ଆରସିବି ଷ୍ଟାର ବୋଲର ୟଶ ଦୟାଲଙ୍କ ବିରୋଧରେ ଏକାଧିକ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ: ଭାରତୀୟ କ୍ରିକେଟର ତଥା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର (ଆରସିବି)ର ଷ୍ଟାର ବୋଲର ୟଶ ଦୟାଲଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ । ଗାଜିଆବାଦର ଜଣେ ମହିଳା ଏମିତି ଅଭିଯୋଗ କରିବା ସହ ୟଶ ତାଙ୍କୁ ଶାରିରୀକ ଓ ମାନସିକ ନିର୍ଯାତନା ଦେଇଥିବା ଅଭିଯୋଗ କରିଛନ୍ତି । ଏହି ମାମଲା ଏବେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପହଞ୍ଚିଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ମହିଳା ଜଣଙ୍କ ଅଭିଯୋଗ ଦାଖଲ କରିଛନ୍ତି । ଗତ ୫ ବର୍ଷ ହେଲା ୟଶ ତାଙ୍କ ସହ ସମ୍ପର୍କରେ ଥିଲେ ବୋଲି ମହିଳା ଜଣଙ୍କ ଅଭିଯୋଗରେ ଦର୍ଶାଇବା ସହ ତାଙ୍କ ବିରୋଧରେ ଏକାଧିକ ଯୁବତୀଙ୍କ ସହ ସମ୍ପର୍କ ରଖିବା ଓ ଦୁଷ୍କର୍ମ କରିବା ଅଭିଯୋଗ ଆଣିଛନ୍ତି ।

ନିକଟରେ ଶେଷ ହୋଇଥିବା ୨୦୨୫ ଆଇପିଏଲ ବିଜୟୀ ଟିମ୍ ଆରସିବିର ସଦସ୍ୟ ଥିଲେ ୟଶ । ଏଥିରେ ସେ ୧୫ ମ୍ୟାଚରୁ ୧୩ ଓ୍ବିକେଟ ନେଇଥିଲେ । ୟୁପି ଘରୋଇ କ୍ରିକେଟରେ ଖେଳୁଥିବା ୟଶ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତୀୟ କ୍ରିକେଟ ଟିମରେ ସ୍ଥାନ ପାଇନାହାନ୍ତି । ହେଲେ ଦୁଷ୍କର୍ମ ମାମଲାରେ ଏବେ ସେ ଚର୍ଚ୍ଚାକୁ ଆସି ଯାଇଛନ୍ତି ।

ପୀଡ଼ିତା ଅଭିଯୋଗ କରିଛନ୍ତି, ୨୦୨୦ ମସିହାରୁ ସେ ୟଶଙ୍କୁ ଜାଣିଛନ୍ତି । ୟଶ ତାଙ୍କୁ ତାଙ୍କ ପରିବାର ସହ ବି ଭେଟ କରାଇଛନ୍ତି । ଏପରିକି ସେ ତାଙ୍କ ଘରେ ରହିଛନ୍ତି ମଧ୍ୟ । ହେଲେ ଗତ ଅଢେଇ ବର୍ଷ ହେବ ସେ ଏକାଧିକ ଯୁବତୀଙ୍କ ସହ ସମ୍ପର୍କ ରଖିଛନ୍ତି । ସେମାନଙ୍କ ମଧ୍ୟରୁ ତିନି ଜଣ ପୀଡ଼ିତାଙ୍କ ସମ୍ପର୍କରେ ଥିବା ସେ ଦାବି କରିଛନ୍ତି । ୟଶ ଏହି ଯୁବତୀମାନଙ୍କ ସହ ବି ପ୍ରତାରଣା କରିଛନ୍ତି । ୟଶା ଦୟାଲ କି ତାଙ୍କ ପରିବାର ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ଆସିନି । ତେବେ ଏହା ଏବେ ଖେଳ ଜଗତରେ ଚର୍ଚ୍ଚାର ବିଷୟ ପାଲଟିଛି । ପୋଲିସ ତଦନ୍ତରୁ କି ତଥ୍ୟ ପଦାକୁ ଆସିବ ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି ।

ସୂଚନାଯୋଗ୍ୟ, ୟଶ ଦୟାଲ ଏବଂ ପୀଡ଼ିତାଙ୍କର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଡିଓଟି ୨୦୨୨ ଆଇପିଏଲ ସମୟର । ଏହି ବର୍ଷ ୟଶ ଗୁଜରାଟ ଟାଇସନର ସଦସ୍ୟ ଥିଲେ । ଉକ୍ତ ବର୍ଷ ତାଙ୍କ ଟିମ୍ ଚାମ୍ପିୟନ ହୋଇଥିଲା । ଫାଇନାଲ ପରେ ୟଶ ଓ ମହିଳା ଜଣଙ୍କ ଫଟୋ ଉଠାଇଥିଲେ । ଉକ୍ତ ଫଟୋକୁ ପୀଡ଼ିତା ତାଙ୍କ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ । ପୀଡ଼ିତା ଏହା ମଧ୍ୟ ଦାବି କରିଛନ୍ତି କି ୨୦୨୫ ଫେବୃଆରୀରେ ଆରସିବିର ଜଣେ ଖେଳାଳିଙ୍କ ବିବାହ ଉତ୍ସବକୁ ମଧ୍ୟ ସେ ୟଶଙ୍କ ସହ ଯାଇଥିଲେ । ସେଠାରେ ଉଭୟ ନିଜ ନିର୍ବନ୍ଧକୁ ନେଇ ଆଲୋଚନା କରିଥିଲେ ବୋଲି ପୀଡ଼ିତା ଦାବି କରିଛନ୍ତି ।