ବିଶିଷ୍ଟ ସାହିତ୍ୟିକ ଓ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଡ. ରତ୍ନାକର ଚଇନୀଙ୍କ ପରଲୋକ

1 min read

କଟକ: ପ୍ରତିଷ୍ଠିତ ସାହିତ୍ୟିକ, ନାଟ୍ୟକାର, ଗାଳ୍ପିକ, ଔପନ୍ୟାସିକ, ସମାଲୋଚକ ରତ୍ନାକର ଚଇନିଙ୍କ ପରଲୋକ। ୭୫ ବର୍ଷ ବୟସରେ କଟକ ବାଦାମବାଡ଼ି ସ୍ଥିତ ବାସଭବନରେ ତାଙ୍କର ପରଲୋକ ଘଟିଛି। ଜଣେ ପ୍ରଶାସନିକ ଅଧିକାରୀ ଏବଂ ସୁଲେଖକଭାବେ ତାଙ୍କ ବେଶ୍‌ ଖ୍ୟାତି ରହିଥିଲା । ଓଡ଼ିଆ ସାହିତ୍ୟ ଜଗତରେ ଏକ ପରିଚିତ ନାଁ ରତ୍ନାକର ଚଇନି ୨୦୧୦ ମସିହାରେ ସଂସ୍କାର ଭାରତୀ ଓ ଉତ୍କଳ ସାହିତ୍ୟ ସମାଜର ଅଧ୍ୟକ୍ଷ କାର୍ଯ୍ୟ ତୁଲାଇଥିଲେ ।  ଏଯାବତ୍ ତାଙ୍କର ୧୧୧ ଖଣ୍ଡ ପୁସ୍ତକ ପ୍ରକାଶ ପାଇସାରିଛି ।  ତାଙ୍କ ଦ୍ୱାରା ରଚିତ କ୍ଷୁଦ୍ର ଗଳ୍ପଗୁଡ଼ିକ ହେଲା- ଗପ, ମୁଠାଏ ଶୂନ୍ୟତା, ଋତୁର ନାମ ପିପାସା, ନିଷିଦ୍ଧ ଶୃଙ୍ଗାର, ସ୍ନାୟୁ ସନ୍ନ୍ୟାସୀ ଓ ଅନ୍ୟମାନେ ଆଦି ଅନେକ। ସେହିଭଳି ତାଙ୍କ ଦ୍ୱାରା ରଚିତ କିଛି ନାଟକ ହେଲା- ଶେଷ ଅଶ୍ରୁ, ଅଥଚ ଚାଣକ୍ୟ, ଅସ୍ତରାଗର ଚନ୍ଦ୍ର, ମଞ୍ଚ ନାୟିକା, ପୁନଶ୍ଚ ପୃଥିବୀ, କଳିଙ୍କିତ ସୂର୍ଯ୍ୟ (୧୯୭୪ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ), ନାଗପେଣୀର ଋତୁ ଆଦି। ଏହା ସହିତ ଭିନ୍ନ ଭିନ୍ନ ସମୟରେ ସେ ବହୁ ପୁରସ୍କାର ଓ ସମ୍ମାନର ଅଧିକାରୀ ହୋଇଛନ୍ତି। ତାଙ୍କ ବିୟୋଗରେ ବହୁ ସାହିତ୍ୟିକ ଓ ବୁଦ୍ଧିଜୀବୀ ଗଭୀର ଶୋକ ପ୍ରକାଶ କରିଛନ୍ତି।

 

Leave a Reply