ରୟାଲ ଚ୍ୟାଲେଞ୍ଜର୍ସ ପ୍ରଥମ କରି ଫାଇନାଲ ଖେଳିବ । ସୀମିତ ସମୟ ମଧ୍ୟରେ ଅଗଣିତ ଫ୍ୟାନ୍ ସୃଷ୍ଟି କରି ଟାଇଟଲ ହାତେଇବା ଲକ୍ଷ୍ୟରେ ରହିଛି ଆରସିବି ।

ମେଗା ଲ୍ୟାନିଂଙ୍କ ନେତୃତ୍ବାଧୀନ କ୍ୟାପିଟାଲ୍ସ ଗତବର୍ଷ ଫାଇନାଲରେ ମୁମ୍ବାଇ ଇଣ୍ଡିଆନ୍ସ ଠାରୁ ପରାଜିତ ହୋଇଥିଲା । ଏଥର ଦଳ ଲିଗ୍ ପର୍ଯ୍ୟାୟରେ ଚମତ୍କାର ପ୍ରଦର୍ଶନ କରି ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ଦଖଲ କରିବା ସହ ସିଧାସଳଖ ଫାଇନାଲରେ ପ୍ରବେଶ କରିଥିଲା । ସେପଟେ ଫାଇନାଲରେ ପହଞ୍ଚିବାକୁ ବହୁ ସଂଘର୍ଷ କରିଥିଲା ଆରସିବି । ମୁମ୍ବାଇ ଇଣ୍ଡିଆନ୍ସକୁ ଏଲିମିନେଟର ମୁକାବିଲାରେ ହରାଇ ଆରସିବି ଫାଇନାଲରେ ଏଣ୍ଟ୍ରି ମାରିଛି । ଏବେ ଟାଇଟଲ ହାସଲ ଲକ୍ଷ୍ୟରେ ସ୍ମୃତି ମନ୍ଧନାଙ୍କ ଦଳ । ପ୍ରଶଂସକ ମଧ୍ୟ ମନ୍ଧନାଙ୍କ ଦଳ ସହ ରହିଛନ୍ତି । ମନ୍ଧନାଙ୍କ ବ୍ୟାଟିଂ ଦେଖିବାକୁ ପୁରା ଭାରତୀୟ କ୍ରିକେଟ ପ୍ରେମୀ ବେଶ୍ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।