ନ୍ୟାୟ ପାଇଁ ପୁଣି ଧାରଣାରେ ବସିଲେ ଦେଶ ପାଇଁ ମେଡାଲ ଜିତିଥିବା କୁସ୍ତିଯୋଦ୍ଧା

ନୂଆଦିଲ୍ଲୀ: ପୁଣିଥରେ ନ୍ୟାୟ ପାଇଁ ରାସ୍ତାକୁ ଓହ୍ଲାଇଛନ୍ତି କୁସ୍ତିଯୋଦ୍ଧା । ଜାତୀୟ ଅନ୍ତର୍ଜାତୀୟ ସ୍ତରରେ ଦେଶ ପାଇଁ ଗର୍ବ ଆଉ ଗୌରବ ଆଣିଥିବା କୁସ୍ତିଯୋଦ୍ଧାମାନେ ନ୍ୟାୟ ଗୁହାରି କରୁଥିଲେ ମଧ୍ୟ ତାଙ୍କ କଥା ଶୁଣାଯାଉନାହିଁ । ଭାରତୀୟ କୁସ୍ତି ମହାସଂଘ ଏବଂ ତାର ଅଧ୍ୟକ୍ଷ ବ୍ରିଜଭୂଷଣ ସିଂଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣି ନ୍ୟାୟ ଦାବି କରିଛନ୍ତି କୁସ୍ତିଯୋଦ୍ଧା । ଦିଲ୍ଲୀସ୍ଥିତ ଜନ୍ତରମନ୍ତରରେ ପୁଣିଥରେ ସେମାନେ ଧାରଣାରେ ବସିଛନ୍ତି । ଆଜିର ଧାରଣା ପ୍ରଦର୍ଶନରେ ଅଲମ୍ପିକ ପଦକ ବିଜେତା କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ, ବିନେଶ ଫୋଗାଟ, ସାକ୍ଷୀ ମଲିକ ପ୍ରମୁଖ ସାମିଲ ଅଛନ୍ତି ।

ଏମାନଙ୍କ କହିବା କଥା ଯେ, ଯେପର୍ଯ୍ୟନ୍ତ ସୁଦ୍ଧା ଭାରତୀୟ କୁସ୍ତି ମହାସଂଘ ବିରୋଧରେ ଯାଞ୍ଚ କମିଟିର ରିପୋର୍ଟ ନଆସିଛି ସେପର୍ଯ୍ୟନ୍ତ ଧାରଣା ଜାରି ରହିବ । ଗଣମାଧ୍ୟମକୁ କହିବା ସମୟରେ ଦେଶ ପାଇଁ ପଦକ ଜିତିଥିବା ଆଥଲେଟ୍ସଙ୍କ ଆଖିରେ ଲୁହ ଦେଖାଯାଇଥିଲା । ବିନେଶ ଫୋଗାଟ ଏବଂ ସାକ୍ଷୀ ମଲିକ କାନ୍ଦି ପକାଇଥିଲେ । ଏମାନେ କହିଥିଲେ ଯେ ପହିଲମାନମାନଙ୍କୁ ଏବେ ମିଛୁଆ ବୋଲି କୁହାଯାଉଛି ଯେତେବେଳେ କି ସେମାନେ ସତ୍ୟର ଲଢେଇ ଲଢ଼ୁଛନ୍ତି । କୌଣସି ରାଏ ନ ଆସିବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ।

କୁସ୍ତିଯୋଦ୍ଧା କହିଛନ୍ତି ଭାରତୀୟ କୁସ୍ତି ମହାସଂଘ ଶକ୍ତିଶାଳୀ ବୋଲି କଣ ତାଙ୍କୁ ନ୍ୟାୟ ମିଳିବନି? ଆମେ ମାନସିକ ଦୁଶ୍ଚିନ୍ତା ଦେଇ ଗତି କରୁଛୁ, ଏହା ମହିଳା ଆଥଲିଟଙ୍କ ସମ୍ମାନର କଥା ଅଟେ । ଆମକୁ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ କୌଣସି ଜବାବ ମିଳୁନାହିଁ, ତିନି ମାସ ବିତିଯାଇଛି । କୁସ୍ତିଯୋଦ୍ଧା ଆଗକୁ କହିଛନ୍ତି, ଜଣେ ନାବାଳିକା ସମେତ ୭ ମହିଳା ଯୌନ ନିର୍ଯାତନା ସମ୍ବନ୍ଧରେ ବ୍ରିଜଭୂଷଣ ସିଂହଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି, ହେଲେ ବର୍ତ୍ତମାନ ସୁଦ୍ଧା ମାମଲା ରୁଜୁ ହୋଇନାହିଁ । ପକ୍ସୋ ମାମଲା ରୁଜୁ ହେବା ଆବଶ୍ୟକ । ଆମେ ଅଢେଇ ମାସ ହେବ ଅପେକ୍ଷା କରିଛୁ ।

