ଆରମ୍ଭ ହେଲା ୮୪ତମ ଭାରତୀୟ ରୋଡ୍ କଂଗ୍ରେସ। ଜାତୀୟ ରାଜପଥରୁ ରାଜ୍ୟ ରାଜପଥର ନିର୍ମାଣରେ ଟେକ୍ନୋଲୋଜିର ବ୍ୟବହାର, ସଡ଼କ ସୁରକ୍ଷା, ବର୍ଜବ୍ୟସ୍ତୁର ବ୍ୟବହାର ନେଇ ସମ୍ମିଳନୀରୁ ବାହାରିବ ନିଷ୍କର୍ଷ। ସମ୍ମିଳନୀର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ। କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ମୁଖ୍ୟମନ୍ତ୍ରୀ, ପୂର୍ତ୍ତମନ୍ତ୍ରୀଙ୍କ ସହ ଅନେକ ଅଧିକାରୀ। ସମ୍ମିଳନୀରେ ରାଜ୍ୟ ବାହାରୁ ପ୍ରାୟ ସାଢେ ୩ ହଜାର ପ୍ରତିନିଧି ଭାଗ ନେଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ। ଏହି ଅବସରରେ କେନ୍ଦ୍ରୀୟ ରାସ୍ତା ପାଣ୍ଠିରୁ କେନ୍ଦ୍ରମନ୍ତ୍ରୀ ଓଡ଼ିଶାକୁ ଅତିରିକ୍ତ ହଜାରେ କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି। ରାସ୍ତା ନିର୍ମାଣ ପୂର୍ବରୁ ଡିପିଆର୍ ପ୍ରସ୍ତୁତିରେ ଗଡ଼ବଡ଼ ଯୋଗୁଁ ଦୁର୍ଘଟଣା କମୁନାହିଁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ। ଡିପିଆର୍ ପ୍ରସ୍ତୁତି ବେଳେ ଏଲ-୧ ପ୍ରତି ଧ୍ୟାନ ନ ଦେଇ ଅଧିକ ଅର୍ଥରେ ଭଲ ଡିପିଆର୍ ପ୍ରସ୍ତୁତ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଏହାସହ ରାସ୍ତାରେ ଥିବା ବ୍ଲାକ ସ୍ପଟକୁ ତୁରନ୍ତ ଚିହ୍ନଟ କରି ଏହାର ମରାମତି କରିବାକୁ କେନ୍ଦ୍ରମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ରାସ୍ତା ହେଉଛି ବିକାଶର ମାପକାଠି। ଭଲ ରାସ୍ତା ହେଲେ ପୁଞ୍ଜିନିବେଶ ଅଧିକ ହେବ ଏବଂ ନିଯୁକ୍ତି ବଢ଼ିବ। ଯାହାର ପ୍ରଭାବ ରାଜ୍ୟ ତଥା ଦେଶର ଅର୍ଥନୀତି ଉପରେ ପଡ଼ିବ। ଭଲ ମାନର ରାସ୍ତା ନିର୍ଦ୍ଧାରିତ ସମୟରେ ସାରିବାକୁ କେନ୍ଦ୍ରମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ୫ ବର୍ଷରେ ୭୫ ହଜାର କିଲୋମିଟର ରାସ୍ତା କରିବାକୁ ଓଡ଼ିଶା ସରକାର ଟାର୍ଗେଟ ରଖିଛନ୍ତି ବୋଲି କହିଛନ୍ତି ପୂର୍ତ୍ତମନ୍ତ୍ରୀ। ବିକଶିତ ଓଡ଼ିଶା ୨୦୩୬ ପାଇଁ ରାସ୍ତା ନିର୍ମାଣ ଉପରେ ସରକାର ଗୁରୁତ୍ବ ଦେଉଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ରାସ୍ତା ନିର୍ମାଣରେ ବର୍ଜ୍ୟବସ୍ତୁର ବ୍ୟବହାର ସହିତ ନୂଆ ଦୁର୍ଘଟଣା ବିହୀନ ରାସ୍ତା ଉପରେ ଗୁରୁତ୍ବ ଦେଉଛି ମନ୍ତ୍ରାଳୟ। ସଡ଼କ ସୁରକ୍ଷା ପ୍ରସଙ୍ଗରେ ଆଇଆରସିରେ ଆଲୋଚନା କରାଯିବ ବୋଲି କମିଟି ସଭାପତି କହିଛନ୍ତି। ୧୦ ତାରିଖ ଯାଏଁ ଚାଲିବାକୁ ଥିବା ଭାରତୀୟ ରୋଡ୍ କଂଗ୍ରେସରେ ୨୯ଟି ଟେକ୍ନନିକାଲ ସେସନ ରହିଛି। ଯେଉଁଥିରେ ବିଭିନ୍ନ ରାଜ୍ୟରୁ ଆସିଥିବା ଅଧିକାରୀମାନେ ସେମାନଙ୍କ ବେଷ୍ଟ ପ୍ରାକ୍ଟିସ ଉପରେ ଆଲୋଚନା କରିବେ। ଏହାସହ ଆଇଆଇଟି ଓ ଏନଆଇଟି ଛାତ୍ରମାନେ ରାସ୍ତା ନିର୍ମାଣରେ ନୂତନ ଜ୍ଞାନ କୌଶଳର ବ୍ୟବହାର ଉପରେ ସେମାନଙ୍କ ଗବେଷଣା ରଖିବେ।

