ବିଶ୍ବକପ୍ ଫାଇନାଲ: ଷ୍ଟାଡିୟମ ବାହାରେ ଜନସମୁଦ୍ର, ପହଞ୍ଚିଲା ଟିମ୍ ଇଣ୍ଡିଆ

ଅହମ୍ମଦାବାଦ: ଆଉ କିଛି ସମୟକୁ ଅପେକ୍ଷା । ଆରମ୍ଭ ହେବ କ୍ରିକେଟ ଦୁନିଆର ସବୁଠାରୁ ବଡ଼ ବ୍ୟାଟଲ୍ ‘ବିଶ୍ବକପ୍ ବିଶ୍ବଯୁଦ୍ଧ’ । ଟକ୍କରା ଟକ୍କରି ହେବେ ଦୁଇ ଶକ୍ତିଶାଳୀ ଭାରତ ଓ ଅଷ୍ଟ୍ରେଲିଆ । ୧୦ରୁ ୧୦ ମ୍ୟାଚ୍ ଜିତି ଫାଇନାଲରେ ପ୍ରବେଶ କରିଛି । ଅଷ୍ଟ୍ରେଲିଆ ପାଖରୁ ୨୦୦୩ ବିଶ୍ବକପ୍ ଫାଇନାଲ ପରାଜୟର ପ୍ରତିଶୋଧ ନେବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ଭାରତୀୟ ଟିମ୍ । ଏପଟେ ମ୍ୟାଚ୍କୁ ନେଇ ସାରା ଦେଶରେ ମାହୋଲ ଗରମ୍ । କେଉଁଠି କିଏ ଉପବାସ ବ୍ରତ ରଖୁଛି ତ ଆଉ କେଉଁଠି ଚାଲିଛି ହୋମଯଜ୍ଞ । ଏପଟେ ମ୍ୟାଚ ଦେଖିବାକୁ ଷ୍ଟାଡିୟମରେ ଦର୍ଶକଙ୍କ ପ୍ରବେଶ ଆରମ୍ଭ ହୋଇଗଲାଣି ।

ନରେନ୍ଦ୍ର ମୋଦି ଷ୍ଟାଡିମୟ ଧିରେ ଧିରେ ନୀଳ ରଙ୍ଗରେ ରଙ୍ଗୀନ ହେବାକୁ ଲାଗିଛି । ଷ୍ଟାଡିୟମ ବାହାରେ ବିଭିନ୍ନ ଗେଟ୍ ଆଗରେ ଲାଗି ଗଲାଣି ଭିଡ଼ । ଏମିତି ଲାଗୁଛି ଯେମିତି ଏକ ଜନ ସମୁଦ୍ର ଷ୍ଟାଡିୟମ ମୁହାଁ । ହାତରେ ଜାତୀୟ ପତାକା, ଦେଖରେ ତ୍ରିରଙ୍ଗାର ଚିତ୍ରକୁ ଅଶୋକଚକ୍ର । ଯାହାକୁ ଚାହିଁବ ଦେଖିବ ଦେହରେ ଟିମ୍ ଇଣ୍ଡିଆ ଜର୍ସି ।

ଏପଟେ ଟିମ୍ ଇଣ୍ଡିଆ ମଧ୍ୟ ଷ୍ଟାଡିୟମରେ ପହଞ୍ଚି ସାରିଛି । କଡ଼ା ସୁରକ୍ଷା ବଳୟ ଭିତିରେ ଟିମ୍ ଇଣ୍ଡିଆର କାଫିଲା ଷ୍ଟାଡିୟମ ଭିତରକୁ ପ୍ରବେଶ କରିଥିଲା । ଟିମ୍ ଇଣ୍ଡିଆ ଗାଡ଼ି ଯାଇଥିବା ରାସ୍ତାର ଉଭୟ ପାର୍ଶ୍ବ ସକାଳୁ ପୂରଣ ହୋଇଯାଇଥିଲା । ଭାରତୀୟ ଖେଳାଳିଙ୍କ ଗୋଟିଏ ଝଲକ ପାଇବାକୁ ପ୍ରଶଂସକ ଅନାଇ ରହିଥିଲେ । ଆଉ ଟିମ୍ ଇଣ୍ଡିଆ ଗାଡି ଯେବେ ରାସ୍ତା ପାର ହେଉଥିଲା, ଇଣ୍ଡିଆ… ଇଣ୍ଡିଆ…  ଧ୍ବନୀରେ ପ୍ରକମ୍ପିତ ହୋଇଥିଲା ସାରା ଆଞ୍ଚଳ ।