ବିଶ୍ବକପ୍ ଫାଇନାଲ: ଟିମ୍ ଇଣ୍ଡିଆର ୪ ଗେମ୍ ଚେଞ୍ଜର, କରିବେ କଙ୍ଗାରୁ ଶିକାର

ଭୁବନେଶ୍ବର: ଆଉ କିଛି ସମୟ ପରେ ଆରମ୍ଭ ହୋଇଯିବ ବିଶ୍ବକପର ଫାଇନାଲ ଟକ୍କର । ଏଥର ଟିମ୍ ଅଷ୍ଟ୍ରେଲିଆକୁ ଫାଇନାଲରେ ହରାଇ ୨୦୦୩ ପରାଜୟର ପ୍ରତିଶୋଧ ନେବାକୁ ପ୍ରସ୍ତୁତ ଭାରତୀୟ ଟିମ୍ । ୧୦ରୁ ୧୦ ମ୍ୟାଚ୍ ଜିତି ଫାଇନାଲକୁ ଆସିଥିବା ରୋହିତ ବାହିନୀ ପୂରା ଜୋସରେ ଅଛନ୍ତି । ଲିଗ୍ ପର୍ଯ୍ୟାୟରେ କଙ୍ଗାରୁ ଶିକାର କରିତିବା ଟିମ୍ ଇଣ୍ଡିଆ ଏହାକୁ ଦୋହରାଇ ତୃତୀୟ ଥର ପାଇଁ ବିଶ୍ବକପ୍ ମୁକୁଟ ପିନ୍ଧାବା ଲକ୍ଷ୍ୟରେ ରହିଛି । ତେବେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ହାଲକାରେ ନେଇ ହେବନି । କାରଣ ୫ ଥର ବିଶ୍ବ ଚାମ୍ପିୟନ ସ୍ଥିତି ଯେମିତି ବି ଥାଉ ମ୍ୟାଚର ମୋଡ଼ ବଦଳାଇବାକୁ ସକ୍ଷମ । ଏବେ ଭାରତୀୟ ଟିମ୍ ପୂରା ଫର୍ମରେ ଥିବା ବେଳେ ସେହି ୪ ଖେଳାଳି ଯିଏ କଙ୍ଗାରୁକୁ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅଷ୍ଟ୍ରେଲିଆକୁ ଧୁଳି ଚଟାଇବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହେଇରହିଛି । ତେବେ ଆସନ୍ତୁ ଜାଣିବା ଭାରତର ଏହି ୪ ଗେମ୍ ଚେଞ୍ଜରଙ୍କ ସମ୍ପର୍କରେ ଓ ବର୍ତ୍ତମାନ ପର୍ଯ୍ୟନ୍ତ ସେମାନଙ୍କ ବିଶ୍ବକପ୍ ପରଫରମାନ୍ସ ଉପରେ ।

ରୋହିତ ଶର୍ମା: ଷ୍ଟ୍ରାଇକ ୧୨୪ ରେଟରୁ ଅଧିକ, ଦୁଇଟି ମ୍ୟାଚରେ ଫେଲ୍

ଟିମ୍ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମାଙ୍କ ବ୍ୟାଟରୁ ଯଦିଓ ଶତକୀୟ ପାରି ଦେଖିବାକୁ ମିଳିନି, ତଥାପି ତାଙ୍କ ଦମଦାର ଷ୍ଟ୍ରାଟ୍, ଭାରତକୁ ବଡ଼ ସ୍କୋର କରିବାକୁ ପ୍ଲାଟଫର୍ମ ଯୋଗାଇଛି । ବିଶ୍ବକପରେ ୧୦ଟି ମ୍ୟାଚରେ ୫୫ ପ୍ରତିଶତ ଆଭରେଜ ଓ ୧୨୪.୧୫ ଷ୍ଟ୍ରାଇକରେଟ୍ରେ ୫୫୦ ରନ୍ କରିସାରିଛନ୍ତି । ବଡ଼ କଥା ହେଲା ୫୫୦ ରନରୁ ୪୧୬ ରନ୍ ବାଉଣ୍ଡ୍ରି ମାରି ହାସଲ କରିଛନ୍ତି ରୋହିତ । କେବଳ ଦୁଇଟି ମ୍ୟାଚରେ ୪୦ରୁ କମ୍ ରନ୍ କରିଛନ୍ତି ।

