ବେଙ୍ଗାଲୁରୁ: ବିଶ୍ବକପରେ ଆଜି ନେଦରଲ୍ୟାଣ୍ଡସକୁ ଭେଟିବ ଭାରତ । ୮ରୁ ୮ଟି ମ୍ୟାଚ ଜିତି ଭାରତ ପ୍ରଥମ ଦଳ ଭାବେ ସେମିଫାଇନାଲକୁ ପ୍ରବେଶ କରିଥିବା ବେଳେ, ନେଦରଲ୍ୟାଣ୍ଡସ୍ ବିଶ୍ବକପରୁ ବାହାର ହୋଇ ସାରିଛି । ଏମ. ଚିନାସ୍ବାମୀ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ । ଆଜିର ମ୍ୟାଚ୍ କେବଳ ଏକ ଔପଚାରିକତା ହୋଇଥିବା ବେଳେ ଭାରତ ପାଇଁ ସେମିଫାଇନାଲ ପୂର୍ବରୁ ଏକ ଭଲ ଅଭ୍ୟାସର ସୁଯୋଗ ଦେଇଛି । ଆଜି ଭାରତ ନେଦରଲ୍ୟାଣ୍ଡସକୁ ହରାଇ ଅପରାଜୟ ଧାରା ଜାରି ରଖିବାକୁ ଚାହିଁବ । ସେପଟେ ଆଜିର ମ୍ୟାଚରେ ବିରାଟ କୋହଲିଙ୍କ ଉପରେ ସମସ୍ତଙ୍କ ନଜର ରହିବ । ନେଦରଲ୍ୟାଣ୍ଡସ ବିପକ୍ଷରେ କୋହଲି ଶତକ ମାରି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଶତକ ରେକର୍ଡ ଭାଙ୍ଗିବାକୁ ଚାହିଁ ବସିଛନ୍ତି କ୍ରିକେଟ୍ ପ୍ରେମୀ ।

ସେପଟେ ଚଳିତ ବିଶ୍ବକପରେ ଚାରି ସେମିଫାଇନାଲିଷ୍ଟ ସ୍ପଷ୍ଟ ହୋଇସାରିଛି । ପ୍ରଥମ ସେମିଫାଇନାଲ ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ୧୫ ତାରିଖରେ ଖେଳାଯିବ । ଏହି ମ୍ୟାଚରେ ନ୍ୟୁଜିଲାଣ୍ଡକୁ ଭେଟିବ ଭାରତ । ସେହିପରି ଦ୍ବିତୀୟ ସେମିଫାଲଇନା ୧୬ ତାରିଖରେ ଦ୍ବିତୀୟ ସେମିଫାଇନାଲରେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମୁହାଁମୁହିଁ ହେବେ ।

ତେବେ ନ୍ୟୁଜିଲାଣ୍ଡ ସହ ମ୍ୟାଚକୁ ଚାହିଁ ବସିଛନ୍ତି କ୍ରିକେଟ ପ୍ରେମୀ । ୨୦୧୯ରେ ଭାରତ ଓ ନ୍ୟୁଜିଲାଣ୍ଡ ବିଶ୍ୱକପ ସେମିରେ ମୁହାଁମୁହିଁ ହୋଇଥିଲେ । ଯେଉଁଥିରେ ଭାରତ ପରାଜିତ ହୋଇ ବିଶ୍ବକପରୁ ବାହାର ହୋଇ ଯାଇଥିଲା । ଏବେ ମୁମ୍ବାଇରେ ଏହାର ପ୍ରତିଶୋଧ ନେବାକୁ ଭାରତ ପାଖରେ ସୁଯୋଗ ରହିଛି । ଚଳିତ ବିଶ୍ୱକପର ଗ୍ରୁପ ଷ୍ଟେଜରେ ଭାରତ ବେଶ ସହଜରେ ନ୍ୟୁଜିଲାଣ୍ଡକୁ ହରାଇଥିଲା । ଦୀର୍ଘ ୨୦ ବର୍ଷ ପରେ କୌଣସି ଆଇସିସି ଇଭେଣ୍ଟରେ ଭାରତ କ୍ୱିୱି ଟିମକୁ ହରାଇବାର ରେକର୍ଡ ମଧ୍ୟ କରିଥିଲା । ଏବେ ସେମିରେ ପୁଣି ନ୍ୟୁଜିଲାଣ୍ଡର ଟକ୍କର ଭାରତ ସହ ହେବ । ୨୦୧୫ ଦିନିକିଆ ବିଶ୍ୱକପରେ ଯେଉଁ ୪ ଦଳ ସେମି ଫାଇନାଲକୁ ଯାଇଥିଲେ, ୨୦୨୩ରେ ସେହି ୪ ଦଳ ଟପ ୪ରେ ରହିଛନ୍ତି ।