ଜିଦରେ ଅଟଳ ରେସଲର, ଦିଲ୍ଲୀ ଜନ୍ତରମନ୍ତରରେ କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନ ଜାରି

ନୂଆଦିଲ୍ଲୀ: ଦିଲ୍ଲୀ ଜନ୍ତରମନ୍ତରରେ କୁସ୍ତି ଯୋଦ୍ଧାଙ୍କ ଆନ୍ଦୋଳନ ଜାରି । ବଢ଼ୁଛି ଦେଶର ଗୌରବଙ୍କ ପ୍ରତି ସମର୍ଥନ। ଯୋଦ୍ଧାଙ୍କ ଦାବି ପ୍ରତି କର୍ଣ୍ଣପାତ କରୁ ନଥିବାରୁ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ବିଭିନ୍ନ ଦଳର ନେତା । ତେଣେ ଆନ୍ଦୋଳନକୁ ଦିଗହରା କରିବା ଲାଗି କେତେକ ମହଲ ଉଦ୍ୟମ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି କୁସ୍ତିଯୋଦ୍ଧା । ସେପଟେ ଦିଲ୍ଲୀ ପୋଲିସ କୁସ୍ତି ଯୋଦ୍ଧାଙ୍କୁ ଯାଗା ଖାଲି କରିବାକୁ ନୋଟିସ କରିଛି । ଏଥିସହ ସେହି ସ୍ଥାନକୁ ବିଦ୍ୟୁତ ଓ ପାନୀୟ ଜଳର ଯୋଗାଯୋଗର ବିଛିନ୍ନ କରିଛି । ଯାହାକୁ ନେଇ ଖାଦ୍ୟ ଓ ପାନୀୟରେ କୁସ୍ତି ଯୋଦ୍ଧାଙ୍କୁ ବଡ଼ ଅସୁବିଧାର ସମ୍ମୁଖିନ୍ନ ହେବାକୁ ପଡ଼ିଛି ।

ସେପଟେ କୁସ୍ତି ଯୋଦ୍ଧାଙ୍କୁ ରାଜନୈତିକ ସମର୍ଥନ ମିଳୁଛି । ଜନ୍ତରମନ୍ତରସ୍ଥିତ ରେସଲରଙ୍କ ଧାରଣାସ୍ଥଳକୁ ଯାଇଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ନିଜ ଭାଷଣରେ କେନ୍ଦ୍ର ସରକାରଙ୍କ ମନମାନିକୁ ନେଇ ବର୍ଷିଥିଲେ । ଗତକାଲି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ବି ଯୋଦ୍ଧାଙ୍କୁ ଜଣାଇଥିଲେ ସମର୍ଥନ । ବ୍ରିଜ ଭୂଷଣ ସଭାପତି ଥିବା ଯାଏ ନିରପେକ୍ଷ ତଦନ୍ତ ସମ୍ଭବ ନୁହେଁ ବୋଲି କହିଥିଲେ ପ୍ରିୟଙ୍କା । ସେହିପରି ବ୍ରିଜ ଭୂଷଣଙ୍କ ଇସ୍ତଫା ଦାବିରେ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଗୃହିତ ହୋଇଛି ଏକ ପ୍ରସ୍ତାବ । ନ୍ୟାୟ ମିଳିବା ଯାଏ ଆନ୍ଦୋଳନ ଚାଲିବ ବୋଲି ରେସଲର ସଂଘ ଚେତାବନୀ ଦେଇଥିବେଳେ ତଦନ୍ତର ସବିଶେଷ ବିବରଣୀ ଓ ଏପରିକି ନାବାଳିକା ଅଭିଯୋଗକାରିଣୀଙ୍କ ନାମ ଲିକ୍ ହୋଇଥିବା ଅଭିଯୋଗ କରିଛନ୍ତି ରେସଲର ।