ପାଓ୍ବାର ପ୍ଲେରେ ରୋହିତଙ୍କ ଷ୍ଟ୍ରାଇକରେଟ୍ ୧୩୩ ରହିଛି । ପାଓ୍ବାର ପ୍ଲେରେ ୪୨ ଚୌକା ଓ ୨୧ ଛକା ମାରି ସାରିଛନ୍ତି । ଯଦି ଫାଇନାଲରେ ରୋହିତଙ୍କ ବ୍ୟାଟ୍ ଏମିତି କଥା କୁହେ, ତେବେ ଟିମ୍ ଇଣ୍ଡିଆର ପଥ ସୁଗମ ହୋଇଯିବ ଓ କଙ୍ଗାରୁ ଟିମର କାମ ସରିଯିବ ।

ବିରାଟ କୋହଲି: ବିଶ୍ବକପରେ ୭୧୧ ରନ୍, ୧୦୧ ରନର ଷ୍ଟ୍ରାଇକ ରେଟ୍

ବିରାଟ କୋହଲି । ଚଳିତ ବିଶ୍ବକପର ଏକ ନମ୍ବର ବ୍ୟାଟ୍ସମ୍ୟାନ । ୧୦ ମ୍ୟାଚରୁ ୮ଟିରେ ୫୦ରୁ ଅଧିକ ରନ୍ କରିଛନ୍ତି । ତାଙ୍କ ବ୍ୟାଟିଂ ଆଭରେଜ ରହିଛି ୧୦୧.୫୭ ପ୍ରତିଶତ । ଦିନିକିଆ ବିଶ୍ବକପ୍ ନକ ଆଉଟରେ ଭାରତ ହାରିବା ଧାରାକୁ ଶତକ ମାରି ଭାଙ୍ଗି ସାରିଛନ୍ତି ।

କୋହଲିଙ୍କୁ ଗୋଟିଏ ପଟେ ଓ୍ବିକେଟ୍ ସମ୍ଭାଳିବା ଦାୟିତ୍ବ ମିଳିଛି । ଲଗାତାର ସିଙ୍ଗିଲ, ଡବଲ ବାହାର କରି ଷ୍ଟ୍ରାଇକ୍ ରୋଟେଟ୍ କରୁଛନ୍ତି । ଯଦି ଦୁଇ ଓପ୍ନର ରୋହିତ ଓ ଗିଲ ଫେଲ ହୁଅନ୍ତି ତେବେ କୋହଲି ମ୍ୟାଚକୁ ସମ୍ଭାଳି ନେବେ । ଲିଗ୍ ପର୍ଯ୍ୟାୟରେ ଭାରତ ୨ ରନର ୩ ଟି ଓ୍ବିକେଟ ହରାଇ ସଙ୍କଟରେ ପଡ଼ିଥିବା ବେଳେ କୋହଲି ଅର୍ଦ୍ଧ ଶତକ ମାରିବା ସହ ଭାରତକୁ ବିଜୟୀ କରାଇଥିଲେ ।

ରବୀନ୍ଦ୍ର ଜାଡେଜା: ବୋଲିଂ ଇକୋନମି ୫ରୁ କମ୍, ନେଲେଣି ୧୬ ଓ୍ବିକେଟ୍

୧୦ ମ୍ୟାଚରୁ ରବୀନ୍ଦ୍ର ଜାଡେଜା ୧୬ ଓ୍ବିକେଟ୍ ନେଇ ସାରିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷରେ ଜେଡେଜା ୪୩ ମ୍ୟାଚରୁ ୫୬୬ ରନ୍ କରିବା ସହ ୩୭ ଓ୍ବିକେଟ୍ ବି ନେଇଛନ୍ତି । ଜାଡେଜା ଆଇସିସି ଇଭେଣ୍ଟରେ ୫ ଫାଇନାଲରେ ଟିମ୍ ଇଣ୍ଡିଆର ସଦସ୍ୟ ରହିସାରିଛନ୍ତି ।

