spot_img

Latest Posts

ଚାଇନା ପଲିଟିକ୍ସ: ଝିଅ ପାଇଁ ରାସ୍ତା ସଫା କରୁଛନ୍ତି ଜିନପିଙ୍ଗ

ଚାଇନା ପଲିଟିକ୍ସ: ଝିଅ ପାଇଁ ରାସ୍ତା ସଫା କରୁଛନ୍ତି ଜିନପିଙ୍ଗ

ନନ୍ଦିଘୋଷ ବ୍ୟୁରୋ: ୨୦୨୭ ଚୀନ ରାଜନୀତି ପାଇଁ ବଡ଼ ଗୁରୁତ୍ବ ବହନ କରୁଛି । ଏହିବର୍ଷ ଚୀନ କମ୍ୟୁନିଷ୍ଟ ପାର୍ଟି (ସିସିପି)ର ୨୧ତମ ଜାତୀୟ କଂଗ୍ରେସ ହେବାକୁ ଯାଉଛି । ଯେଉଁଥିରେ ନୂଆ କେନ୍ଦ୍ରୀୟ କମିଟି ଚୟନ କରାଯିବ । ଏହି କେନ୍ଦ୍ରୀୟ କମିଟି ଆଗକୁ କେନ୍ଦ୍ରୀୟ ମିଲେଟାରୀ କମିଶନ ପାଇଁ ସଦସ୍ୟଙ୍କୁ ନିଯୁକ୍ତି ଦେବ । ଏମିତିରେ ଚୀନର ନେତୃତ୍ବ ପରିବର୍ତ୍ତନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଚାଇନାର ସରକାରୀ ମିଡିଆ ନିୟମତି ଚେତାବନୀ ଦେଇ କହୁଛି, ଯେଉଁ ଅଧିକାରୀମାନେ କେବଳ ନେତୃତ୍ବ ପରିବର୍ତ୍ତନକୁ ଅପେକ୍ଷା କରି କାମ କରିବାରୁ ବର୍ତ୍ତୁଛନ୍ତି ସେମାନଙ୍କ ବିରୋଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ । ଚୀନ ରାଷ୍ଟ୍ରପତି ଶି ଜିନପିଙ୍ଗ ସିସିଡିଆଇ ବୈଠକରେ ସ୍ପଷ୍ଟ କରିସାରିଛନ୍ତି, ଚଳିତବର୍ଷ ଲୋକାଲ ଲେଭଲରେ ନେତୃତ୍ବ ପରିବର୍ତ୍ତନ ଆରମ୍ଭ ହେବ । ଦଳକୁ ଏମିତି ଲୋକ ଦରକାର ଯିଏ ସମ୍ପୂର୍ଣ୍ଣ ବିଶ୍ବସ୍ତ, ଭରଷାଯୋଗ୍ୟ ଓ ନିୟମିତ କାମ କରୁଥିବେ । ଆଶା କରାଯାଉଛି ଜିନପିଙ୍ଗ ତାଙ୍କ ଏକମାତ୍ର ଝିଅ ଶି ମିଙ୍ଗଜେଙ୍କୁ କ୍ଷମତାକୁ ଆଣିବାକୁ ଚାହୁଁଛନ୍ତି ।

ଶି ମିଙ୍ଗଜେ କିଏ ?

ଶି ମିଙ୍ଗଜେଙ୍କ ଜନ୍ମ ୧୯୯୨ ଜୁନ ୨୫ ତାରିଖରେ ପୁଜିୟାନ ପ୍ରାନ୍ତର ଫୁଝୋଉ ଶହରରେ ହୋଇଛି । ପ୍ରାରମ୍ଭିକ ପାଠପଢ଼ା ବେଞ୍ଜିଂ ଜିଙ୍ଗଶାନ ସ୍କୁଲରୁ କରିଛନ୍ତି । ଏହାପରେ ସେ ହାଙ୍ଗଝୋଉ ଫରେନ ଲାଙ୍ଗୁଏଜ ସ୍କୁଲରେ ପଢ଼ିଥିଲେ । ଏଠାରେ ସେ ଫ୍ରେଞ୍ଚ ଭାଷା ଶିକ୍ଷା ଲାଭ କରିଥିଲେ । ୨୦୧୦ରେ ମିଙ୍ଗଜେ ନିଜ ପରିଚୟ ଗୋପନ ରଖି ଆମେରିକାର ହାଓ୍ବାର୍ଡ ବିଶ୍ବବିଦ୍ୟାଳୟରେ ନାମ ଲେଖାଇଥିଲେ । ସେଠାରେ ସେ ମନୋବିଜ୍ଞାନ ପଢ଼ିବା ସହ ୨୦୧୪ରେ ବ୍ୟାଚଲର ଅଫ୍ ଆର୍ଟ୍ସରେ ଡିଗ୍ରୀ ହାସଲ କରିଛନ୍ତି ।

ଲୋ-ପ୍ରୋଫାଇଲ ଜୀବନ

ଶି ମିଙ୍ଗଜେଙ୍କୁ ସର୍ବସାଧାରଣରେ ବହୁତ କମ ଦେଖିବାକୁ ମିଳିଥାଏ । ୨୦୦୮ରେ ସିଚୁଆନ ଭୂକମ୍ପ ପରେ ତାଙ୍କୁ ଗୋଟିଏ ସପ୍ତାହ ହାନଓ୍ବାଙ୍ଗ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିବା ଦେଖିବାକୁ ମିଳିଥିଲା । ୨୦୧୩ରେ ତାଙ୍କୁ ମାଆବାପାଙ୍କ ସହ ଶନକ୍ସି ପ୍ରାନ୍ତର ୟାନଆନ ସ୍ଥିତ ଲିଆଙ୍ଗଜିୟାହୋ ଗାଁରେ ଦେଖିବାକୁ ମିଳିଥିଲା । ଯେଉଁଠି ସେ ମାଆବାପାଙ୍କ ସହ ମିଶି ସ୍ଥାନୀୟ ଲୋକଙ୍କୁ ଚୀନୀ ନବବର୍ଷର ଅଭିନନ୍ଦନ ଜଣାଉଥିବା ଦେଖିବାକୁ ମିଳିଥିଲା ।

ଶି ମିଙ୍ଗଜେ ନିଜକୁ ସବୁ ବେଳେ ଚର୍ଚ୍ଚାରୁ ଦୂରେଇ ରଖିଥାନ୍ତି । ତାଙ୍କ ଗୋପନୀୟତାକୁ ନେଇ ଚୀନ ସରକାର ବହୁତ ଶକ୍ତ । ୨୦୧୯ରେ ତାଙ୍କ କିଛି ସୂଚନା ଅନଲାଇନରେ ଲିକ୍ କରିଥିବା ବ୍ୟକ୍ତିଙ୍କୁ ୧୪ ବର୍ଷ ପାଇଁ ଜେଲକୁ ପଠାଇ ଦିଆଯାଇଥିଲା ।

Latest Posts

Don't Miss