YouTubeର ଲାଇଭ୍ ଷ୍ଟ୍ରିମିଂ ନିୟମ ବଦଳିଲା: ଏଣିକି ଏଇମାନେ କରିପାରିବେ ନାହିଁ ଲାଇଭ୍ ଷ୍ଟ୍ରିମିଂ…

ୟୁଟ୍ୟୁବ ତା’ର ନିୟମରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ୟୁଟ୍ୟୁବରେ ଲାଇଭ୍ ଷ୍ଟିମିଂ ନିୟମକୁ ଗୁଗଲ କଠୋର କରିବାକୁ ନିଷ୍ପତ୍ତି ଗ୍ରହଣ କରିଛି । ନୂଆ ନିୟମ ଲାଗୁ ହେବା ପରେ ସମସ୍ତେ ଲାଇଭ୍ ଷ୍ଟ୍ରିମ କରିପାରିବେ ନାହିଁ । ଶିଶୁଙ୍କୁ ଅଧିକ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ଗୁଗଲ ଏହି ପଦକ୍ଷେପ ଗ୍ରହଣ କରିଛି । ବର୍ତ୍ତମାନ ସୁଦ୍ଧା ଲାଇଭ ଷ୍ଟ୍ରିମିଂର ସର୍ବନିମ୍ନ ବୟସ ୧୩ ବର୍ଷ ରହିଥିଲା, ଯାହାକୁ ବଢ଼ାଯାଇ ଏବେ ୧୬ ବର୍ଷ କରାଯାଇଛି । ଆସନ୍ତା ମାସ ୨୨ ତାରିଖ ଠାରୁ ଏହି ନୂଆ ନିୟମ ଲାଗୁ ହେବ ।

ନୂଆ ନିୟମ ଅନୁସାରେ, ୧୬ ବର୍ଷରୁ କମ୍ ବୟସର ଶିଶୁମାନେ ଏଣିକି ଲାଇଭ୍ ଷ୍ଟ୍ରିମିଂ କରିପାରିବେ ନାହିଁ । ନାବାଳକଙ୍କ ସୁରକ୍ଷା ବୃଦ୍ଧି ଓ ଅନଲାଇନ ଦର୍ଶକଙ୍କ ସହ ଯୋଡ଼ି ହେବାରେ ଶିଶୁଙ୍କ କ୍ଷେତ୍ରରେ ଦେଖାଦେଉଥିବା ରିସ୍କକୁ ସୀମିତ କରିବା ପାଇଁ ୟୁଟ୍ୟୁବ ଏହି ନୂଆ ନିୟମ ଲାଗୁ କରିଛି । କିଶୋର ଓ ଶିଶୁଙ୍କ ସୁରକ୍ଷା ଦିଗରେ ଏହା ୟୁଟ୍ୟୁବର କାମର ଏକ ଅଂଶ ବୋଲି କୁହାଯାଇଛି । ତେବେ ନୂଆ ନିୟମ ଲାଗୁ ହେବା ପରେ ମଧ୍ୟ ୧୬ ବର୍ଷରୁ କମ୍ ବୟସର ପିଲାଙ୍କୁ ଲାଇଭ ଷ୍ଟ୍ରିମରେ ଆସିବାକୁ ଅନୁମତି ମିଳିବ । ମାତ୍ର ସେଥିପାଇଁ କଠୋର ସର୍ତ୍ତ ରହିଛି । ପିଲାମାନେ କ୍ୟାମେରା ଆଗରେ କୌଣସି ବଡ଼ (ଆଡଲ୍ଟ)ଙ୍କ ସହ ସହ ଲାଇଭ ଷ୍ଟ୍ରିମିଂ କରିପାରିବେ । ଯଦି ଏପରି ନହୁଏ, ତେବେ ୟୁଟ୍ୟୁବ ଲାଇଭ ଚ୍ୟାଟକୁ ବନ୍ଦ କରିଦେବ ବା ଷ୍ଟ୍ରିମିଂକୁ ସମ୍ପୂର୍ଣ୍ଣ ଭାବେ ହଟାଇଦେବ ।