ଜାଡେଜାଙ୍କୁ ମ୍ୟାନ ଓ୍ବିଥ ଗୋଲ୍ଡେନ ଆର୍ମ କୁହାଯାଇଥାଏ । କେବଳ ବ୍ୟାଟିଂ ଓ ବୋଲିଂ ନୁହେଁ ଦୁନିଆର ଜଣେ ଖତରନାକ ଫିଲ୍ଡର । ତାଙ୍କ ହାତରୁ କ୍ୟାଚ୍ ଖସିବା ତ ମୁସ୍କିଲ, ରନ୍ ନେଲେ ଆଉଟ୍ ନିଶ୍ଚିତ । ଅଷ୍ଟ୍ରେଲିଆର ୪ରୁ ୮ ନମ୍ବର ପର୍ଯ୍ରନ୍ତ ସମସ୍ତ ଖେଳାଳି ଡାହାଣହାତୀ । ଏମାନଙ୍କ ବିପକ୍ଷରେ ଜାଡେଜା ଟିମ୍ ଇଣ୍ଡିଆର ଟ୍ରମ୍ପ କାର୍ଡ ହେବେ ।

ମହମ୍ମଦ ସାମି: ୪ ମ୍ୟାଚ ନଖେଳି ବି ୨୩ ଓ୍ବିକେଟ ସହ ଟପ୍ ବୋଳର

ବିଶ୍ବକପର ପ୍ରଥମ ୪ଟି ମ୍ୟାଚରେ ମହମ୍ମଦ ସାମିଙ୍କୁ ଖେଳିବାକୁ ସୁଯୋଗ ମିଳି ନଥିଲା । ଏହାପରେ ୬ଟି ମ୍ୟାଚରୁ ସେ ୨୩ ଓ୍ବିକେଟ ନେଇ ଟପ୍ ବୋଲର ହୋଇସାରିଛନ୍ତି । ଏହି ବିଶ୍ବକପରେ ୩ ଥର ୫ରୁ ଅଧିକ ଓ୍ବିକେଟ ନେଇ ସାରିଛନ୍ତି । କପିଲ ଦେବ, ଇମରାନ ଖାନ ଓ ରିଚାର୍ଡ ହେଡଲିଙ୍କ ଭଳି ବୋଲର ବି ଏମିତି କାରନାମା କରି ପାରିନାହାନ୍ତି ।

ସାମି ଏହି ବିଶ୍ବକପରେ ବାମହାତୀ ବ୍ୟାଟ୍ସମ୍ୟାନଙ୍କୁ ୫୨ଟି ବଲ ପକାଇଛନ୍ତି । ଏଥିରୁ ସେ ୮ ଓ୍ବିକେଟ ହାସଲ କରିଛନ୍ତି । ଅର୍ଥାତ ୯ ଓଭରରୁ କମ ବଲରେ ୮ ଓ୍ବିକେଟ୍ ନେଇଛନ୍ତି । ଅଷ୍ଟ୍ରେଲିଆ ଯିମରେ ଦୁଇ ଓପ୍ନରଙ୍କ ସହ ୪ ଜଣ ବ୍ୟାଟ୍ସମ୍ୟାନ ବାମହାତୀ । ଏହାବାଦ ସାମି ଏହି ବିଶ୍ବକପରେ ପାଓ୍ବାର ପ୍ଲେରେ ୮, ମିଡିଲ ଓଭରରେ ୭ ଓ ଡେଥ ଓଭରରେ ୬ ଓ୍ବିକେଟ୍ ନେଇଛନ୍ତି । ଅର୍ଥାତ ସେ ମ୍ୟାଚର ଯେକୌଣସି ସମୟରେ ଓ୍ବିକେଟ ନେଇ ଅଷ୍ଟ୍ରେଲିଆକୁ ଧୁଳି ଚଟାଇବାକୁ ସକ୍ଷମ ।