ବିଶ୍ବକପ୍ ବିଶ୍ବଯୁଦ୍ଧ: ଭାରତର ବ୍ୟାଟିଂ ବିପର୍ଯ୍ୟୟ, ୮୧ରେ ୩ ଓ୍ବିକେଟ ପତନ

ଅହମ୍ମଦାବାଦ: ଆରମ୍ଭ ହେଇସାରିଛି ଭାରତ ଓ ଅଷ୍ଟ୍ରେଲିଆ ବିଶ୍ବକପ୍ ଫାଇନାଲ ମ୍ୟାଚ । ଟସ୍ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଭାରତକୁ ଲାଗିଛି ପ୍ରାରମ୍ଭିକ ଝଟକା । ୧୦.୨ ଓଭରରେ ୮୧ ରନ୍ କରି ଭାରତ ୩ଟି ଓ୍ବିକେଟ ହରାଇଛି ।

ରୋହିତଙ୍କୁ ଭଲ ଷ୍ଟ୍ରାଟ ମିଳିଥିଲେ ବି ଅନ୍ୟତମ ଓପନର ଶୁଭମନ ଗିଲଙ୍କ ଜଲଓ୍ବା ଦେଖିବାକୁ ମିଳି ନଥିଲା । ଗିଲ ୭ଟି ବଲ ଖେଳି ମାତ୍ର ୪ ରନ କରି ଆଉଟ୍ ହୋଇଯାଇଥିଲେ ।

ତେବେ ଅଧିନାୟକ ରୋହିତ ଶର୍ମାଙ୍କ ବ୍ୟାଟରୁ ରନ୍ ବାହାରିବା ବନ୍ଦ ହୋଇନଥିଲା । ସେ ୩୧ ବଲର ସମ୍ମୁଖୀନ ହୋଇ ୪ ଚୌକା ଓ ୩ ଛକା ସହାୟତାରେ ୪୭ ରନ୍ କରି ଆଉଟ୍ ହୋଇଥିଲେ । ଏହାପରେ କ୍ରିଜକୁ ଆସିଥିବା ଶ୍ରେୟସ ଆୟର ବି ଫେଲ୍ ମାରିଥିଲେ । ୩ଟି ବଲ ଖେଳି ମାତ୍ର ୪ ରନ୍ କରି ଆଉଟ୍ ହୋଇଯାଇଥିଲେ ।

ତେବେ ଗୋଟିଏ ପଟରେ ଓ୍ବିକେଟ ଜଗି ରହିଛନ୍ତି ରନ୍ ମାଷ୍ଟର ବିରାଟ କୋହଲି । ୧୫.୪ ଓଭରରେ ଭାରତ ୧୦୦ ରନ୍ କରିଛି । କୋହଲି ୩୩ ବଲରୁ ୩୪ ରନ୍ କରିଛନ୍ତି । ଏଥିରେ ରହିଛି ୪ ଚୌକା ରହିଛି । ବର୍ତ୍ତମାନ ତାଙ୍କ ସହ ବ୍ୟାଟିଂ କରୁଛନ୍ତି କେ.ଏଲ. ରାହୁଲ । ୨୨ ବଲରେ ସେ ୧୦ ରନ୍ କରିଛନ୍ତି ।