ଯମୁନା ଜଳରେ ବେହାଲ ଦିଲ୍ଲୀ, ଲଗାଣ ବର୍ଷାରେ ବଢ଼ୁଛି ରାଜଧାନୀ ସଙ୍କଟ

ନୂଆଦିଲ୍ଲୀ: ଦିଲ୍ଲୀରେ ବନ୍ୟା ସ୍ଥିତି ଏବେ ବି ସଙ୍ଗୀନ । ଯମୁନା ନଦୀର ଜଳସ୍ତର କମିଚାଲିଛି, ହେଲେ ଏବେ ବି କମିନି ଦୁର୍ଦ୍ଦଶା । ଦେଶର ରାଜଧାନୀ ଦିଲ୍ଲୀର ତଳି ଅଞ୍ଚଳ ଏବେ ବି ଜଳବନ୍ଦୀ । ଏନଡିଆରଏଫ ସହ ପୋଲିସ ପ୍ରଶାସନ ଦିଲ୍ଲୀ ସ୍ଥିତି ସ୍ବାଭାବିକ କରିବାକୁ ଆପ୍ରାଣ ଉଦ୍ୟମ ଜାରି ରଖିଛନ୍ତି । ଲାଲକିଲ୍ଲା, ଆଇଟିଓ, ସୁପ୍ରିମକୋର୍ଟ ଏବେ ବି ପାଣି ଆଉ ପାଣି । ପୁଣି ସପ୍ତାହେ ପାଇଁ ଦିଲ୍ଲୀକୁ ବର୍ଷା ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର । ବର୍ତ୍ତମାନ ଯମୁନା ଜଳସ୍ତର ବିପଦ ସଙ୍କେତ ଉପରେ ୨୦୬.୧୪ ମିଟରରେ ପ୍ରବାହିତ ହେଉଛି । ଲଗାତର ୫ ଦିନ ଧରି ଦିଲ୍ଲୀରେ ଏହି ସ୍ଥିତି ଜାରି ରହିଛି ।

ଦିଲ୍ଲୀର ରାଜରାସ୍ତା କୃତ୍ରିମ ପୋଖରୀ ପାଲଟିଛି । ଘର ବୁଡ଼ିଯିବାରୁ ଅନେକ ପରିବାର ବେଘର ହୋଇଛନ୍ତି । ଉଦ୍ଧାର କରି ଲୋକଙ୍କୁ ଆଶ୍ରୟସ୍ଥଳୀରେ ରଖାଯାଇଛି । ୨୫ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ୪୦ରୁ ଅଧିକ କ୍ୟାମ୍ପ କରାଯାଇଛି । ଏବେ ବି ଲୋକ ଘରେ ପାଣିରେ ପଶି ରହିଥିବାରୁ ସେମାନଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବନ୍ୟାଜଳ ପାଇଁ ଟ୍ରାଫିକ ସ୍ଥିତି ମଧ୍ୟ ସାଂଘାତିକ ରୂପ ନେଇଛି । ଦିଲ୍ଲୀରେ ଆଜିଠୁ ୨୧ ତାରିଖ ଯାଏ ମଧ୍ୟମ ଧରଣର ବର୍ଷା ହେବ । ସେପଟେ ଦିଲ୍ଲୀରେ ବନ୍ୟା ସ୍ଥିତି ନେଇ ଷଡ଼ଯନ୍ତ୍ର କରାଯାଇଥିବା ଅଭିଯୋଗ କରିଛି ଆମ୍ ଆଦମୀ ପାର୍ଟି । କେନ୍ଦ୍ର ଓ ହରିୟାଣା ସରକାର ଦିଲ୍ଲୀରେ ବନ୍ୟା ସ୍ଥିତି ପାଇଁ ଦାୟୀ ।