ଦ୍ୱିତୀୟଥର WTC ଫାଇନାଲ୍ ହାରିଲା ଭାରତ; ୨୦୯ରନରେ ଭାରତକୁ ହରାଇ ଅଷ୍ଟ୍ରେଲିଆ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ବିଜେତା

1 min read

ଲଣ୍ଡନ: ଭାଙ୍ଗିଲା ଭାରତୀୟ କ୍ରିକେଟ ଫ୍ୟାନ୍ସଙ୍କ ଆଶା । ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଟ୍ରଫି ଜିତିବାର ଆଶା ଆଶାରେ ରହିଯାଇଛି । ଲଗାତାର ଦ୍ୱିତୀୟଥର ପାଇଁ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍ ହାରିଛି ଭାରତ । ଭାରତକୁ ୨୦୯ରନର ହରାଇଛି ପାଟ କମିନ୍ସଙ୍କ ନେତୃତ୍ୱାଧୀନ କଙ୍ଗାରୁ ଦଳ । ଏହା ପୂର୍ବରୁ ବିଶ୍ୱ ଟେଷ୍ଟ ଚମ୍ପିଆନସିପ ଫାଇନାଲର ପ୍ରଥମ ସଂସ୍କରରେ ନ୍ୟୁଜିଲାଣ୍ଡଠୁ ୮ ୱିକେଟରେ ପରାଜିତ ହୋଇଥିଲା ଭାରତ । ୧୦ ବର୍ଷ ପରେ ଆଇସିସି ଟ୍ରଫି ଜିତିବାର ସ୍ୱପ୍ନ ଆଜିର ପରାଜୟ ସହ ଭାଙ୍ଗିଯାଇଛି । ୪୪୪ ରନର ଟାର୍ଗେଟକୁ ପିଛା କରି ଭାରତୀୟ ଦଳ ଶେଷ ଦିନର ପ୍ରଥମ ସେଶନରେ ୨୩୪ ରନରେ ଅଲଆଉଟ୍ ହୋଇଯାଇଛି । ଦ୍ୱିତୀୟ ଇନିଂସରେ ଭାରତର କୌଣସି ବି ବ୍ୟାଟର ଅର୍ଦ୍ଧଶତକ କରିପାରିନଥିଲେ । ବିରାଟ କୋହଲି ସର୍ବାଧିକ ୪୯ ରନ୍ କରିଥିଲେ । ଅନେକ ଅନୁଭବୀ ବ୍ୟାଟ୍ସମ୍ୟାନ ଖରାପ ସଟ୍ ଖେଳି ଆଉଟ୍ ହେବା କାରଣରୁ ଭାରତ ଟାଇଟଲ୍ ହାତଛଡ଼ା କରିଛି ।

ଲଣ୍ଡନର ଦ ଓଭାଲ ମୈଦାନରେ ଅଷ୍ଟ୍ରେଲିଆ ନିଜର ଦ୍ୱିତୀୟ ଇନିଂସ ୨୭୦/୮ ସ୍କୋରରେ ଘୋଷଣା କରିଥିଲା ଏବଂ ଭାରତକୁ ବିଜୟ ପାଇଁ ୪୪୪ ରନର ଟାର୍ଗେଟ ଦେଇଥିଲା । ଭାରତୀୟ ଟିମ୍ ପ୍ରଥମ ଇନିଂସରେ ୨୯୬ ରନରେ ଅଲଆଉଟ୍ ହୋଇଯାଇଥିଲା ସେହିପରି ଅଷ୍ଟ୍ରେଲିଆ ଦଳ ପ୍ରଥମ ଇନିଂସରେ ୪୬୯ ରନରେ ଅଲାଉଟ୍ ହୋଇଥିଲା । ଅଷ୍ଟ୍ରେଲିଆ ଆଜିର ବିଜୟ ସହ ସବୁ ଆଇସିସି ଟ୍ରଫି ଜିତିବାରେ ପ୍ରଥମ ଦେଶ ଭାବେ ରେକର୍ଡ ଅର୍ଜନ କରିଛି । ଦିନିକିଆ ବିଶ୍ୱକପରେ ଅଷ୍ଟ୍ରେଲିଆ ୫ଥର ଟ୍ରଫି ଜିତିଛି । ସେହିପରି ଟି-୨୦ ବିଶ୍ୱକପ ଟ୍ରଫି ଥରେ ବିଜେତା ଏବଂ ଚମ୍ପିଆନ୍ସ ଟ୍ରଫି ଦୁଇଥର ଜିତିଛି କଙ୍ଗାରୁ ଦଳ । ଏଥର ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଜିତିବା ସହ ଆଇସିସିର ସମସ୍ତ ଟ୍ରଫି ଜିତିବାରେ ସଫଳତା ଅର୍ଜନ କରିଛି ।