ଜିନ୍ ପିଙ୍ଗ ନିଖୋଜ ! ଚୀନରେ ଅନ୍ତିମ ନିଶ୍ବାସ ନେଉଛି କି ସି’ଙ୍କ ଶାସନ ?

ନନ୍ଦିଘୋଷ ବ୍ୟୁରୋ: ଚୀନ ରାଷ୍ଟ୍ରପତି କେଉଁଠି ଅଛନ୍ତି ? କିଛି ଦିନ ହେବ ନା ତାଙ୍କର କୌଣସି ବୟାନ ଆସିଛି, ନା କୌଣସି ଫଟୋ, ନା କୌଣସି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ରାଷ୍ଟ୍ରପତି ଚୌକିରେ ବସିବା ପରଠାରୁ ଏମିତି କେବେ ଦେଖିବାକୁ ମିଳି ନଥିଲା । ଏମିତି ସ୍ଥିତିରେ ଚୀନ ରାଷ୍ଟ୍ରପତି ସି ଜିନ୍ ପିଙ୍ଗଙ୍କ ଶାସନର ଅନ୍ତ ଘଟିବାକୁ ଯାଉଥିବା ଚର୍ଚ୍ଚା ହେବାରେ ଲାଗିଛି ।
ଆସନ୍ତାକାଲି ବ୍ରାଜିଲରେ ବିକ୍ସି ସମ୍ମିଳନୀ ହେବାକୁ ଯାଉଛି । ଏଥିରେ ବ୍ରାଜିଲ, ଋଷ, ଭାରତ, ଚୀନ ଓ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରମୁଖ୍ୟ ଏକାଠି ହେବାକୁ ଯାଉଛନ୍ତି । ହେଲେ ଏହି ସମ୍ମିଳନୀରେ ଜିନ୍ ପିଙ୍ଗ ସାମିଲ ହେବେ ନାହିଁ । ଆଉ ଏହାକୁ ନେଇ ଅଟକଳ ବଢ଼ି ଯାଇଛି । କାରଣ, କ୍ଷମତାକୁ ଆସିବା ପରଠାରୁ ଜିନ୍ ପିଙ୍ଗଙ୍କୁ ବ୍ରିକ୍ସର ପ୍ରତି ବୈଠକରେ ଦେଖିବାକୁ ମିଳୁଥିଲା । ଏବେ ତାଙ୍କ ସ୍ଥାନରେ ପ୍ରଧାନମନ୍ତ୍ରୀ ଲି କ୍ୟୋଙ୍ଗ ଏବଂ ଉପ ପ୍ରଧାନମନ୍ତ୍ରୀ ଲେଫିଙ୍ଗ ବୈଠକରେ ସାମିଲ ହେବେ ।
ମିଡିଆ ରିପୋର୍ଟ ଅନୁସାରେ, କିଛି ସପ୍ତାହ ହେବ ଜିନ୍ ପିଙ୍ଗ ସାର୍ବଜନୀନ ଭାବେ ନଜରକୁ ଆସୁନାହାନ୍ତି । ନା ତାଙ୍କର କିଛି ବୟାନ ଆସୁଛି ନା କୌଣସି ଫଟୋ । ନା କୌଣସି କାର୍ଯ୍ୟକ୍ରମରେ ସେ ସାମିଲ ହେଉଛନ୍ତି । ଏପରିକି ଚୀନର ସରକାରୀ ଖବରକାଗଜ ପିପୁଲ୍ସ ଡେଲିରୁ ତାଙ୍କ ନାଁ ଗାଏବ ହୋଇଯାଇଛି । ଜିନ୍ ପିଙ୍ଗଙ୍କ ଅନୁପସ୍ଥିତିରେ ଏବେ ବିଶ୍ବବାସୀଙ୍କ ମନରେ ଏକାଧିକ ପ୍ରଶ୍ନ ଉଠିବାରେ ଲାଗିଛି । ଏମିତି ସ୍ଥିତିରେ ଜିନ୍ ପିଙ୍ଗଙ୍କ ଗାଦି ବିପଦରେ ଥିବା ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।
ଜିନ୍ ପିଙ୍ଗଙ୍କ ଶାସନର ଅନ୍ତ ନା ବେମାରୀ ?
