ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ: ଥାନା ଘେରିଲେ ପରିବାର ଲୋକେ

ଭୁବନେଶ୍ୱର: ଯୁବକଙ୍କ ଆତ୍ମହତ୍ୟାକୁ ନେଇ ଉତ୍ତେଜନା । ମୃତଦେହ ରଖି ବାଲିପାଟଣା ଥାନା ଘେରିଲେ ଗ୍ରାମବାସୀ । ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବାରୁ ଯୁବକ ଜଣଙ୍କ ଆତ୍ମହତ୍ୟା କରିଥିବା ଅଭିଯୋଗ । ପରକୀୟାପ୍ରୀତି ମାମଲାରେ ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବାର ଯୁବକ ଜଣଙ୍କ ଆତ୍ମହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ ଏବଂ ଗ୍ରାମବାସୀ । ଏବଂ ଥାନା ଆଗରେ ମୃତଦେହ ରଖି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ଘଟଣାନୁଯାୟୀ, ବାଲିପାଟଣା ଥାନା ବାରିଲୋ ଗାଁର ପ୍ରଶାନ୍ତ ଭୋଇ ସ୍ତ୍ରୀଙ୍କ ଅନୈତିକ ସମ୍ପର୍କକୁ ନେଇ ବାଲିପାଟଣା ଥାନାର ଦ୍ୱାରସ୍ଥ ହୋଇଥିଲେ । ପରେ ବାଲିପାଟଣା ଥାନା ଏ ଏସ୍ ଆଇ ପୁଷ୍ପଲତା ପାଇକରାୟ ଉଭୟ ସ୍ଵାମୀ – ସ୍ତ୍ରୀଙ୍କୁ ବସାଇ ଆଲୋଚନା କରିଥିଲେ । ଏବଂ ବୁଝାସୁଝା କରି ଘରକୁ ପଠାଇଥିଲେ । କିନ୍ତୁ ଏଥିରେ ପ୍ରଶାନ୍ତ ରାଜି ହୋଇନଥିଲେ ଏବଂ ସଠିକ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଥିଲେ ।

ପରେ ରବିବାର ସକାଳେ ପ୍ରଶାନ୍ତ ବିଷ ପିଇ ଗୁରୁତର ହୋଇଥିଲେ । ତାଙ୍କୁ ପ୍ରଥମେ ବାଳକାଟି ଗୋଷ୍ଠୀସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ କ୍ୟାପିଟାଲ୍‌ ଏବଂ କଟକ ବଡ ମେଡ଼ିକାଲ୍‌ ସ୍ଥାନାନ୍ତର କରାଯାଇଥିଲା । କଟକ ବଡ ମେଡ଼ିକାଲ୍‌ରେ ପ୍ରଶାନ୍ତଙ୍କର ମୃତ୍ୟୁ ହୋଇଥିଲା । ମୃତଦେହ ଗାଁରେ ପହଁଞ୍ଚିବା ପରେ ଗ୍ରାମବାସୀ ମୃତଦେହକୁ ଥାନା ସମ୍ମୁଖରେ ରଖି ଅନୈତିକ ସମ୍ପର୍କରେ ଜଡ଼ିତ ଥିବା ଯୁବକଙ୍କୁ ଗିରଫ ଏବଂ ଏଏସ୍ ଆଇଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଥାନା ଘେରାଉ କରିଥିଲେ । ଆଇଆଇସିଙ୍କ ସହ ଆଲୋଚନା ପରେ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଥିଲା ପୋଲିସ୍ । ଏହା ସହ ଏ ଏସ୍ ଆଇଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପ୍ରତିଶ୍ରୁତି ପରେ ସ୍ଥିତି ଶାନ୍ତ ପଡିଥିଲା ।

ଏଥିସହିତ ପଢ଼ନ୍ତୁ: ପରିସ୍ଥିତି ବଦଳାଇ ଦେଇଛି ବୃତ୍ତି: ସଫେଇ ଗାଡ଼ି ଚଳାଉଛନ୍ତି ଶିକ୍ଷୟିତ୍ରୀ

Leave a Reply