ଯୌନ ଶୋଷଣ ଏକ କୋଠରୀରେ ହୋଇଥାଏ ଆଉ ସେଠାରେ କ୍ୟାମେରା….. ଜାଣନ୍ତୁ କୁସ୍ତିଯୋଦ୍ଧା ବିନେଶ କ’ଣ କହିଲେ

1 min read

ନୂଆଦିଲ୍ଲୀ: ରେସଲିଂ ଫେଡେରେସନ ସଭାପତି ତଥା ବିଜେପି ସାଂସଦ ବ୍ରିଜଭୂଷଣ ଶରନ ସିଂଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣି ଧାରଣାରେ ବସିଛନ୍ତି କୁସ୍ତି ଯୋଦ୍ଧାମାନେ । ଦୁଇଦିନ ହେବ କୁସ୍ତିଯୋଦ୍ଧା ଧାରଣାରେ ବସିଥିବା ବେଳେ ଆଜି ଅପରାହ୍ନରେ ସରକାରଙ୍କ ପକ୍ଷରୁ ଆଲୋଚନା ପାଇଁ ସେମାନଙ୍କୁ ଡକାଯାଇଥିଲା । ଭାରତର ଷ୍ଟାର ମହିଳା କୁସ୍ତି ଯୋଦ୍ଧା ବିନେଶ ଫୋଗାଟ କେନ୍ଦ୍ରୀୟ ଖେଳ ମନ୍ତ୍ରଣାଳୟ ସହ ଆଲୋଚନା ପରେ ପ୍ରେସ କନଫରେନ୍ସ କରି ବଡ଼ ବୟାନ ଦେଇଛନ୍ତି ।

ଗଣମାଧ୍ୟମକୁ ବିନେଶ କହିଛନ୍ତି, ଆମର ଲଢେଇ ସରକାର କିମ୍ବା ସରକାରଙ୍କ ସହ ଜଡ଼ିତ ଲୋକଙ୍କ ସହ ନୁହେଁ, ଆମ ଲଢ଼େଇ କେବଳ ଜଣେ ବ୍ୟକ୍ତି ବିରୋଧରେ ଅଟେ । ଯେପର୍ଯ୍ୟନ୍ତ ସୁଦ୍ଧା ଆମକୁ ନ୍ୟାୟ ନମିଳିଛି ସେପର୍ଯ୍ୟନ୍ତ ସୁଦ୍ଧା ଆମେ ଏଠୁ କୁଆଡ଼େ ଯିବୁନି । ଆହୁରି ବିନେଶ କହିଛନ୍ତି, ଆମେ ଆମର କୁସ୍ତି ଛାଡି ଆସିପାରୁଛୁ । ଅଧ୍ୟକ୍ଷ ମହାସୟ ନିଜର ପଦ ଛାଡ଼ି ପାରିବେନି? ଦେଶର ଏହି ରେସଲିଂ ଫେ଼ଡେରେସନ ଯିଏକି ଆପଣମାନଙ୍କ ସମ୍ମୁଖରେ ବସିଛି ଆଉ କୌଣସି ଫେଡେରେସନ ନାହିଁ । ଯେପର୍ଯ୍ୟନ୍ତ ସୁଦ୍ଧା ଆମକୁ ନ୍ୟାୟ ନମିଳିଛି ଧାରଣା ଜାରି ରହିବ । ଆମେ ଆସନ୍ତାକାଲି ୧୦ଟାରୁ ଧାରଣାରେ ବସିବୁ । ଆମକୁ ଖେଳ ମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ଅପେକ୍ଷା ରହିଲା ।

ଏହା ବ୍ୟତୀତ ବିନେଶ କହିଛନ୍ତି ଆମ ଜୀବନ ପ୍ରତି ବିପଦ ମଧ୍ୟ ରହିଛି । ଆମେ ପୋଲିସର ସୁରକ୍ଷା ମଧ୍ୟ ନେଇ ନାହୁଁ । ଅଧ୍ଯକ୍ଷ ମହାଶୟଙ୍କ ଘରେ ତାଲା ଲାଗିଯାଇଛି । ଯେତବେଳେ ଯୌନ ଶୋଷଣ ହୋଇଥାଏ ତେବେ କୋଠରୀରେ ହୋଇଥାଏ ଏବଂ କୋଠରୀରେ କୌଣସି କ୍ୟାମେରା ନଥାଏ । ଯେଉଁମାନଙ୍କ ସହ ନିର୍ଯାତନା ହୋଇଛି ସେମାନେ ନିଜେ ପ୍ରମାଣ ଅଟନ୍ତି । ଅନ୍ୟପକ୍ଷରେ ମହିଳା କୁସ୍ତିଯୋଦ୍ଧା ସାକ୍ଷୀ ମଲ୍ଲିକ କହିଛନ୍ତି ବୈଠକରେ କିଛି ଖାସ୍ କୁହାଗଲାନି କେବଳ ଆଶ୍ୱାସନା ଦିଆଯାଇଛି । କାର୍ଯ୍ୟାନୁଷ୍ଠାନ ନେଇ କୌଣସି କଥା କୁହାଯାଇନାହିଁ । ଆଶ୍ୱାସନାକୁ ନେଇ ଆମେ ଖୁସି ନାହୁଁ ।

