ସାପକୁ ଅପରାଧିକ ଅସ୍ତ୍ର ଭାବେ ବ୍ୟବହାର ବନ୍ଦ କର

ଭୁବନେଶ୍ବର: ଏମ୍ସ ଭୁବନେଶ୍ବରର ଫୋରେନସିକ ମେଡ଼ିସିନ ବିଭାଗ ତରଫରୁ ସାପକୁ ଅପରାଧର ଅସ୍ତ୍ର ଭାବେ ବ୍ୟବହାର ବନ୍ଦ କରିବାକୁ ସ୍ନେକ ହେଲ୍ପ ଲାଇନ ସହଯୋଗିତାରେ ଦିନିକିଆ କର୍ମଶାଳା । ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ୮୦ ଜଣ ସାପ ଉଦ୍ଧାରକାରୀ ଏଇ କର୍ମଶାଳାରେ ଯୋଗ ଦେଇଥିଲେ । ସିଟି ଫରେଷ୍ଟ ଡିଭିଜନର ଜଣେ ଏସିଏଫ, ଜଣେ ରେଞ୍ଜରଙ୍କ ସମେତ ମୋଟ ୧୦ ଜଣ ଅଧିକାରୀ କର୍ମଶାଳାରେ ହୋଇଥିଲେ ସାମିଲ । ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଏକାଡ଼େମୀର କିଛି ପୁଲିସ ଅଧିକାରୀ ମଧ୍ୟ ଏଇ କର୍ମଶାଳାରେ ଯୋଗ ଦେଇଥିଲେ । ଏମ୍ସ ଭୁବନେଶ୍ବରର ଫୋରେନସିକ ବିଶେଷଜ୍ଞ ମାନେ ମଧ୍ୟ କର୍ମଶାଳାରେ ଯୋଗ ଦେଇଥିଲେ ।

ମୁଖ୍ୟଅତିଥି ଭାବେ ଯୋଗଦେଇ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡ଼େମୀର ଆଇଜି ପୋଲିସ ଏସ. ସାଇନି ସାପ ଉଦ୍ଧାରକାରୀଙ୍କୁ ନିଜ ଅଞ୍ଚଳରେ ସାପ ଦ୍ଵାରା ଯଦି କେହି କିଛି ଅପରାଧ ଘଟେଇଥିବାର ସୂଚନା ମିଳେ ତୁରନ୍ତ ଖବର ଦେବାକୁ କହିଥିଲେ ।

ଚଳିତବର୍ଷ ଓଡ଼ିଶାରେ ଦୁଇଟି ଜଘନ୍ୟ ଅପରାଧ ଘଟିଥିଲା । ଗଞ୍ଜାମ କବିସୂର୍ଯ୍ୟନଗର ଅଞ୍ଚଳରେ ୨୩ ବର୍ଷୀୟା ସ୍ତ୍ରୀ ଏବଂ ଦୁଇ ବର୍ଷୀୟା ଝିଅଙ୍କୁ ନାଗ ସାପ କାମୁଡେଇ ହତ୍ୟା କରିଥିଲା ସ୍ୱାମୀ । ନୟାଗଡ ଓଡଗାଁ ଅଞ୍ଚଳରେ ଜଣେ ଯୁବକ ଜଣେ ନାବାଳିକାଙ୍କ ଘରେ ନାଗ ସାପ ଛାଡି ଭୟଭୀତ କରିବା ସହିତ ଅତ୍ୟାଚାର କରି ପୋକସୋ ଆଇନ ବଳରେ ଗିରଫ ହେଇଥିଲା । ଅଧିକାଂଶ ମାମଲାରେ ପ୍ରମାଣ ଅଭାବରୁ ମାମଲା ଦୁର୍ବଳ ହୋଇଯାଉଥିବା ବେଳେ ଅଭିଯୁକ୍ତ ଖସି ଯିବାକୁ ସୁଯୋଗ ପାଉଛନ୍ତି ।