ଗତ ବର୍ଷ କମନୱେଲ୍ଥ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିବା ସାକ୍ଷୀ କହିଛନ୍ତି, ଅଢେଇ ମାସ ହୋଇଗଲାଣି ଅପେକ୍ଷା କରିବା, ରିପୋର୍ଟ ସବମିଟ୍ ହୋଇଛି କି ନାହିଁ ଆମକୁ ଜଣା ନାହିଁ । ଆମ ପାଖକୁ ବର୍ତ୍ତମାନ ସୁଦ୍ଧା କୌଣସି ରିପୋର୍ଟ ଆସିନାହିଁ । ଏବେ ରିପୋର୍ଟ ସର୍ବସମ୍ମୁଖକୁ ଆସିବା ଆବଶ୍ୟକ । ଲୋକମାନେ ଆମକୁ ମିଛୁଆ ବୋଲି କହୁଛନ୍ତି । ଲୋକମାନେ କହୁଛନ୍ତି ଆମେ ପୂର୍ବରୁ କରିଥିବା ବିକ୍ଷୋଭ ମିଛ ବୋଲି । ଏହା ଆମେ ବରଦାସ୍ତ କରିପାରୁନୁ । ଏହି ମାମଲାରେ ଦୁଇଦିନ ମଧ୍ୟ ଲାଗିବା କଥା ନୁହେଁ । ହେଲେ ଏତେ ବିଳମ୍ବ କଣ ପାଇଁ ।

ଜଣେ ଝିଅ ନାବାଳିକା ଅଟେ । ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ ଅଟେ । ଆମର ଅଭିଯୋଗ ମିଛ ନୁହେଁ । ସତର ଲଢେଇ ଲଢୁଛୁ ଏବଂ ବିଜୟ ସୁନିଶ୍ଚିତ ହେବ । ଆମେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରୁଛି ଯେ ସେ ଆମର ଦାବି ଶୁଣନ୍ତୁ । ଆମେ ଯେଉଁ ଅଭିଯୋଗ କରିଛୁ ତା ଉପରେ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ । ମୁଁ, ବିନେଶ ଏବଂ ବଜରଙ୍ଗ ନିକଟରେ ହିଁ ପଦକ ଜିତିଛୁ । ଆମେ ମିଛ ଆଣି ପାଇଁ କଣ ପାଇଁ ଏଠାକୁ ଆସିବୁ । ଆମେ କୁସ୍ତି ପାଇଁ ଆସିଛୁ ।

ବଜରଙ୍ଗ ପୁନିଆ, ବିନେଶ ଫୋଗାଟ, ରବି ଦହିୟା ଏବଂ ସାକ୍ଷୀ ମଲିକ ସମେତ ଶୀର୍ଷ ଭାରତୀୟ କୁସ୍ତିଯୋଦ୍ଧା ଚଳିତବର୍ଷ ଜାନୁଆରୀରେର ଜନ୍ତରମନ୍ତରରେ ବିରୋଧ ପ୍ରଦର୍ଶନ କରିଥିଲେ । ସେବେ ଏମାନେ ଦାବି କରିଥିଲେ ଯେ ବ୍ରିଜଭୂଷଣଙ୍କୁ ପ୍ରଧାନ କାର୍ଯ୍ୟାଳୟରୁ ହଟାଇବା ଏବଂ ଡବ୍ଲୁଏଫଆଇକୁ ଭଙ୍ଗ କରିବା ନେଇ ଦାବି କରାଯାଇଥିଲା । ସେମାନେ ୟୁନିଟ ଏବଂ ଏହାର ପ୍ରମୁଖଙ୍କ ଉପରେ କୁସ୍ତିଯୋଦ୍ଧାଙ୍କ ସହ ଯୌନ ନିର୍ଯାତନା ଏବଂ ଦୁର୍ବ୍ୟବହାରର ଅଭିଯୋଗ କରିଥିଲେ ।

କ୍ରୀଡ଼ାମନ୍ତ୍ରୀ ଏମାନଙ୍କ ସହ ଆଲୋଚନା କରି ଆଶ୍ୱସ୍ତି ଦେଇଥିଲେ ଯେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ମେରିକମଙ୍କ ନେତୃତ୍ୱରେ ଏକ କମିଟିର ଗଠନ ମଧ୍ୟ କରାଯାଇଥିଲା । ହେଲେ ତଦନ୍ତ କେତେବାଟ ଗଲା ସେନେଇ କୌଣସି ସୂଚନା ଆଜି ପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ ଦିଆଯାଇନାହିଁ । ଯାହାଫଳରେ ପୁଣିଥରେ ନ୍ୟାୟର ଗୁହାରି କରି ଆଜି ଜନ୍ତରମନ୍ତରରେ ଧାରଣାରେ ବସିଛନ୍ତି ଭାରତ ପାଇଁ ଗୌରବ ଆଣିଥିବା କୁସ୍ତିଯୋଦ୍ଧାମାନେ ।