କିଛି ରିପୋର୍ଟ ଅନୁସାରେ ଜିନ୍ ପିଙ୍ଗ ଗମ୍ଭୀର ବେମାରୀରେ ଆକ୍ରାନ୍ତ ହୋଇଛନ୍ତି । ଏଥିପାଇଁ ସେ ପଦାକୁ ଆସୁନାହାନ୍ତି । ଅନ୍ୟପଟେ କିଛି ବିଦେଶୀ ଗଣମାଧ୍ୟମ ରିପୋର୍ଟ କହୁଛି, ନିଜ ଦଳ ଭିତରେ ଜିନ୍ ପିଙ୍ଗଙ୍କୁ ନେଇ ବିରୋଧ ବଢ଼ିବାରେ ଲାଗିଛି । ଏଥିପାଇଁ ଜାଣିଣୁଣି ଜିନ ପିଙ୍ଗଙ୍କୁ ଅଲଗା କରାଯାଉଛି । ଏପରିକି ବେଞ୍ଜିଂର ଗ୍ରେଟ୍ ହଲରେ ଜିନ୍ ପିଙ୍ଗଙ୍କ ବଦଳରେ ଅନ୍ୟ ନେତା ବିଦେଶୀ ନେତାଙ୍କୁ ସାକ୍ଷାତ କରିବା ଆରମ୍ଭ କରି ଦେଇଛନ୍ତି ।
ସି’ଙ୍କ ନିୟନ୍ତ୍ରଣରେ ନାହିଁ ପିଏଲଏ
ଜୁଲାଇ ୪ ତାରିଖରେ ଚୀନରେ ଏକ ବଡ଼ ଘଟଣା ଘଟିଥିଲା । ଉକ୍ତଦିନ ଚୀନ ସରକାର ତିନି ଜଣ ବରିଷ୍ଠ ସେନା ଅଧିକାରୀଙ୍କୁ ହଠାତ ବହିଷ୍କାର କରି ଦେଇଥିଲେ । ଜେନେରାଲ ମିୟାଓ ହୁଆ, ନୌସେନା ପ୍ରମୁଖ ଲି ହାନଜୁନ ଏବଂ ବରିଷ୍ଠ ପରମାଣୁ ବିଜ୍ଞାନୀ ଲିୟୁ ଶିପେଙ୍ଗଙ୍କୁ ବହିଷ୍କାର କରାଯାଇଛି । ଦୁର୍ନୀତି ପାଇଁ ଏମାନଙ୍କୁ ବହିଷ୍କାର କରାଯାଇଥିବା ସରକାରୀ ସ୍ତରରେ କୁହାଯାଇଛି । ହେଲେ ମିଡିଆ ରିପୋର୍ଟ ଅନୁସାରେ, ପିଏଲଏ ଭିତରେ ବଢୁଥିବା ଅସନ୍ତୋଷକୁ ଦମନ କରିବାକୁ ଏମିତି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।
ପ୍ରକୃତ କ୍ଷମତା ଏ ବ୍ୟକ୍ତି ପାଖରେ ?
କିଛି ମିଡିଆ ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଇଛି ଯେ, ବର୍ତ୍ତମାନ ପ୍ରକୃତ କ୍ଷମତା ଚୀନ ସେନାର ଊପାଧ୍ୟକ୍ଷ ଜେନେରାଲ ଝାଙ୍ଗ ୟୁଶିୟାଙ୍କ ପାଖରେ ରହିଛି । ଆଉ ହୁ ଜିନ୍ତାଓଙ୍କ ପ୍ରତି ତାଙ୍କର ବିଶ୍ବସ୍ତତା ରହିଛି । ହୁ ହେଉଛନ୍ତି ସେହି ପୂର୍ବ ରାଷ୍ଟ୍ରପତି ଯାହାଙ୍କୁ ଜିନ୍ ପିଙ୍ଗଙ୍କ ଆଦେଶରେ ୨୦୨୨ରେ ପାର୍ଟି କଂଗ୍ରେସ ସମୟରେ ସାର୍ବଜନୀନ ଭାବେ ହଲରୁ ଧକ୍କା ମାରି ବାହାର କରି ଦିଆଯାଇଥିଲା ।
ସେନା ଉପରୁ ନିୟନ୍ତ୍ରଣ ହରାଉଛନ୍ତି ଜିନ୍ ପିଙ୍ଗ
ଦିନେ ଚୀନ ସେନା ପିଏଲଏକୁ ସି ଜିନ୍ ପିଙ୍ଗଙ୍କ ଶକ୍ତି ବୋଲି କୁହାଯାଉଥିଲା । ହେଲେ, ଆଜି ଜିନ୍ ପିଙ୍ଗ ସେହି ସେନା ପାଖରୁ ଅଧିକ ଆହ୍ବାନର ସମ୍ମୁଖୀନ ହେଉଛନ୍ତି । ଏହାସହ ଜିନ୍ ପିଙ୍ଗଙ୍କ ପ୍ରଭାବ ଦଳ ମଧ୍ୟରେ କମ ହେବାରେ ଲାଗିଛି । ଯେଉଁ ଅଫିସରମାନଙ୍କୁ ପୂର୍ବରୁ ବାହାରର ରାସ୍ତା ଦେଖା ଯାଇଥିଲା, ସେମାନେ ଧିରେ ଧିରେ ପୁଣି ଫେରିବା ଆରମ୍ଭ ହୋଇଯାଇଛି ।