ନନ୍ଦିଘୋଷ ବ୍ୟୁରୋ: ପ୍ରତିବର୍ଷ ଅକ୍ଟୋବର ୧୦ ତାରିଖକୁ ‘ବିଶ୍ୱ ମାନସିକ ସ୍ୱାସ୍ଥ୍ୟ’ ଦିବସ ଭାବେ ପାଳନ କରାଯାଏ। ସମଗ୍ର ବିଶ୍ୱରେ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ବିଷୟରେ ସଚେତନତା ସୃଷ୍ଟି କରିବା ଏହି ଦିନର ଉଦ୍ଦେଶ୍ୟ ଅଟେ । ଶରୀର ଠିକ୍ ଭାବରେ କାର୍ଯ୍ୟ କରିବା ପାଇଁ ଉତ୍ତମ ମାନସିକ ସ୍ୱାସ୍ଥ୍ୟ ଗୁରୁତ୍ବପୂର୍ଣ୍ଣ । ଖରାପ ମାନସିକ ସ୍ୱାସ୍ଥ୍ୟ ଅବସାଦ ପରି ପରିସ୍ଥିତି ସୃଷ୍ଟି କରିବା ସହ ଜଣକର ଶାରୀରିକ ସ୍ୱାସ୍ଥ୍ୟ ଓ ଜୀବିକାକୁ ମଧ୍ୟ ପ୍ରଭାବିତ କରିଥାଏ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଆକଳନ ଅନୁଯାୟୀ, ସମ୍ପ୍ରତି ବିଶ୍ୱରେ ପ୍ରତି ୮ ଜଣରେ ଜଣେ ମାନସିକ ଅସୁସ୍ଥତାରେ ଜୀବନ ବିତାଉଛନ୍ତି । ଏହି ସମସ୍ୟାରେ ବହୁ ଯୁବକ ଓ ବୟସ୍କ ବ୍ୟକ୍ତି ପ୍ରଭାବିତ ହୋଇ ଚାଲିଛନ୍ତି । ତେବେ ଆଜିର ଆଧୁନିକ ଯୁଗରେ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ଏକ ସାଧାରଣ କଥା ଅଟେ । କିନ୍ତୁ ଆଜି ବି ମାନସିକ ରୋଗୀଙ୍କୁ ଲୋକେ ଭିନ୍ନ ଦୃଷ୍ଟିରେ ଦେଖିବା ସବ ସେମାନଙ୍କୁ ମୌଳିକ ଅଧିକାରରୁ ବଞ୍ଚିତ କରିଥାଆନ୍ତି, ତେଣୁ ଏହି ଦିବସ ପାଳନ ମାନସିକ ସ୍ୱାସ୍ଥ୍ୟ ସହ ଜଡ଼ିତ କଳଙ୍କ ଓ ଭେଦଭାବ ଦୂର କରିବା ପାଇଁ କରାଯାଇଥାଏ । ତେବେ ପ୍ରତିବର୍ଷ ଭିନ୍ନ ଭିନ୍ନ ଥିମ୍କୁ ନେଇ ଏହି ଦିନଟି ପାଳନ ହୋଇଥାଏ । ତେବେ ଚଳିତ ବର୍ଷର ଥିମ ରହିଛି , ‘ଅଭିଜ୍ଞତାକୁ ଶୁଣିବା: ଅସଲ ସ୍ବର, ଅସଲ ପରିବର୍ତ୍ତନ’ । ମାନସିକ ଅସୁସ୍ଥତାର ଅଭିଜ୍ଞତା ଥିବା ଲୋକଙ୍କ ସହିତ ଅର୍ଥପୂର୍ଣ୍ଣ ଭାବବିନିମୟ କରି ସେମାନଙ୍କ ଜ୍ଞାନକୁ ନୀତି ପ୍ରଣୟନ, ସେବା ପ୍ରଦାନ ଓ ନିଷ୍ପତ୍ତି ଗ୍ରହଣ କ୍ଷେତ୍ରରେ ପ୍ରୟୋଗ କରିବାକୁ ଆହ୍ବାନ କରାଯାଇଛି ।
ପ୍ରକାଶଥାଉ କି, ୧୯୯୨ ମସିହାରେ ପ୍ରଥମେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସର ଆରମ୍ଭ ହୋଇଥିଲା । ମିଳିତ ଜାତିସଂଘର ଜେନେରାଲ୍ ସେକ୍ରେଟେରୀ ରିଚାର୍ଡ଼ ହଣ୍ଟ ଓ ଓ୍ୱାର୍ଲ୍ଡ ହେଲଥ ଫେଡେରେସନ ଅଫ୍ ମେଣ୍ଟାଲ ହେଲ୍ଥର ମିଳିତ ଉଦ୍ୟମରେ ଏହି ଦିବସ ପାଳନ କରାଯାଇଥିଲା। ତେବେ ୧୯୯୪ ମସିହାରେ ମିଳିତ ଜାତିସଂଘର ତତ୍କାଳୀନ ମହାସଚିବ ଇଉଜିନ୍ ବ୍ରୋଡି ଏକ ଥିମ୍ ରଖି ଏହି ଦିନଟିକୁ ପାଳନ କରିବାକୁ ପରାମର୍ଶ ଦେଇଥିଲେ। ସେବେଠାରୁ ପ୍ରତିବର୍ଷ ଅକ୍ଟୋବର ୧୦ ତାରିଖରେ ମାନସିକ ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି କରିବା ପାଇଁ ବିଶ୍ୱସ୍ତରରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଆସୁଛି।