ଆମେ ରେସଲିଂ ଫେଡେରେସନକୁ ଭାଙ୍ଗିବାକୁ ଚାହୁଁଛୁ । ସମସ୍ତ ରାଜ୍ୟର ଫେଡେରେସନ ଭଙ୍ଗ ହେଉ । ସବୁ ରାଜ୍ୟରେ ତାଙ୍କର ଲୋକମାନେ ରହିଛନ୍ତି । ଆମେ ସରକାରଙ୍କ ଆଶ୍ୱାସନାରେ ସନ୍ତୁଷ୍ଟ ନାହୁଁ । ବାସ୍ ଆମେ କାର୍ଯ୍ୟାନୁଷ୍ଠାନ ଚାହୁଁଛୁ । ବିନେଶ ଏବଂ ସାକ୍ଷୀଙ୍କ କଥାରୁ ସ୍ପଷ୍ଟ ଜଣାଯାଉଛି ଯେ ଯେପର୍ଯ୍ୟନ୍ତ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରୁଛନ୍ତି ସେପର୍ଯ୍ୟନ୍ତ ଧାରଣା ଜାରି ରହିବ । ସୂଚନାଥାଉକି, ଏସିଆନ ଗେମସ ଓ କମନଓ୍ବେଲଥ ଗେମ୍ସ ସ୍ବର୍ଣ୍ଣପଦକ ବିଜୟିନୀ ଫୋଗାଟ ଅଭିଯୋଗ କରିଛନ୍ତି- ତାଙ୍କୁ ବ୍ରିଜ ଭୂଷଣ ମାନସିକ ଭାବେ ଆଘାତ ପହଞ୍ଚାଇଛନ୍ତି । ଅତୀତରେ ଯୌନ ନିର୍ଯାତନା ପ୍ରସଙ୍ଗରେ ସେ କିଛି ଅଭିଯୋଗ କରିଥିଲେ ସୁଦ୍ଧା ତାଙ୍କୁ ଦବାଇ ଦିଆଯାଇଥିଲା ।

ଏହାକୁ ନେଇ ସେ ଆତ୍ମହତ୍ୟା କରିବା ଲାଗି ଚିନ୍ତା କରିଥିଲେ । କେବଳ ତାଙ୍କ ସହ ନୁହେଁ ବରଂ ଅନ୍ୟ ମହିଳା ରେସଲର ମଧ୍ୟ ଯୌନ ଶୋଷଣର ଶିକାର ହୋଇଥିବା ସେ ଅଭିଯୋଗ କରିଛନ୍ତି । ଏହି ଅଭିଯୋଗ ପରେ ଅନେକ ରେସଲର ଦିଲ୍ଲୀର ଜନ୍ତର-ମନ୍ତରରେ ଧାରଣାରେ ବସିଛନ୍ତି । କୁସ୍ତି ମହାସଂଘର ଅଧ୍ୟକ୍ଷ ପଦରୁ ବ୍ରିଜଭୂଷଣ ଇସ୍ତଫା ଦିଅନ୍ତୁ ବୋଲି ଦାବି କରାଯଆଉଛି । ଧାରଣାରେ ବଜରଙ୍ଗ ପୁନିଆ, ବିନେଶ ଫୋଗାଟ, ରବି ଦହିୟା, ଦୀପକ ପୁନିୟା, ଆଶୁ ମଲିକ, ସାକ୍ଷୀ ମଲିକ, ମହାବୀର ଫୋଗାଟ, ସୋନମ ମଲିକ, ସରିତା ମୋର, ସଂଗୀତା ଫୋଗାଟ ପ୍ରମୁଖ ସାମିଲ ଅଛନ୍ତି ।